ପରବାସୀ

 

 

 

 

 

 

 

 

 

 

 

ପରବାସୀ

ଶ୍ରୀ ଶୁକଦେବ ସାହୁ

 

ବିଶିଷ୍ଟ ଔପନ୍ୟାସିକ ଶ୍ରୀଯୁକ୍ତ କାଳିନ୍ଦୀଚରଣ ପାଣିଗ୍ରାହୀ ଏହାର ସମାଲୋଚନାରେ କହିଛନ୍ତି–‘ଲେଖକଙ୍କ କଲମରୁ ବିପୁଳ ଅଶ୍ରୁର ଉତ୍ସ ଝରି ପଡ଼ିଚି । ଓଡ଼ିଆ ପରବାସୀ ସବୁଠାରେ ହିଁ ଯେପରି ପରବାସୀ ରହିଯାଉଚି । ଆପଣା ଘରେ ପୁଣି ସୁଦୂର ବିଦେଶରେ କାହିଁ ହେଲେ ଯାକୁ ମଣିଷ ପରି ମୁଣ୍ଡ ଗୁଞ୍ଜିବାକୁ ଟିକିଏ ଠାବ ମିଳୁନାହିଁ । ଓଡ଼ିଆ ଜୀବନର ଏଇ ଜମାଟ ବନ୍ଧା ଅଶ୍ରୁକୁ କିନ୍ତୁ ଲେଖକ ଠାବ କରି ପାରିଛନ୍ତି । ଏହା ତାଙ୍କ ଲେଖନୀ-କୃତିତ୍ୱର ବାସ୍ତବ ପରିଚୟ । ସରଳ ସୁନ୍ଦର ଭାଷା ଗଙ୍ଗଶିଉଳି ଫୁଲ ପରି ନିଃଶବ୍ଦରେ ଝରି ପଡ଼ିଛି । ତାଙ୍କର ଭାଷା, ବର୍ଣ୍ଣନା ଚାତୁରୀ, ପ୍ରକୃତି ଚିତ୍ରଣ ଓ ଚରିତ୍ର ଗଠନ ଦିଗରେ ଯେଉଁ ଅର୍ନ୍ତଦୃଷ୍ଟିର ପରିଚୟ ମିଳେ, ତାହା ତାଙ୍କୁ ଔପନ୍ୟାସିକ ମହଲରେ ସୁପ୍ରତିଷ୍ଠିତ କରିଚି ।

Image

 

ମାନନୀୟ ମହେଶ୍ୱର ଭାଇ,

 

ତମେ ମୋତେ ଦିନେ ଆଲୋକ ଦେଖାଇ ଡାକି ନେଇଥିଲ । ଜୀବନର ଅମଡ଼ା ପଥରୁ ସବୁ ଦୁଃଖ କଷ୍ଟ ଭୁଲି ମୁଁ ଚାଲିଥିଲି ଦୁନିଆର ନୂଆ ପଥରେ–ତମର ଆଲୋକ କଣାଟିକୁ ପାଥେୟ କରି । ତମରି ପ୍ରେରଣାରେ କେତେ ବାଟ ଆଗେଇ ଆସିଲି ଆଜି ଜାଣେ ନା–କିନ୍ତୁ ଏତିକି ଜାଣେ ତମରି ଆଦର୍ଶ, ସ୍ନେହ, କରୁଣା ମୋର ଜୀବନର ସବୁ ଅନୁଭୂତିର ପଛେ ପଛେ ଆଲୁଅ ପରି ଖେଳି ବୁଲୁଚି ।

 

ଦୁଃଖ କଷ୍ଟ ଝଡ଼ ବତାସ ଅଙ୍ଗେ ଲିଭେଇ ତମେ ହେଇଚ ମଣିଷ–ପୁଣି ଏଇ ଅବାଞ୍ଛିତ ପରବାସୀ ଜୀବନ ବରି ନେଇଚ ହସି ହସି । ଏଣୁ ତମ ପାଖରେ ମୁଣ୍ଡ ମୋର ଛାଏଁ ଛାଏଁ ନଇଁ ପଡ଼ିଚି ଶ୍ରଦ୍ଧା ଓ ଭକ୍ତିରେ । ପରବାସୀ ଜୀବନର ଦୁଃଖ ଦରଦଭରା କରୁଣ ଅନୁଭୂତିକୁ ମୁଁ ଛାତି ଉପରେ ପକାଇ ଲେଖିଲି ଏଇ କ୍ଷୁଦ୍ର ଉପନ୍ୟାସ ‘ପରବାସୀ’ । ତମରି ହାତରେ ଦେଲି । ତମେ ମୋ ଦେଶର ଶହ ଶହ ଓଡ଼ିଆ ଭାଇଙ୍କ ପରି ହେଇଚ ପରବାସୀ, ତେଣୁ ତମେ ବୁଝିବ ପରବାସୀ ଜୀବନର ପରାଶଭରା ଲୁହ ନିଗଡ଼ା କଥା ।

 

ସ୍ନେହର

ଶୁକ

Image

 

“ମଳିନା ଏ ମାଟି ତୋହରି ମା’ଟି ଜୀବନ ଧାତ୍ରୀ ତୋର

ଉତ୍ତାନେ ପଡ଼ି ରହିଛି ଦିବସ ରଜନୀ ସଞ୍ଜ ଭୋର ।

ବିପୁଳ ଏହାରି ସ୍ତନ୍ୟ ଦାନେରେ ବିପୁଳ ଏହାରି ସ୍ନେହେ

ପୁଷ୍ଟ ହୋଇଚି ଅଙ୍ଗ ତୋହର ବର୍ଣ୍ଣ ଫୁଟିଚି ଦେହେ ।

ଏ ତୋହ ମାଆର ବକ୍ଷ ଉଛୁଳା ଗଭୀର ସେନେହ ଭୁଲି

କେଉଁପରି ଆଜି ଭରସା କରିଚୁ ଯନ୍ତ୍ରଚିତାର ଚୁଲି ।

ଅନା ଅନା ଫେରିବାରେ

ଅନା ଅନା ତୋର ଦୃଷ୍ଟି ଫେରାଇ ମଳିନ ଏ ମାଟି ପରେ ।”

 

ଶ୍ରୀ ରାଧାମୋହନ ଗଡ଼ନାୟକ

Image

 

Image

 

–୧–

 

ରାୟପୁର । ଏ ପାଖରେ ବାରିମୂଳ, ସେ ପାଖରେ ଶନ୍ତପୁରା । ଠିକ ତା’ର ମଝିରେ ଛୋଟିଆ ଗାଁଟି ରାୟପୁର । ପୂର୍ବରେ ବିଶାଳ ଆମ୍ୱତୋଟା–ସୂର୍ଯ୍ୟକିରଣ ପଡ଼େନି ସେଠି । ପଶ୍ଚିମରେ ମଶାଣି–ଖାଲି ହାଡ଼, ମୁଣ୍ଡ, ଅଙ୍ଗାର । ଦକ୍ଷିଣରେ ଗୋବରୀ ନଈ, ସରୁ ପାଣି ଧାର—ଶୀତଳ ମନୋହର । ଉତ୍ତରରେ କେନାଲବନ୍ଧ—ଚଳନ୍ତି ଛବି । ଗାଁର ଚାରିପଟରେ ଛୋଟ ବଡ଼ କେତେ ଗାଁ । ମାଣପୁରା, ଛୋଟି, ମଙ୍ଗଳପୁର, ଠାକୁର ପାଟଣା, ନିକିରାଇ, ଢୋଲ, ଯମରା...ଅସୁମାରୀ ଗାଁ—ମଣିଷ ।

 

ରାୟପୁର ଗାଁଟି ଛୋଟିଆ । ତିରିଶି ଚାଳିଶିଟି ଘର । ଅଧିକାଂଶ ଚାଷୀ । ସାରା ବରଷ ବିଲରେ ଖଟନ୍ତି । ମାଟି ଉପରେ ଫସଲ ହସିଲେ ସେମାନେ ହସନ୍ତି—ଫସଲ ମଉଳିଲେ ସେମାନେ କାନ୍ଦନ୍ତି । ମାଟି ସହିତ ସେମାନଙ୍କର ଜୀବନ ତାଳ ଦେଇ ଚାଲିଚି ।

 

ଗାଁ ମୁଣ୍ଡ ସଜନା ଗଛମୂଳେ ନିଧି ପଧାନର ଘର । ନୂଆଣିଆ ଚାଳ ଘର ଖଣ୍ଡେ–ଦି’ ଚାରି ବଖରା । ଘର ଆଗରେ କେଉଁ ପୁରୁଣା ଅମଳର କୂଅ—ବୟସ ତା’ର ପୂରି ଆସିଲାଣି । ଘରର ଉତ୍ତର ଆଡ଼କୁ ଚଉରା । ଦକ୍ଷିଣକୁ ବାରି—ବେଗୁନିଆ ଶିଝୁବାଡ଼ ବୁଲୁଚି ଚାରିପଟେ । ବାରିତଳକୁ ନିଧି ପଧାନର ଜମି ଦି’ମାଣ । ଗୋଟିଏ ଚକ–ସୁନାଥାଳି ଜମି । ନିଧି ପଧାନର କେତେ ପୁରୁଷର ଜମି ଇଏ କହି ହେବନି । କେବଳ ନିଧି ପଧାନ ଏତିକି ଜାଣେ ତା’ର ବାପ ଦାଦି ଅମଳର ଜମି ଇଏ । ଏହାର ଯୋଗେ ତାଙ୍କରି ସୁଖର ସଂସାର ସବୁବେଳେ ସୁନା ପରି ହସୁଥାଏ ।

 

ନିଧି ପଧାନକୁ ବୟସ ଆସି ଦି’କୋଡ଼ି ପନ୍ଦର ଡେଇଁଲାଣି । ଜୀବନ ଉପରେ ତା’ର ଆଞ୍ଚ ଆସିଲେ ବି ଯଉବନ ତା’ର ମଉଳି ନାହିଁ । ଲୁହା ପରି ମଣିଷଟାଏ–ଦିନରାତି ଖଟି ଯାଏ । ସେ ଜାଣେ ଜୀବନଟା ଖାଲି ଖଟିବା ପାଇଁ ଗଢ଼ା । ଲୁଗା ଖଣ୍ଡିକ ଆଣ୍ଠୁ ଲୁଚେନା । ବାର ଭଜା ତେର ତରକାରୀ ତା’ ଘରେ ହୁଏନା । ମୋଟା ରୋଟା ଯା ଯେତେବେଳେ ମିଳିଲା । କେତେବେଳେ ପଖାଳକୁ ଶାଗ ଭଜା ଟିକେ ନଇଲେ ବା କଞ୍ଚା ଲଙ୍କା ଖଣ୍ଡେ । କେତେବେଳେ ଖାଲି ଭାତ–ବିରି ଡାଲି ଟିକେ । ଉମି ବୋଉ ବି ସେମିତି । ସ୍ୱାମୀର ମନ ଜାଣି ସେ ଘର ସଂସାରର ସବୁ ହାନିଲାଭ ଚଳାଇ ନିଏ ।

 

ସେଇ ଦି’ମାଣ ଜମି ଓ ବାରିରୁ ଯା ଆମଦାନି ହୁଏ—ସେଇଥିରେ ନିଧି ପଧାନର ସଂସାର ଚଳିଯାଏ । କା’ ହାତକୁ ଅନାଇବା ଲୋକ ନିଧିଆ ନୁହେଁ । ସେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଖଟେ । କି ବରଷା କି ଶୀତ । ସବୁ ସେ ପଥର ପରି ଅଙ୍ଗେ ଲିଭେଇ ଖାଲି ଖଟି ଯାଏ । ଗାଁର ଭଲ ମନ୍ଦ, ନ୍ୟାୟ, ନିଶାପରେ ବି ବେଳେବେଳେ ନିଧି ପଧାନକୁ ଡକରା ହୁଏ ।

 

ନିଧି ପଧାନ ତିନିପୁଅ, ଦି’ ଝିଅର ବାପ । କିନ୍ତୁ ଗୋଟି ଗୋଟି ହୋଇ ଦି’ ପୁଅ ଗୋଟିଏ ଝିଅ ନିୟତି ଡାକରାରେ ସେପୁରକୁ ଚାଲି ଯାଇଛନ୍ତି । ଅଛି ଖାଲି ଗୋଟିଏ ପୁଅ ଓ ସବା ସାନ ଝିଅଟି । ପୁଅଟି ନାଁ ଚଇତା–ଝିଅଟି ନାଁ ପାରୀ । ପାରୀ ଦି’ ବରଷ ହେଲା ବାହା ହେଇ ସାରିଲାଣି । ଏ ଭିତରେ ଜନ୍ମମାଟି କେତେଥର ମାଡ଼ି ଶାଶୁଘରକୁ ବାହୁଡ଼ି ଗଲାଣି ।

 

ଚଇତା ଅଠର ବରଷର ଜୁଆନ ଭେଣ୍ଡା । ବାପ ପରି ଲମ୍ବା ବଳିଷ୍ଠ ଚେହେରା । ଦେହର ରଙ୍ଗ ତା’ର କଳା ହେଲେ କ’ଣ ହେବ ଭଅଁର ପରି ଚିକ୍‍କଣ ଗଢ଼ଣଟି ପୁରିଲା ପୁରିଲା ଦେହକୁ ବେଶ୍ ମାନେ ।

 

ପାରୀ ବାହାଘର ସରିଲା । ନିଧି ପଧାନ ମୁଣ୍ଡରୁ ଗୋଟିଏ ବୋଝ ସିନା ଖଲାସ ହେଲା–ପୁଣି ଆଉ ଗୋଟିଏ ବୋଝ ମାଡ଼ି ଆସିଲା । ପୁଅ ବାହାଘର ପାଇଁ ନିଧି ପଧାନ ମୁଣ୍ଡ ଘୁରେଇଲା । ବୁଲି ବୁଲି ଶେଷକୁ ପାଟପୁର ଗାଁର ବରଜୁ ରାଉତ ଘରେ ସମ୍ୱନ୍ଧ ପଡ଼ିଲା । ବରଜୁ ରାଉତର ବଡ଼ ଝିଅ କନକ—ଦେଖିବାକୁ କି ସୁନ୍ଦର !

 

ସୁନାପରି ଦେହ—ମୁହଁଟି ଗୋଲ ଠିକ୍ ପୁନେଇ ଚାନ୍ଦ ପରି । ଭସାଣିଆ ଆଖି ଗୋଟିଏ ଚାଉଳରେ ଗଢ଼ା । ଦେଖିଲେ ଘଡ଼ିଏ ମନ ପୂରେଇ ଚାହିଁବାକୁ ଇଚ୍ଛା ହୁଏ ।

 

ସେଇଆକୁ ନିଧି ପଧାନ ତା’ ଘରର କୁଳଲକ୍ଷ୍ମୀ କରି ଆଣିବାକୁ ସ୍ଥିର କଲା । କିନ୍ତୁ ଚଇତା ସେଠି ବାହା ହବାକୁ ମଙ୍ଗିଲା ନାହିଁ । କିଏ ତାକୁ କହିଲା ଦେଖିବାକୁ କାଳୀଟାଏ । ଚଇତାର ଷୋଳପଣ ଇଚ୍ଛା ଥିଲା ତାଙ୍କରି ଗାଁରେ ମଦନି ଜେନା ଝିଅ ନୟନୀକି ବାହା ହେବାକୁ ।

 

ନୟନୀ—ପଦ୍ମ ଫୁଲପରି ଢଳ ଢଳ ସୁନ୍ଦରୀ ନୟନୀ । ଚଇତା ତାକୁ ପିଲାବେଳୁ ଦେଖିଆସିଚି ଅତି ଆପଣାର ପରି । ମନେ ମନେ ଛପି ରହିଛି କେତେ ଆଶା—କେତେ ଅଜଣା ବାସନା । ନୟନୀକି ଯେବେ ସେ ବାହା ହୁଅନ୍ତା ତେବେ ତା’ର ଏଇ ପୁରିଲା ପୁରିଲା ଗୋରା ତକ ତକ ଗାଲରେ ବହେ ଚୁମ୍ୱନ ଦେଇ ଭିଡ଼ି ନିଅନ୍ତା କୋଳକୁ । ପରକ୍ଷଣରେ ମନର ବାସନା ହଜିଯାଏ କାହିଁ କେତେ ଦୂରରେ । ଅତୀତର ସୁଖ ମୁଖର ସ୍ମୃତି ଗୁଡ଼ା ଖାଲି ଉଙ୍କିମାରେ ମନରେ । ଚଇତାର ସାରା ଶରୀର ତୀବ୍ର ବେଦନାରେ ଭରିଉଠେ ।

 

ଦିନକର କଥା ।

 

ସବୁଦିନ ପରି ସୁରୁଯ ଦେବତା ଲୁଚିଗଲେ ଦୂର ପାହାଡ଼ ସେ ପଟରେ । ଗାଁ ଗଣ୍ଡା, ବିଲ ବାରି, ନଈନାଳ, ସବୁଆଡ଼େ ଛିରିକି ପଡ଼ିଲା କେତେ ରଙ୍ଗ । ସେ ପାଖରେ ଧରା ସୂର୍ଯ୍ୟ ବିଦାୟ ନେଲେ । ଦିବସର କେତେ ଇତିହାସ, କେତେ ସକରୁଣ ଅଭିବ୍ୟକ୍ତ ଭିଭିଗଲା ଦୂର ବନାନୀର ଅସ୍ତରାଗ ଭିତରେ—ଜୀବନର ସବୁକଥା ଯେପରି ମରି ମରି ଆସେ ମରଣର ସୀମାହୀନ ଅନ୍ଧକାର ତଳେ । ଜ୍ୟୋତ୍ସ୍ନାର କଅଁଳ ଆଲୁଅରେ ଘର ଦୁଆର ଚିକ୍‍କଣ ଜରି ଶାଢ଼ି ପିନ୍ଧି ହସି ଉଠିଲା ।

 

ସଞ୍ଜପହର ଗଡ଼ି ଗଲାଣି ! ଚଇତା ମନଖୁସିରେ ଯାଇଁ ନୟନୀ କତିରେ ପଦଞ୍ଚିଲା । ନୟନୀର ବୋଉ ଘରେ ନାହିଁ—ବାପା ଯାଇଚି ଗାଁ ଶାମ ସେଣ ଘରକୁ । ଚଇତାକୁ ଦେଖି ନୟନୀ କଥା କହିଲା ନାହିଁ । ଚଇତାର ଦୋଷ ହେଇଚି—ସେ ଚାରିଦିନ ହେଲା ନୟନୀ କତିକି ଆସି ନାହିଁ-। ନୟନୀର ବାପ ମା ଚଇତାକୁ ଆପଣାର ପରି ଦେଖନ୍ତି । ବେଳେ ବେଳେ କୁହନ୍ତି ନୟନୀ-ସାଙ୍ଗରେ ଯଦି ଚଇତାର ବାହାଘର ହୁଅନ୍ତା ତେବେ ବାରିବାକୁ କେହି ନଥାନ୍ତା । ଚଇତା ନିଇତି ଆସେ ନୟନୀ କତିକି । ନୟନୀର ବାପ, ମା ବାଧା ଦିଅନ୍ତି ନାହିଁ । ସେ ମନେ ମନେ ଠିକ୍ କରିଚନ୍ତି ନୟନୀକି ଦିନେ ଚଇତା ହାତରେ ସମର୍ପି ଦେବେ । ନୟନୀର ରୋଷ ଦେଖି ଚଇତା କହିଲା, ନୟନୀ କଥା କହିବୁ ନାହିଁ ? ତଥାପି ନୟନୀ ଅଟଳ । ଚଇତା ରାଗରେ ଫେରି ପଡ଼ି ଆସୁ ଆସୁ ଦୁଆର ବନ୍ଧଟା ତା’ ମୁଣ୍ଡରେ ପିଟି ହୋଇଗଲା । ମୁଣ୍ଡଟା ଫାଟି ଖାଲି ରକ୍ତ ବୋହିଲା । ‘ଉହୁଁ’ ବୋଲି କହି ଚଇତା ବସି ପଡ଼ିଲା । ନୟନୀ ଛୁଟି ଆସିଲା । କହିଲା, ଚଇତା ଭାଇ, କ’ଣ ହେଲା ? ଚଇତା ନୟନୀକୁ ଦୂରକୁ ଠେଲି ଦେଇ କହିଲା, କାହିଁକି ତୁ ପରା କଥା କହୁ ନଥିଲୁ—ପୁଣି କାହିଁକି ମୋ କତିକି ଆସୁଚୁ । ନୟନୀ ଦେଖିଲା ଚଇତା ଭାଇ ମୁଣ୍ଡରେ ରକ୍ତ । ଆଖି ତା’ର ଲୁହ ଛଳ ଛଳ ହେଇ ଆସିଲା । ବାଧା ନ ମାନି ସେ ଚଇତା ଭାଇ ମୁଣ୍ଡରୁ ନିଜ ଲୁଗା କାନିରେ ରକ୍ତ ପୋଛିବାକୁ ଲାଗିଲା । ଚଇତା କହିଲା, ନୟନୀ ତୁ ମୋତେ ଗାଳି ଦେଲୁ କି ? ନୟନୀ ଆଖିରୁ ଝରି ପଡ଼ିଲା ଲୁହ ତମକୁ ତେବେ କେଉଁଦିନ ଗାଳି ଦେଇଚି ଚଇତା ଭାଇ ? ଚଇତାର ମନ ନଇଁ ପଡ଼ିଲା ସ୍ନେହରେ । ସେ ନୟନୀ ଆଖିରୁ ଝରି ପଡ଼ିଥିବା ଲୁହ ପୋଛି ଦେଇ କହିଲା, ନୟନୀ କାନ୍ଦୁଚୁ କାହିଁକି—ମୁଁ ସେମିତି ତୋ ମନ ବିଡ଼ିବାକୁ କହୁଥିଲି ନା । ନୟନୀକି କୋଳରେ ଚାପି ଧରିଲା ଘଡ଼ିଏ କାଳ । ନୟନୀ ଲତାଟିପରି ଚଇତା କୋଳରେ ଛନ୍ଦିହେଇ ପଡ଼ିଲା ।

 

ଦିନ ଗଡ଼ିଯାଇଚି । କେତେ ଜହ୍ନରାତି ହଜିଯାଇଚି ଚଇତା ନୟନୀର ବୁକୁ ଉପରେ । ଚଇତାର କେତେ ତାତିଲାପରଶ ନୟନୀର ଛାତି ଉପରେ ବାଜିଛି । ଦିନ ଦିନକର କଥା—କାହିଁ କେତେ ଦୂରରେ ହଜିଯାଏ, ଆଉ ପୁଣି ଥରେ ମିଳେନା । ତା’ରି ସ୍ମୃତିର ଶେଷ ସୌରଭଟିକ ଖାଲି ଜୀଇରହେ କାଳକାଳକୁ । ଚଇତା—ନୟନୀ । ଗୋଟିଏ ବୃନ୍ତରେ ଦୁଇଟି ଫୁଲ ପରି ହସି ଉଠିଥିଲେ । କିଏ ଜାଣେ—ଦୂରନ୍ତ କାଳ କୀଟ ଦୁହିଁଙ୍କ ସୁନା ସପନକୁ ଚୂନା କରି ଭାଜି ଦେବ ବୋଲି ।

 

ଦିନେ ନିଧି ପଧାନ ବାରି ବଗିଚା ଧଡ଼ା ମେଲାଥିଲା । ଯୋଗକୁ ମଦନ ଜେନାର ଓଲେଇ ଗାଈ ଦି’ଟା ଯାଇଁ ବଗିଚା ଭିତରେ ପଶି କେତେ ଫସଲ ସବୁ ନଷ୍ଟ କରିଦେଲା । ଆଷାଢ଼ ମାସ ।

 

ନିଧି ପଧାନ ଦିହ ମିହନ୍ତ କରି ବଗିଚାରେ ଜହ୍ନି, ଭେଣ୍ଡି, କାକୁଡ଼ି, ଶାଗ ଇମିତି ବାରରକମର ଫସଲ ଲଗାଇଥାଏ । ନିଧି ପଧାନ ହାତ ବାଜି ବାରି ବଗିଚା ସବୁବେଳେ ହସୁଥାଏ-। ନିଧିଆ ସେଇଆକୁ ଦେଖିଲେ ତା’ ପେଟ ପୂରି ଉଠେ । ଘରେ ଖାଇ ଯା ଉପୁରି ଆମଦାନି ହେବ ତାକୁ ଗାଁ ହାଟରେ ବିକି ଘର ଖରଚ ମେଣ୍ଟାଇବ । କିନ୍ତୁ ଦେଖିଲା ବେଳକୁ ସବୁଶେଷ । ମଦନି ଜେନାର ଓଲେଇ ଗାଈଟା ପଶି ସବୁ ଫସଲ ନଷ୍ଟ କରି ଦେଇଚି । ନିଧିଆର ମୁଣ୍ଡ ବିଗିଡ଼ି ଗଲା-। ରାଗରେ ମଦନି ଜେନାର ସାତ ପୁରୁଷ ଉଦ୍ଧାର କଲା । ତଥାପି ତା’ର ରାଗ ଶାନ୍ତି ହେଲା ନାହିଁ-। ମଦନି ଜେନା ନିଜ ଗାଁ ଲୋକ—ପଡ଼ୋଶୀ । ରାତି ପାହିଲେ ମୁହଁ ଚାହାଁ ଚାହିଁ-। ସବୁ ସେ ଭୁଲିଗଲା । ଗାଈ ଦି’ଟାକୁ ନେଇ ପାଖ ଗାଁ କାଞ୍ଜିହାଉସରେ ସାଙ୍ଗେ ସାଙ୍ଗେ ଛାଡ଼ି ଦେଇ ଆସିଲା-

 

ମଦନି ଜେନା ଶୁଣିଲା । କ’ଣ କରିବ—ନିଜର ଭୁଲ । ଗାଈ ଦି’ଟାକୁ ଘରେ ବାନ୍ଧି ରଖିଥିଲେ ଆଉ ଏତେ କଥା ହୋଇ ନଥାନ୍ତା । ଗରିବ ବିଚରା—କେତେ କଷ୍ଟରେ ଟଙ୍କା ତିନିଟା ଅକାରଣରେ ଗଣି ଗାଈ ଦି’ଟାକୁ ମୁକୁଳେଇ ଘରକୁ ଫେରିଲା । ମନେ ମନେ କହି ହେଲା, ନିଧି ପଧାନକୁ ସେ ଭାଇ ପରି ଦେଖେ । ଭଲ ମନ୍ଦରେ ସବୁବେଳେ ତା’ରି କତିକି ଛୁଟିଯାଏ । ପୁଣି ତା’ରି ଝିଅ ନୟନୀକି ଚଇତା ହାତରେ ଦେବ ବୋଲି କେବେଠୁ ମନେ ମନେ ଠିକ୍‍ କରି ସାରିଚି–ଏତକ ମୁହଁମୋତ ଟିକେ ନିଧିଭାଇ ରଖିଲା ନାହିଁ ! ଆଉ ବନ୍ଧୁ ବାନ୍ଧିଲା ବେଳ ତ ଅଛି । ମଦନି ଜେନା ମୁଣ୍ଡଟା ବିଗିଡ଼ିଗଲା । ସେଇଦିନଠୁ ଚଇତାକୁ ତା’ଘର ମାଡ଼ିବାକୁ ମନା କଲା ।

 

ଚଇତା ଯେତେ ବୁଝାଇଲା–ମଦନି ବୁଝିଲା ନାହିଁ । ଏକବାଗିଆ ଲୋକଟା—ଯା ବୁଝିଥିବ ସେଇଆ । ସାମାନ୍ୟ ଘଟଣାରୁ ନୟନୀ ଚଇତାର ସବୁ ସୁଖ ସରାଗ ପୋଡ଼ି ପାଉଁଶ ହୋଇଗଲା ।

 

ଚଇତା କିନ୍ତୁ ନୟନୀକି ଭୁଲି ପାରିଲା ନାହିଁ । ସବୁବେଳେ ତାକୁ ଦେଖିବାକୁ ତାଙ୍କ ଘର ବାଟେ ବାଆଁରେଇ ଯିବା ଆସିବା କରେ । ବେଳେବେଳେ ସେ ନୟନୀକି ଦେଖେ କବାଟ କଣରୁ–ବେଳେବେଳେ କୂଅ ମୂଳେ–ଚଉଁରା କତିରେ । ନୟନୀ ଚାହିଁ ରହେ ଚଇତାକୁ–ଆଖିରେ ତା’ର ଲୁହ ଭରି ଆସେ । ଚଇତାର ହୃଦୟରେ କିଏ ହାତୁଡ଼ି ଧରି ପିଟେ । ଇମିତି ସେ ନୟନୀକି ଦୂରରୁ, ଦେଖି ଫେରେ ।

 

ଚଇତା ଜିଦ୍ ଧରି ବସିଲା ସେ ସେଠି ବାହା ହେବନି, କିଏ ତାକୁ ମିଛରେ କହିଲା, ବରଜୁ ରାଉତ ଝିଅଟା ଜହ୍ନି ମଞ୍ଜି ପରି କାଳୀ—ଅସୁନ୍ଦରୀଟାଏ । ବାପା ତା’ର ଅନେକ ବୁଝାଇଲା–ସେ ବୁଝିଲା ନାହିଁ । ନିଧି ପଧାନ ମନଟା ଦୁଃଖରେ କରତିହେଲା । ସେ ଖାଇଲା ପିଇଲା ନାହିଁ । ବୋଉ କହିଲା, ଚଇତା, ବାପ ସିଏ ତୋର, ସେ କ’ଣ ତୋତେ ଭଲରେ ଘର କରିବାକୁ କି ସୁଖରେ ରହିବାକୁ ଚାହେଁନା । ଛିଃ ଧନଟା ପରା—ବାପ କଥାରେ ଅମତ ହୋନା । ତାଙ୍କ ମନ ଦି ଦିନ ହେଲା ଭଲ ନାହିଁ । ଯା ତାଙ୍କ ମନରେ ଟିକିଏ ଶାନ୍ତି ଦେ । ଆମର ଦିନକାଳ ତ ପୂରିଆସିଲାଣି । ଆଉ କେଇଟା ଦିନ ତୋରି ହସ ଖେଳର ସଂସାର ଦେଖି ଟିକିଏ ସୁଖରେ କଟୁ । ଚଇତାର ବିଗିଡ଼ା ମନଟା ବାଟକୁ ଫେରିଲା ।

 

ଗଲା ବରଷ ଫଗୁଣ ମାସରେ ଚଇତାର ବରଜୁ ରାଉତ ଝିଅ କନକ ସାଥୀରେ ବାହାଘର ହେଇଗଲା । ବାହାଘର ସାରି ନିଧି ପଧାନ ଟିକିଏ ଶାନ୍ତିରେ ନିଶ୍ୱାସ ମାରିଲା । ଗାଁ ଗୋଟାକରେ ଚହଳ ପଡ଼ିଲା ନିଧି ପଧାନ ବୋହୂଟି ଲକ୍ଷ୍ମୀ ପରି । ଖୁଣିବାକୁ କେହି ନାହିଁ । ନିଧି ପଧାନ, ଉମି ବୋଉ ଛାତି ଗର୍ବରେ ଫୁଲି ଉଠିଲା । ଆଉ ଚଇତା—ତା’ର ଅବୁଝା ମନଟା ଘର ଧରିଲା । ଅତୀତର କ୍ଷଣିକ ଉତ୍ତେଜନାର ଭୁଲ ପାଇଁ ଅନୁତାପ କଲା ।

 

ମଧୁଶଯ୍ୟା ରାତି । ଗାଁ ଲେଖାରେ ଯିଏ ଭାଉଜ ହେବେ—ସେ ହସି ହସି ଆସି ଆଗେ ଚଇତାକୁ ଘରେ ଛାଡ଼ିଦେଇ ଗଲେ । ଆଉ କହିଲେ, ଦେଖ କାଳୀ ବୋହୂ ବୋଲି ଯିମିତି କରଛଡ଼ା ନଦିଅ । ଚଇତା ମୁହଁରେ ଫୁଟି ଉଠିଲା—ପରିତୃପ୍ତିର ହସ । ଟିକିଏ ପରେ ଚଇତା କତିରେ କନକକୁ ଆଣି ଭାଉଜ ଛାଡ଼ିଦେଇ ଗଲେ । କନକ ଆସୁ ନଥିଲା—ଘଡ଼ିଏ ଜିଦ୍ କଲା । ଭାଉଜ ବୋଉ ଶେଷକୁ ଟାଣି ଟାଣି ଆଣି ଚଇତା ହାତମୁଠାରେ ତା’ ହାତ ଧରାଇ କହିଲା, ନିଅ ତମର କନକକୁ—ଏବାର ମୋର ଛୁଟି । ଭାଉଜ ହସି ହସି କବାଟ ଆଉଜାଇ ନେଲେ ।

 

ଶୁକ୍ଳ ପକ୍ଷ ! ଦଶମୀ ଜହ୍ନର ମେଘ ମଉଳା ଫିକା ଆଲୁଅ ବାତାୟନ ଦେଇ ଘରେ ପଡ଼ିଚି ଏଣେ ତେଣେ । ରୁଦ୍ଧ କକ୍ଷରେ ଦୀପଟି ଜଳୁଚି—କ୍ଷୀଣ ଅତି କ୍ଷୀଣ । ଚଇତାର ହାତମୁଠାଟି ଖୋଲିଗଲା । କନକ ହାତଟା କାଢ଼ି ଟିକିଏ ଦୂରକୁ ଘୁଞ୍ଚିଗଲା । ଘଡ଼ିଏ ନୀରବ—ପ୍ରଦୀପ ନିସ୍ତେଜ–ନିଷ୍ପ୍ରଭ । ଚଇତା ଛାତି ଭିତରେ ଅଜଣା ସ୍ପନ୍ଦନ । ଧୈର୍ଯ୍ୟର ବାଲିବନ୍ଧ ଭାଙ୍ଗିଗଲା । ପାଗଳ ପରି ଚଇତା ଟାଣି ଆଣିଲା କନକକୁ ନିଜ କୋଳକୁ । ଓଢ଼ଣା ମୁହଁରୁ ଟାଣି ଦେଲା । କନକ ଦେହରୁ ଲୁଗା ଫାଳେ ଖସି ପଡ଼ିଲା । କନକର ସୁନ୍ଦର ରୂପଛବି ଦେଖି ଚଇତା ଭୁଲିଗଲା ନିଜକୁ । କନକ ଅଭିମାନିନୀ ପରି କହିଲା, କାହିଁକି–ମୁଁ ତ କାଳୀ–ଅସୁନ୍ଦରୀଟାଏ, ମୋ ସାଙ୍ଗରେ କାହିଁକି ଲାଗିଚ-। କନକର ଅଭିମାନଭରା ପ୍ରଶ୍ନର ଉତ୍ତର ଦେବା ଅବସ୍ଥାରେ ଚଇତା ନଥିଲା । ଝରକା ଦେଇ ଝଲକାଏ ପବନ ବହି ଆସିଲା । ଦୀପଟା ଲିଭିଗଲା । ତା’ପରେ ସବୁ ଅନ୍ଧାର—ଅନ୍ଧାରରେ ଦୁଇଟି ଅତୃପ୍ତ ଆତ୍ମା ହଜିଗଲା କାହିଁ କେତେ ଦୂରରେ–କଳ୍ପନା ରାଇଜର ସରଗ ସେ ପଟରେ ।

 

କନକକୁ ପାଇ ଚଇତା ଭାରି ଖୁସି । ସବୁବେଳେ ମନଟା ତା’ର ପ୍ରାଣ ପୂରାଇ ଦେଖିବାକୁ ଛଟପଟ ହୁଏ । ବାରିତଳ ଜମିରେ ହଳ କରୁ କରୁ କରୁ କେତେବେଳେ ଚଇତା ଛୁଟି ଆସେ ପାଣି ପିଇବା ବାହାନାରେ କନକକୁ ଦେଖିବାକୁ । କନକ ହସି ହସି ପାଣି ନେଇ ଛୁଟି ଆସେ । ବିଚିଣିଟା ଧରି ଘଡ଼ିଏ ବିଞ୍ଚିଦିଏ । ଟିକିଏ ନିଶ୍ୱାସ ମାରି ବାହୁଡ଼ିଯାଏ ।

 

ପୁଣି ସେ କାମରେ ଲାଗେ–ଢଳି ଢଳି ମାତାଲ ପରି । ବେଳେବେଳେ ମନ ଖୁସିରେ ଗାଇଦିଏ ଉପଇନ୍ଦ୍ର ଭଞ୍ଜଙ୍କ ଛାନ୍ଦରୁ ପଦେ—ବେଳେବେଳେ ଭୀମ ଭୋଇ ଭଜନରୁ ପଦେ । ମନଟା ଯେତେବେଳେ ପବନ ପରି ଚଞ୍ଚଳ ଫୂର୍ତ୍ତି ଥାଏ–ସେତେବେଳେ କେତେ ଆଡ଼େ ଉଡ଼ି ଉଡ଼ି ଧାଏଁ କଳନା କରି ହୁଏନା । ଚଇତା କନକକୁ ପାଇ ସବୁ ଭୁଲିଯାଏ ।

 

ପୁଅ, ବୋହୂ, ଭାରିଜାକୁ ନେଇ ନିଧି ପଧାନ ଚାରିଜଣ । ଇମିତି ତା’ର ଛୋଟିଆ ସଂସାରଟି । ନାହିଁ ଦୁଃଖ, ନାହିଁ ବଡ଼ ଲୋକର ଭୋଗ ବିଳାସର ଚିହ୍ନ । ଉପରେ ନେଳିଆ ଆକାଶ, ଉଦାର ପ୍ରଶାନ୍ତ—ତଳେ ଶ୍ୟାମଳ ଧରିତ୍ରୀର ମାଟି—ସବୁଜ, ସୁନ୍ଦର । ତା’ରି ଉପରେ କେତେ ମହାଦେଶ, ଦେଶ, ପ୍ରଦେଶ କେତେ ଗାଁ—ତା’ ଭିତରେ ପୁଣି ଛୋଟିଆ ଗାଁଟି ରାୟପୁର । କୋଉ ଗାଁରେ ଲେଖା । ନହେଉ ପଛେ ବଡ଼—ହେଉ ପଛେ ଅଜଣା ଅଶୁଣା ତଥାପି ସେ ଗାଁଟି ତା’ର ଅତି ଆଦରର । ସେଇଠି ସେ ଜନ୍ମ ହେଇଚି । ଜନ୍ମ ମାଟିର ମମତା ଘେନି ବଡ଼ ହେଇଚି । ତା’ର ପୂର୍ବପୁରୁଷ କେତେ ସେଇ ଗାଁକୁ ଅଢ଼େଇ ଦିନ ପାଇଁ ଆସି ମରି ହଜିଗଲେ । ସେ ବି ଦିନେ ଯିବ ।

 

ନିଧି ପଧାନ ଭାବେ, ଜୀବନଟା ଅଲୋଡ଼ା, ଅସାର । ବଞ୍ଚ ରହିବାରେ କାହିଁ ଆନନ୍ଦ—କାହିଁ ଜାଗରଣ ! ଖାଲି ସ୍ୱପ୍ନ—ଜୀବନଟା ଗୋଟାଏ ବିରାଟ ସ୍ୱପ୍ନ ତୁଟିଗଲେ ସବୁଶେଷ, ତା’ପରେ ଅସ୍ଥିତ୍ୱ ହଜିଯାଇଥିବ ଗୋଟାଏ ବିରାଟ ମରିଚୀକା ପରି ।

 

ତା’ର ବଡ଼ ଝିଅ ଉମି—ଦି’ପୁଅ ରତନା, ସୁଦାମ । କାହାନ୍ତି ସେ ସବୁ ଆଜି ? ସବୁ ଆସିଚନ୍ତି ପୁଣି ଚାଲିଯାଇଛନ୍ତି ଦୂର ଦିଗ୍‍ବଳୟ ସେପଟକୁ । ନିଧି ପଧାନ ସେଇ ଆଡ଼କୁ ଚାହିଁ ବସି ବସି ଭାବେ—ଯେଉଁଠି ସରଗ ଛୁଇଁଚି ମାଟି, ଆକାଶ ଅବନୀର କୋଳାକୋଳି । ତିନୋଟି ପିଲାଙ୍କର ହସ ହସ ମୁହଁ—ଦରୋଟି ବଚନ କାନରେ ବାଜି ଉଠେ । ଚହଲି ଉଠେ ଭାବନା—ଆଖିରୁ ତା’ର ଝରିପଡ଼େ ଲୁହ ।

 

ପୁଣି ଭାବନା ବଦଳେ । ଆଖି ଆଗରେ ଭାସି ଉଠେ ତାରି ସୁନାର କ୍ଷେତ—ଛୋଟିଆ ସଂସାର । ଚଇତା ପରି ତା’ର ପୁଅ ଅଛି—ପାରୀ ପରି ଝିଅ—କନକ ପରି ବୋହୂ—ଆଉ ଭଙ୍ଗା ହାଡ଼, ଭଙ୍ଗା ଜୀବନର ସାଥି ଉମିବୋଉ । ରଙ୍ଗୀନ ଅତୀତ ନାଚି ଉଠେ । ମନ ଧାଏଁ । କାହିଁ ଅତୀତ—କାହିଁ ବର୍ତ୍ତମାନ । ଉମିବୋଉର ଯଉବନ-ବସନ୍ତ ବିଦାୟ ନେଇଚି—ଅଛି କେବଳ ଅଧମଉଳା ଜୀବନଟା । କେବେ କେତେବେଳେ ଢଳି ପଡ଼ିବ—ଗୋଧୂଳୀର ଅସ୍ତରାଗ ଭିତରେ ଜୀବନର ଶେଷ ଆଲୋକକଣା ଟିକକ ହଜିଯିବ—ଛାତିଧରା ଅନ୍ଧକାର ପରଶରେ । ତା’ପରେ ଜୀବନରେ କେବେ ସୂର୍ଯ୍ୟ ଉଠିବ—କିଏ ଜାଣେ ?

 

ଭାବନାର ସ୍ୱପ୍ନ ରାଇଜରୁ ଫେରିଆସେ ନିଧି ପଧାନର ମନ । ଆଖି ଆଗରେ ବିରାଟ ଦୁନିଆଁ—କେତେ ଘର, କେତେ ମଣିଷ । ସବୁଜ ଧାନକ୍ଷେତ ତା’ର ହସି ଉଠିଚି । ଭରା ଫସଲ, ଧାନ କ୍ଷେତର ବାସନାରେ ତା’ର ଅନ୍ତର ଆଶା ଓ ଉଲ୍ଲାସରେ ମହକି ଉଠୁଚି । ସେ ଭାବେ ବଞ୍ଚିବାରେ ଆନନ୍ଦ ଅଛି–ସୁଖ ଅଛି । ଲୀଳାୟିତ ସ୍ୱପ୍ନ ଯାଏ ଭାଜି—ସେ କାମରେ ଲାଗେ—ଦିନୁ ଦିନ ।

 

ଚକ ଘୂରିଚାଲେ । କେତେ ବରଷ, କେତେ ମାସ, କେତେ ଦିନ ତିଆର ହୁଏ । ପୁଣି ହଜିଯାଏ ମଉଳା ଫୁଲର ଝରା ପାଖୁଡ଼ା ପରି ଅମଡ଼ା ଦୁନିଆର ଅସରନ୍ତି ପଥରେ । ସମୟର ବାଲି ଉପରେ ଖାଲି ତାରି ଚିହ୍ନ ରହିଯାଏ ।

 

–୨–

 

ବୈଶାଖର ଖଇ ଫୁଟା ଖରା । ଶୁଖିଲା ପୃଥିବୀ—ଚାରିଆଡ଼େ ହତଶିରୀ ଖାଲି ଖାଁ ଖାଁ-। ନିଛାଟିଆ ଦି ପହରେ ସାଇଁ ସାଇଁ ଝାଞ୍ଜି ପବନ ବହି ବାଟୋଇର ତଣ୍ଟି ଶୁଖାଇ ଦେଉଚି-। ଚଇତ୍ର ଶେଷରୁ ଗାଡ଼ିଆ ଝୋଲରୁ ପାଣି ଶୁଖିଯିବାକୁ ବସିଲାଣି । ଗଛ ଲତାର କଅଁଳ ଛନଛନ ଦେହ ଝାଉଁଳି ପଡ଼ିଲାଣି । ପକ୍ଷୀଗୁଡ଼ାକ ଆଁ କରି ପତର ଗହଳିରେ ନିଜକୁ ଖରା ତାପରୁ ଲୁଚାଇ ବସିଚନ୍ତି-

 

ମରିଚୀକା ଦୂରରେ ଝିଲିମିଲି ହୋଇ ନାଚୁଚି—କେଡ଼େ ସୁନ୍ଦର ଦିଶୁଚି ସତେ ! ପଥଚଲା କ୍ଳାନ୍ତ ପଥିକ ଚାଲିଚି କିନ୍ତୁ ଆଶା ତା’ର ମରିଯାଉଛି । ଦେହରୁ ଝାଳ ପୋଛି ଭାବୁଚି ପଥ ମୋର କେବେ ସରିବ । ଖଣ୍ଡିଆଭୂତ ବିଲର ଶୁଖିଲା ନଡ଼ା ରାସ୍ତାର ଧୂଳୀ ଓ ଶୁଖିଲା ପାଚିଲା ପତର ଗୋଟାଇ ଗୋଟାଏ ଖମ୍ୱ ତୋଳୁଚି ଆକାଶକୁ । ଅକ୍ଷିତୃତୀୟା ଗଲାଣି ଦି’ ଦିନ ହେବ—ତଥାପି ଆକାଶରେ ଖଣ୍ଡେ ବଉଦର ଦେଖା ନାହିଁ । ଚାଷୀ କୂଳ ଆଁ କରି ଅନାଇଛନ୍ତି, ଜମି ଆଉ କେବେ ହଳ ହେବ । ଚାରିଆଡ଼େ ହାହାକାର—ବୁକୁଫଟା ତାତିଲା ନିଶ୍ୱାସ ।

 

ନିଧି ପଧାନ ଦେଖୁଚି ଏ ବରଷ ଆଉ ଭଲ ଫସଲ ହେବାର ଆଶା ନାହିଁ । ମୁଣ୍ଡଟା ତା’ର ଘୂରାଇ ଦେଉଚି । ଗଲା ସନ ଚଇତାକୁ ବାହା କରିଚି—ଦି’ ଶହ ଟଙ୍କା କରଜ । ଭାବିଥିଲା ଏ ବରଷ ଘର ଖର୍ଚ୍ଚ ମେଣ୍ଟାଇ ଯା ଉପୁରି ଆମଦାନୀ ହେବ ସେଇଆକୁ ବିକି ସେ ଦେଣା ସୁଝି ଦେବ । କିନ୍ତୁ କାହିଁ ତା’ର ଆଶାର ଫଳ ।

 

ଆଶା—ମଣିଷର ଆଶା ଏଇ ଆକାଶ ପରି ବିରାଟ, ମହାନ । କେଇଟା ଦିନକୁ କେତେ କଥା—କେତେ ଭାବନା । ଭବିଷ୍ୟତ ନାଚି ଉଠେ–ଆଶାର ମାୟା ମୃଗ ଦଉଡ଼େ ତାରି ପଛେ ପଛେ । କେତେବେଳେ କେଉଁ ଅଜଣା ଆଲୋକିତ ପଥରେ ଜୀବନଟା ଯାଇଁ ପଡ଼େ—କେତେବେଳେ ନିରାଟ ମରୁଭୂମିରେ ନିରାଶାର ଝଡ଼ ଉଠେ । ବ୍ୟର୍ଥ ଜୀବନ ନଇଁପଡ଼େ ହତାଶର ଦୂର ଦିଗ୍‍ବଳୟ ସେ ପଟରେ । ଜ୍ୟେଷ୍ଠ ଅଧାଅଧି ବେଳକୁ ଆକାଶରେ ଖଣ୍ଡେ ବଉଦ ଦେଖା ଦେଲା । ଅସରାଏ, ଅସରାଏ ବର୍ଷା ହେଲା—ଜୀବନ ପଶିଲା ପୃଥିବୀ ଦେହରେ । ନିଧି ପଧାନର ଭଙ୍ଗା ହୃଦୟରେ ଶୀତଳ, ସ୍ନିଗ୍‍ଧ ପରଶ କିଏ ବୁଲାଇ ଦେଲା । ତଥାପି ତା’ ମନରେ ଅଶାନ୍ତି । ଯୋଉ ବର୍ଷା ଅସରାଏ ହେଲା କୁଆଡ଼କୁ କାମରେ ଆସିଲା ନାହିଁ—ପୁଣି ଟାଇଁଟାଇଁଆ ଖରା ।

 

ଦିନେ ସଞ୍ଜବେଳେ । ଦିଗ ହଜା ନିବୁଜ ଅନ୍ଧାର ତଳେ ନିଧି ପଧାନର ଘର ଦୁଆର ହଜି ଯାଇଛି । ଦାଣ୍ଡ ପିଣ୍ଡାରେ ଦିକି ଦିକି ଜଳୁଚି ଲଣ୍ଠନଟା–ପୁରୁଣା ସାତଚିରା ମସିଣା ଉପରେ ବସି ବସି ନିଧି ପଧାନ ଭାବୁଚି ଜୀବନର ଅନାଗତ ଦିନର କଥା । ଏତିକିବେଳେ ଗାଁର ଭୋଳି ସାମୁଲ ଆସି ପହଞ୍ଚିଲା ।

 

ନିଧିଆ ପଚାରିଲା, କି ସାମୁଲ ପୁଅ, କୁଆଡ଼େ କି ? ସାମୁଲ ହସି ହସି କହିଲେ, କାଲି ଯାଉଚି କଲିକତା—ଯାଉଥିଲି ଏହି ବାଟେ–ଭାବିଲି ପଧାନ ପୁଅକୁ ଟିକେ ଦେଖା କରି ଯାଏ । ପୁଣି କେବେ ଭାଗ୍ୟରେ ଥିଲେ ବରଷେ ଛ ମାସରେ ଗାଁକୁ ଲେଉଟିବା କଥା—ନଇଲେ ନାହିଁ । ପଧାନେ କଅଁଳେଇ ପଚାରିଲେ, ଆଚ୍ଛା ସାମୁଲେ, କଲିକତା ଚାକିରିରୁ ଆମଦାନୀ କିମିତି ହେଉଚି–ବେଶ୍ ଭଲ ତ ? ସାମୁଲ କହିଲେ, ହଁ ପଧାନେ ବେଶ୍ ଦି’ ପଇସା ହୁଏ । ଯୋଉ ହାଡ଼ଭଙ୍ଗା ଖଟଣି । ବେଳେବେଳେ ଦିକ୍‍କାର ଲାଗେ । ପଧାନେ କହିଲେ, ପରିଶ୍ରମ ନକଲେ ଲକ୍ଷ୍ମୀ ଆସେନା ସାମୁଲେ । ସାମୁଲେ କହିଲେ, ତା’ ସତ ପଧାନେ, ତେବେ ବିଦେଶୀ ଜୀବନଟା ବଡ଼ ଅଭିଶପ୍ତ ଜୀବନ । ତା’ ନ ହେଲେ ଅତି ଆପଣାର ଏଇ ଘର ଦୁଆର, ସ୍ତ୍ରୀ ପୁଅ, କୁଟୁମ୍ୱକୁ ଛାଡ଼ି ସାତ ରାଇଜ ତେର ନଦୀ ପାର ହେଇ କିଏ ବିଦେଶରେ ମୁହଁମାଡ଼ି ପଡ଼ିରହନ୍ତା । ପଧାନେ ହସିଲେ । କହିଲେ, ଏ ଜୀବନରେ ଆଉ ମୋର ବିଦେଶ ଯିବା ଘଟିଲା ନାହିଁ । ଏଇ ପିତୃ ପୁରୁଷ ଜମିରେ ଖଟି ଖଟି, କେବେ ଦିନେ ତାରି କୋଳରେ ଢଳି ପଡ଼ିବି, କିଏ ଜାଣେ । ଦିନ କାଳ ତ ଆସୁନାହିଁ ଯାଉଛି-। ଚଇତା ମୋତେ ମୁଠାଏ ମାଟି ଦେଲେ ସେଇ ମୋର ସାରା ଜୀବନର ଶାନ୍ତି ।

 

ତା’ପରେ ସୁଖ ଦୁଃଖ କେତେ କଥା ପଡ଼ିଲା । ପଧାନ କହିଲେ, ଏ ବରଷ ଆଉ ଫସଲ ହେବାର ଆଶା ନାହିଁ । ଜ୍ୟେଷ୍ଠ ଆସି ସରିବା ଉପରେ । ଭଲକରି ଦି’ଅସରା ବର୍ଷା ତ ହେଲା ନାହିଁ-। ଜମି ହଳ ହେବ କେବେ । ଚାଷୀ କୂଳରେ ଭାଳେଣି ପଡ଼ିଗଲାଣି ସାମୁଲେ—କେମିତି ସେମାନଙ୍କର ଘରସଂସାର ଚଳେଇବେ । ସାମୁଲେ କହିଲେ, ଯା କହିଲ ସତ ପଧାନେ–ଗରିବଙ୍କର ଭେଳା ବୁଡ଼ିଲା । ସାମୁଲେ ଉଠିଲେ—କହିଲେ, ଯାଉଚି ପଧାନେ ଦଣ୍ଡବତ । ପଧାନେ ହସି ହସି କହିଲେ, ସାମୁଲପୁଅ, ଚିଠି ଦେବ ଭଲ ମନ୍ଦ ଖବର ଲେଖି । ସାମୁଲେ ହଁ ଭରିଲେ-। ତା’ପରେ ସେଇ ଅନ୍ଧାରରେ ଘରମୁହାଁ ଧରିଲେ ।

 

ସାମୁଲେ ଚାଲିଯିବାରୁ ନିଧି ପଧାନ ମନରେ ଚେଇଁ ଉଠିଲା କେତେ କଥା । ଏଇ ଭୋଳି ସାମୁଲ, ବାପ ମଲାବେଳେ ଘର ଡିହ ଛଡ଼ା ଜମି ବୋଲି ବକଟେ ନ ଥିଲା । ପୁରୁଣା ବାଉଁଶ ଘର ସାଆଁତ ବାପା ଅମଳର । ବାପ ମଲା ପରେ ସାମୁଲ ମୁଲ ଲାଗି ଯା ଦି’ ପଇସା ଆଣେ—ପେଟକୁ ନିଅଣ୍ଟ । ମା ଭାରିଯା ନେଇ ତିନି ପରାଣୀ—କଷ୍ଟେ ମଷ୍ଟେ ଦିନେ ଖାଇଲେ ଦି’ ଦିନ ଓପାସ । କେତେଥର ତାରି କତିକି ଦଉଡ଼ି ଆସେ । ପଧାନେ ଦି’ ସେର ଚାଉଳ ଧାର ଦିଅ । କାଲିଠୁ ଓପାସ । ଘରେ ଖୁଦ ମଳୁଖ ବି ଯା ଥିଲା–ସବୁ ଝାଡ଼ ଝୁଡ଼ । ଆଖି ତା’ର ଲୁହ ଛଳ ଛଳ । ନିଧି ପଧାନର ପାଷାଣ ହୃଦୟ ବି ତରଳିଯାଏ । କେତେ ବାର ଉମି ବୋଉକୁ ଲୁଚେଇ ଲୁଚେଇ ଭୋଳି ସାମୁଲକୁ ଚାଉଳ, ଲୁଣ ଦିଟା, ପନିପରିବା ଯା ଯେତେବେଳେ ମିଳେ ଦିଏ । ସାମୁଲ କୁହେ, ତୁମ ଋଣ ମୁଁ ସୁଝି ପାରିବି ନାହିଁ । ଆଖିରେ ତା’ର ଲୁହ ଜକ ଜକ କରେ । ପଧାନେ କହନ୍ତି, ସାମୁଲେ ଦୁଃଖ କରନା । ଭଗବାନ ବଡ଼ଲୋକ । ସେ ଚାହିଁଲେ ଦିନେ ନା ଦିନେ ତୋର ଭାଗ୍ୟ ଫେରିବରେ ।

 

ସତକୁ ସତ ସାମୁଲର ଭାଗ୍ୟ ଆଜି ଫେରିଚି । କଲିକତା ଚାକିରିରୁ ବେଶ୍ ଦି ପଇସା ଆମଦାନୀ କରୁଚି । ତା’ର ସେଇ ପୁରୁଣା କୋଉ କାଳର ଭଙ୍ଗା ବାଉଁଶ ଘର ଆଜି ନାହିଁ । ତାରି ଜାଗାରେ ସୁନ୍ଦର କାଠଘର ହସି ଉଠିଚି । ଭାରିଯା ବେକକୁ ସୁନାହାର–ନାକକୁ ଫୁଲଗୁଣା । ସଞ୍ଚି ସଞ୍ଚି କଲିକତା ପଇସାରେ ସୁନା ପରି ଜମି ଦି’ମାଣ କିଣିଚି । ଜମିରୁ ଯା ଆମଦାନୀ ହୁଏ—ସାମୁଲର ବରଷକ ଖୋରାକ ଯୋଗାଏ । ଅଭାବ ଅସୁବିଧାର ଧକ୍‍କା ଆଜି ଆଉ ତାକୁ ବିଚଳିତ କରି ପାରେନା । ସେ ଆଜି ସୁଖୀ–ଆନନ୍ଦରେ ଭରପୁର ।

 

ଭୋଳି ସାମୁଲ ଅତୀତକୁ ଭୁଲିଯାଇ ବେଳେ ବେଳେ ଗାଁରେ ନିଜର ବଡ଼େଇ ଦେଖାଏ-। କେତେ ବାହାପିଆ ଗପ କରେ । ଲୋକେ ଥଟ୍ଟା କରି କହନ୍ତି, ଏଇ ସେଇ ଭୋଳା ନାଁ–ଯାର ଦିନେ ଖାଇଲେ ତିନିଦିନ ଓପାସରେ କଟୁଥିଲା । କିଏ କିଏ କହନ୍ତି ଆରେ ଏଇ କଲିକତା ପଇସା ଅଢ଼େଇ ଦିନରେ—ଏତେ ବଢ଼େଇ କରନାଁ । ନିଧି ପଧାନର କାନକୁ ଏ କଥା ବେଳେବେଳେ ଆସେ । ତା’ର ମନଟା ଭୋଳି ସାମୁଲ ଉପରେ ଚିଡ଼ିଉଠେ । ସେ ଭାବେ କେଇଟା ଦିନ ପାଇଁ ଏଇ ମଣିଷ ଜନମ—ଅଜଣା ଅଶୁଣାରେ କେତେବେଳେ ନିୟତିର ଅଦେଖା ହାତ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦେବ, କିଏ ଜାଣେ । ତା’ପରେ ସବୁ ଅନ୍ଧାର–ମରଣ ସାଥିରେ ଜୀବନ ଖେଳିବ ଲୁଚକାଳି । ଏଇଥିପାଇଁ ପୁଣି ମଣିଷର ଏତେ ବଡ଼ିମା–ଏତେ ଗର୍ବ । କିନ୍ତୁ ଭୋଳି ସାମୁଲ ଦିନେ ହେଲେ ପଧାନ ଆଗରେ ନିଜର ବଡ଼େଇ ଦେଖେଇ ନାହିଁ-। ପଧାନକୁ ଦଶହାତ ଦୂରରୁ ଦେଖିଲେ ଜୁହାର ହୋଇ କୁକୁର ପରି କୋଡ଼ିଏ ହାତ ଗୋଡ଼ାଇଯାଏ । ନିଧି ପଧାନ ପୁଣି ଭାବେ, ଭୋଳି ସାମୁଲଟି ଭାରି ଭଲ ମଣିଷ–ଗାଁର ଲୋକଗୁଡ଼ା ଖରାପ-। ତା’ ଶିରୀ ଦେଖି ନ ପାରି ବାର କଥା ମିଛରେ କହନ୍ତି ଖାଲି ।

ବାପା ଖାଇବେ ଆସନ୍ତୁ । ଭାବନା ରାଇଜର ଦିଗନ୍ତ ସେପାରିରୁ ଫେରି ଆସିଲା ନିଧି ପଧାନର ମନ । ଦେଖିଲା, ଆଗରେ ତା’ର ବୋହୂ–କନକ-। ନିଧି ପଧାନ ଘଡ଼ିଏ କାଳ ଅନାଇ ରହିଲା । ଭାବିଲା, କେଡ଼େ ସୁନ୍ଦର–ଲକ୍ଷ୍ମୀଟି ପରି ତା’ର ବୋହୂ । ଗାଁ ଖଣ୍ଡକରେ ନାହିଁ । ଉମି ବୋଉ ପରି ସେ ଆସିଲା ଦିନଠାରୁ ସବୁ ଖବର ବୁଝୁଚି । ପିଲାଟା, ଏତେ ବୁଦ୍ଧି କୋଉଠୁ ଶିଖିଲା । ନିଧି ପଧାନର ମନ କ୍ଷଣିକ ପାଇଁ ଅଜଣା ଆନନ୍ଦରେ ଭରି ଗଲା । କନକ ପୁଣି କହିଲା, ବାପା ଆସନ୍ତୁ, ଭାତ ଦି’ଟା ଶୁଖି ଝୁଣା ହେଇ ଯିବଣି ସାଡ଼େ । ଚାଲ ମା—ଏତିକି କହି ନିଧି ପଧାନ ଉଠିଲା ।

ଦି’ଦିନ ପରେ ।

ଦି’ପହରର ଟାଇଁ ଟାଇଁଆ ଖରାଟା ନରମ ପଡ଼ି ନାହିଁ । ପବନଟା ଜୋରରେ ପିଟୁଥାଏ-। ବେଳେ ବେଳେ ଘର ଚାଳରୁ ନଡ଼ା ଓଲାରି ବାଡ଼ିପଟ ଗଛ ଗହଳିରେ ଖେଳୁଥାଏ ଲୁଚକାଳି-। ନଡ଼ିଆ ଗଛ ଉପରୁ କାଉଟା ଉଡ଼ି ଆସି ଦୁଆରେ ବସି କା କା ହେଲା । କନକ ଭାବିଲା, କିଏ ଆସୁଚନ୍ତି କି ଆଜି—କାଉଟା କାହିଁକି ଘଡ଼ିଏ ହେଲା କା’ କା’ ରଡ଼ି ଛାଡ଼ିଚି । ମାସେ ହେଲା ତ ବାପା ଭାଇଙ୍କର ଦେଖା ନାହିଁ—କେହି କାଳେ ଆସୁଛନ୍ତି କି ? ଏଇଆ ଭାବି କନକ ମୃଦୁ ଗଳାରେ କାଉକୁ କହିଲା ଯା ଉଡ଼ିଯା....ଉଡ଼ିଯା । କାଉଟା ଫଡ଼୍ କରି ଉଡ଼ିଗଲା ।

କନକ ମନଟା ଗୁରେଇ ତୁରେଇ ହେଲା । ବାପଘରର ଛପିଲା ସ୍ମୃତି ମନେପଡ଼ିଲା । ଅତୀତ ଫେରିଆସିଲା ବର୍ତ୍ତମାନକୁ । କାହିଁ ଅତି ଆପଣାର ସେଇ ସୁଖ ସୁଆଦଭରା ଦିନଗୁଡ଼ିକ । ଜୀବନର ଶେଷ ଭରା ବାପ, ମା, ଭାଇ, ସାଙ୍ଗ, ସାଥୀ କାହାନ୍ତି ସେ ସବୁ ଆଜି । ସେ ଆଜି ପର ଘରେ—ନିଜ ଘର ତା’ର ବହୁଦୂରରେ ... ଅନେଇଲେ ଆଖି ପାଉ ନାହିଁ । କନକର ଆଖିପତା ନଇଁ ପଡ଼ିଲା ଲୁହ ଭାରରେ ।

ସଞ୍ଜ ଖରା ଧରଣୀକୁ ଶେଷ ଆଲିଙ୍ଗନ କରି ବିଦାୟ ନେଉଚି । ଏତିକିବେଳେ ଘରକୁ ଜାମାଯୋଡ଼ ହେଇ ପଶି ଆସିଲା କିଏ ଗୋଟିଏ । କନକ ଘର ଭିତରେ ଥାଇ ଚିହ୍ନି ପାରିଲା ନାହିଁ । ପଦାକୁ ଆସି ଦେଖେ ତା’ରି ଅତି ଆପଣାର ସାନଭାଇ ଶାମ ।

ହସି ହସି ତାକୁ କୋଳକୁ ନେଇ କହିଲା, ଏତେ ଦିନେ ଅପା କଥା ମନେପଡ଼ିଲା । ମାସେ ହେଲା ଅନେଇଁ ଅନେଇଁ ଆଖିରୁ ପାଣି ମଲାଣି—ଏଡ଼ିକି ଦାରୁଣ ତମେ ସବୁ । ଶାମ ହସି ହସି କହିଲା, ମାଁ ଲୋ ଅପା, ବାପାଙ୍କ ଦେହ ପରା ଭଲ ନ ଥିଲା । କନକ ଚମକି ଉଠି ପଚାରିଲା, କ’ଣ ହେଇଥିଲାରେ ଶାମ ?

କ’ଣ ହେବ ଏଇ ଜର । ପନ୍ଦର ଦିନ ପରେ ସେ ଆଜି ଟିକେ ଭଲ ହେଇ ଉଠିଲେ । ଆସିଥାନ୍ତେ—ବଳ ପାଇଲା ନାହିଁ । ମୋତେ ପଠାଇଲେ । ଆଉ କହିଚନ୍ତି, ତୋତେ ନେବାକୁ ଦିନ ଠିକ୍ କରି ଯିବି ।

 

କନକ ମନଟା ଗୋଳେଇ ଘାଣ୍ଟି ହେଲା । ହୃଦୟଟା ତା’ର କହିଲା,ଏଇଲାଗେ ଦଉଡ଼ିଯାନ୍ତା ବାପା କତିକି । ଆଖିରେ ତା’ର ଲୁହ ଜକେଇ ଆସିଲା । ପରକ୍ଷଣରେ ନିଜର ଦୁର୍ବଳତା ପୋଛି ଶାମକୁ ଖାଇବାକୁ ଦେବାକୁ ବୋଉକୁ ଡାକିଲା । ଆଉ ଭାବିଲା, ନ ଜାଣି କାଉଟା ବୋବାଉଥିଲା ।

 

ରାତିରେ ଚଇତାର ଗୋଡ଼ ମୋଡ଼ି ଦେଉ ଦେଉ କନକ କହିଲା, ଶୁଣିଲଣି ବାପାଙ୍କ ଦେହ ଭଲ ନାହିଁ । ଶାମ ଆସିଚି ମୋତେ ନବାକୁ । ତମର ଇଚ୍ଛା କଅଣ—କେବେ ପଠାଇବ । ଚଇତା କିଛି କହିଲା ନାହିଁ । କନକର କଥା ଶୁଣି ତା’ ଛାତିଟା କରତି ହେଲା । କନକ—ଯାକୁ ଦଣ୍ଡେ ନ ଦେଖିଲେ ସେ ପାଗଳ ପରି ହେଇ ଉଠୁଚି—ତାକୁ ଆଜି ସେ ବଳେ ବଳେ ଦୂରକୁ ପଠାଇ ଦେବ କିପରି ?

 

ଚଇତାକୁ ନୀରବ ଦେଖି କନକ କହିଲା, କୁହ ମ କେବେ ପଠାଇବ ? ବାପାଙ୍କୁ ଦେଖିବାକୁ ମୋର ଭାରି ଇଚ୍ଛା ହେଉଚି । ତମ ଅନୁମତି ପାଇଲେ ତେଣିକି ଘରେ ଆଉ କେହି ଅମତ ହେବେ ନାହିଁ । ଚଇତା ଅଭିମାନ ଭରା ଗଳାରେ କହିଲା, ତମର ଇଚ୍ଛା ଅଛି ତ ଯିବ—ମୋତେ କାହିଁକି ପଚାରୁଚ ?

 

ଆଡ଼ ଆଡ଼ କଥା ଶୁଣି କନକ ଚଇତାର କୋଳରେ ଢଳି ପଡ଼ି କହିଲା, ତମେ ନ କହିଲେ ମୁଁ ଯିବି ନାହିଁ । ଚଇତା କହିଲା, ତୋତେ ଛାଡ଼ିଲେ ମୁଁ ମରିଯିବି କନକ । କନକ କହିଲା, ସିମିତିକା ଅମଙ୍ଗଳ କଥା କହିବ ତ ମୁଣ୍ଡ ପିଟିଦେଇ ମରିବି । ନ ପଠେଇବ ତ ନାହିଁ । କନକକୁ ଆହୁରି କୋଳ ଭିତରକୁ ଟାଣି ନେଇ ଚଇତା କହିଲା, ତୁ ଚାଲିଗଲେ ମୋତେ ଏ ଘର ଦୁଆର ସବୁ ବିଷ ପରି ଲାଗିବ । ମୋତେ ଛାଡ଼ି ଯିବାକୁ ତୋର ସତ ବଳୁଚି କନକ ! ଚଇତାର ଆଖିରେ ଲୁହ ଜକ ଜକ କଲା । କନକ ତା’ ଲୁଗା କାନିରେ ଲୁହ ପୋଛି ଦେଇ କହିଲା, ଛିଃ କାନ୍ଦୁଚ କାହିଁକି ? ତମର ଯେତେବେଳେ ଇଚ୍ଛା ନାହିଁ—ମୁଁ କ’ଣ ଆଉ ଯିବି ? ଚଇତା ବାହୁ ଭିତରେ କନକକୁ ଚାପି ଧରି ଚୁମ୍ୱନ କରିବାକୁ ଲାଗିଲା । କନକ ଭୁଲିଗଲା, ତା’ର ବାପା, ମା, ଘରଦୁଆର ଆଉ ଅତୀତର ସେଇ ଦରଲିଭା ସ୍ମୃତିଗୁଡ଼ାକ ।

 

ଦି’ଦିନ ପରେ ଶାମ ବାହୁଡ଼ି ଗଲା । ଶାମ ଗଲା ପରେ କେଜାଣି କାହିଁକି କନକର ଆଖି ଦିଇଟା ଲୁହରେ ଭାସି ଉଠିଲା । ବାପଘର ସ୍ମୃତିକୁ ସେ ଆଉ ଦୂରକୁ ଏଡ଼ି ଦେଇ ପାରିଲା ନାହିଁ । ଖାଲି ଆଖି ଆଗରେ ନାଚି ଉଠିଲା, ତାରି ଘରଦୁଆର, ବାପା ବୋଉ ଆଉ ଅତି ଆପଣାର ସାଙ୍ଗ ଋକ, ରେଣୁ, ସଖି, ଫୁଲ, କମଳି କଥା ।

 

ସତେ ଯେପରି ତାରି ଘର ଦୁଆର ତାକୁ କହୁଚି, କନକ, ତୁ ଗଲା ଦିନରୁ ଆମେ ହତଶିରୀ ହୋଇଗଲୁଣି । କେବେ ତୋରି ହାତର କଅଁଳ ଛୁଞ୍ଚକନା ବୁଲାଇ ଆମ ଦେହରେ କେତେ ଜାତିକା ଚିତା ଲେଖି ନୂଆ ଜୀବନ ଆଣିଦେବୁ । ବାପା ବୋଉ ଲୁହ ଭରା ଆଖିରେ ଡାକୁଚନ୍ତି, ଆ କନ—ଆମ କୋଳକୁ । ତୋତେ ନ ଦେଖି ଆମେ ଅନ୍ଧ ହେଇଗଲୁଣି । ତୋର ସେଇ କଅଁଳ କଥା ଦି’ପଦ ଶୁଣିବୁ ବୋଲି ଅନାଇ ବସିଚୁ । ତୋର ଅତି ଆଦରର ସେଇ ଶାରୀଟି ତୋତେ ଝୁରି ଝୁରି କଣ୍ଟା ହେଇଗଲାଣି । ପକ୍ଷୀ ହେଲେ କ’ଣ ହେଲା—ତା’ର ତ ପୁଣି ସ୍ନେହ, ମମତା ଅଛି । ଆଉ ଋକ, ରେଣୁ ହେରିକା କହୁଚନ୍ତି, କନ ତୁ ଗଲାଦିନୁ ଆମର ଖେଳ ସରି ଯାଇଚି ଲୋ—ଭାଳି ଭାଳି ଦିନ ସରୁନି । ଜହ୍ନ ରାଇଜର ରାଣୀ ଏଇ ଜହ୍ନିଫୁଲ ମେଳରେ ଗଲା ସନର କଥା ମନେପଡ଼ୁଚି । କୁଆଁର ପୁନେଇ ଜହ୍ନ କୁଆଡ଼େ ହଜିଯାଇଚି । ଦୁଆରେ ହରଗଉରା ଫୁଲର ନାଲି ଓଠରେ ଯେଉଁ ହସ ଟିକକ ଲାଗି ରହିଥିଲା–ସେ ବି ମଉଳି ଯାଇଚି । ତୋର କ’ଣ ଏ ସବୁ କଥା ମନେପଡ଼ୁନି । ପତି ପ୍ରେମରେ ମଜ୍ଜି ତୁ ସିନା ସବୁ ଭୁଲିଗଲୁ—ଆମେ କିନ୍ତୁ ତୋତେ ଭୁଲିପାରୁନୁ ।

 

କନକର ଆଖିରୁ ଲୁହ ଝରି ପଡ଼ିଲା । ନିଜର ଦୁର୍ବଳତାକୁ ଲୁଚାଇବାକୁ ଯାଇ ଲୁଗା କାନିରେ ଲୁହ ପୋଛିଲା—କିନ୍ତୁ ପାରିଲା ନାହିଁ ।

 

–୩–

 

ସକାଳର ଲାଲ ସୂର୍ଯ୍ୟ ଉଲୁସି ଉଠୁଚି । ଘର ଦୁଆର, ଗଛ, ଲତା, ନଈ, ନାଳ ସବୁଆଡ଼େ କିଏ ନାଲି ଅବିର ବୁଣି ଦେଲାଣି ସେତେବେଳକୁ । ଦୂର ତାଳବଣ ଶିଖ ସରଗ ମଥାନରେ କେତେ ଜାତିକା ପକ୍ଷୀ ଉଡ଼ି ବୁଲୁଛନ୍ତି । ବେଳେବେଳେ ଗାଉଛନ୍ତି ସକାଳ ସୁରୁଯକୁ ଚାହିଁ ନୂଆଦିନର ମନ ଫୁଲାଣିଆ ଗୀତ । ସେ ଗୀତର ଭାଷା ବୁଝି ନ ହେଲେ ବି ସୁନ୍ଦର ଲାଗେ—ଠିକ୍ ସୁଲୁସୁଲୁଆ ବାଆ ପରି ।

 

ଚଇତା ଉଠି ଦେଖିଲା କି ସୁନ୍ଦର ସକାଳ । କ’ଣ ମନକୁ ମନ ଭାବିଲା । ତା’ପରେ ଚଞ୍ଚଳ ଚଞ୍ଚଳ ଦାନ୍ତରେ ଦି’ଢ଼ିଅ ମାରି ଦେଇ ବୋଉକୁ ଡାକିଲା ଖାଇବାକୁ ଦେବାକୁ । ପାଖଘରୁ ଉତ୍ତର ଆସିଲା, ଚଇତା ସେ ଘରକୁ ଯା—ବୋହୂ ପରା ଭାତ ବାଢ଼ିଲାଣି ।

 

ଚଇତା ସେ ଘରେ ପଶିଲା ବେଳକୁ କନକ ହସି ହସି ପଖାଳ ଭାତରୁ କଂସାଏ ଆଣି ଥୋଇଲା । ଚଇତା ବଡ଼ି ଚୁରା, ଖଟା ଟିକେ ଲଗେଇ ପଖାଳ ଭାତ କଂସାଏ ଘଡ଼ିକରେ ଠୁଙ୍କି ଦେଲା । ହାତ ଧୋଇ କନକକୁ କହିଲା, କନ, ଆଜି ଏତେବେଳଯାଏ ଶୋଇ ପଡ଼ିଲି ଟିକେ ଡାକି ଦେଲୁ ନାହିଁ ? କନକ ହସି ହସି ପଚାରିଲା, କୁଆଡ଼େ ଯିବ କି, ଆଜି ଏତେ ତରବର । ଚଇତା କହିଲା, ଆଜି ପରା ବାରମାଣିଆ ଭାଗ ଜମିକି ହଳ ନେଇଯିବି । କେତେଦୂରରେ ସେ ଜମିଟା ! ଫେରୁ ଫେରୁ ଆଜି କେତେବେଳ ହେଉଚି କେଜାଣି । କନକ ହସି ହସି କହିଲା, ଏତେ ଡେରିଯାଏ ଶୋଉଚ କାହିଁକି ? ଚଇତା କହିଲା, ତୁଇ ତ ବାରଆଡ଼ୁ ବାରଗପ କରିବୁ—ଶୋଇ ଦେବୁନି । କନକ ମୁହଁରେ ଫୁଟି ଉଠିଲା ହସ । କହିଲା, ତମେ ତ ଭାରି ଭଲ ଲୋକ । କନକର ହସର ଧାର ଚଇତାର ବୁକୁରେ ବାଜିଲା । ହୃଦୟରେ ବିଜୁଳି ଖେଳିଗଲା । ସେ ଉଠିଯାଇ କନକକୁ ପାଖକୁ ଆଉଜାଇ ତା’ ଗାଲରେ ଚୁମ୍ୱନଟାଏ ଆଙ୍କି ଦେଲା । କନକ ଲାଜରେ ଦୂରକୁ ଘୂଞ୍ଚିଗଲା । କହିଲା, ଚଞ୍ଚଳ ଯା ଏ ଘରୁ—ବୋଉ ଆସିବ ଏଇଲାଗେ । ଚଇତା ହସି ହସି ଘରୁ ବାହାରି ଆସି ବଳଦ ଫିଟାଇ ହଳ ଯୋଚିଲା । ତା’ପରେ ବଳଦ ଅଡ଼େଇ ଅଡ଼େଇ ବାହାରି ପଡ଼ିଲା । ଘର ଡେଇଁ ପଛକୁ ଚାହିଁଲା କନକ ତାରି ଆଡ଼କୁ ଅନାଇ ରହିଚି । ଗଲା ଆଇଲାବେଳେ କନକର ଆଖି ଦିଇଟା ଚଇତାକୁ ଚାହିଁ ରହିଥାଏ । ଚଇତା ଭାବେ, କନକ ତାକୁ କେତେ ଭଲ ପାଏ ।

 

ଗାଁର ସେଇ ବଙ୍କା ବଙ୍କା ରାସ୍ତା ଡେଇଁ ଚଇତା ବନ୍ଧକୁ ଉଠିଲା । ବନ୍ଧରୁ ଗଡ଼ି ବଳଦ ଦି’ଟାକୁ ନାଳରେ ପହଁରାଇ ଚଇତା ପୋଲ ପାରି ହୋଇ ଏ ପାଖକୁ ଆସିଲା । ବଳଦ ଦି’ଟା ଓଦା ଜଡ଼ବଡ଼ ଉଠି ଆସିଲେ । ପୁଣି ଚଇତା ତାଙ୍କୁ ଅଡ଼େଇ ଅଡ଼େଇ କିଆ ବୁଦା ଗହୀର ପାର ହୋଇ ବିଲକୁ ଗଡ଼ିଲା । ଆଗରେ ଧାଡ଼ି ହୋଇ ଦଶ ବାରଟା ତାଳଗଛ ବିଲ ମଝିରେ ଛିଡ଼ା ହେଇଚି—ମାଟି ଓ ମଣିଷର ନିତିଦିନିଆ ଜୀବନ ସଂଗ୍ରାମର ମୂକ ସାକ୍ଷୀ ହୋଇ । ଚଇତା କେତେ ବିଲ ପଟାଳି, କେତେ ହିଡ଼, ଉଚ୍ଚ ହୁଙ୍କାର ପାହାଡ଼, ଅରମା ବୁଦୁବୁଦୁକିଆ ଅନାବନା ଗଛର ଜଙ୍ଗଲ ପାର ହୋଇ ବାରମାଣିଆ ଜମିରେ ଆସି ପହଞ୍ଚିଲା ।

 

ଆଗରୁ ଯୋଗୀ ପରିଡ଼ା ପୁଅ ନିତିଆ ଆସି ତା’ ଜମିରୁ ଖଣ୍ଡେ ହଳ ବୁଲାଇ ସାରିଲାଣି-। ଚଇତାକୁ ଦେଖି ନିତିଆ କହିଲା, କିରେ ଚଇତା ଭାଇ, ଆଜି କ’ଣ ଏତେ ଡେରି, ନୂଆବୋଉ କ’ଣ ଛାଡ଼ୁ ନ ଥିଲେ ନାଁ କଣରେ ! ନିତିଆ ଚଇତାର ସାଙ୍ଗ ପିଲା ବେଳରୁ । ନିତିଆଠୁଁ ଚଇତା ମୋଟେ ଛ’ ମାସ ବଡ଼ । ସେହି ହିସାବରେ ଚଇତାକୁ ଭାଇ ବୋଲି ଡାକେ । ଖାଲି ନାଁକୁ ଡାକେ, କିନ୍ତୁ ଭାଇ ବୋଲି ଖାତିରି କରେନା—ବନ୍ଧୁ ପରି ପିଲାଟି ଦିନରୁ ଦେଖେ । ପିଲାଦିନର କଥା-। ନିତିଆର ଚଇତା ଭାଇ ସାଙ୍ଗରେ ସେଇ ଆମ୍ୱତୋଟା ଗହଳିରେ କେତେ ଡାଳି ମାଙ୍କୁଡ଼ି ଖେଳ, କେତେ ବାଗୁଡ଼ି ଖେଳ, କେତେ ବୋହୂଚୋରୀ ଖେଳ ବିତି ଯାଇଚି ଭାବିଲେ କାଲିପରି ଲାଗେ-। କିନ୍ତୁ ଖୋଜି ବସିଲେ ପୁଣି ଆଉ ଥରେ ମିଳେନା ।

 

ନିତିଆର ପ୍ରଶ୍ନରେ ଚଇତା ହସିଲା । କହିଲା, ନାଁରେ ଜାଣି ଜାଣି ଆଜି ମୁଁ ଟିକେ ଡେରି କରିଦେଲି । ଘର ଆଡ଼େ କାମ ଥିଲା । ନିତିଆ କହିଲା, କେଜାଣି ଚଇତା ଭାଇ ମୋର କିନ୍ତୁ ମନେ ହେଉଚି କାଲି ରାତିରେ ଟିକେ ଡେରିରେ ନିଦ ହେଇଚି । ନିତିଆର ଅନୁମାନଟା ସତ ହେବାରୁ ଚଇତା ମୁହଁରେ ହସ ଫୁଟି ଉଠିଲା । କହିଲା, ନିତିଆ ତୋର ଖାଲି ସବୁବେଳେ ସେଇ କଥା ।

 

ଏତିକି କହି ଚଇତା ଜମିରେ ହଳ ବୁଲାଇଲା । ଉପରେ ସୂରୁପ ଦେବତା ହସୁଛନ୍ତି । କଅଁଳ ଆଲୁଅ ଆସ୍ତେ ଆସ୍ତେ ଟାଣ ହେଇ ଆସୁଚି । ଦୂରରେ ଅରଖ ଗଛର ଫୁଲ ଗୁଡ଼ା ଫୁଟି ଉଠିଚି ଅସୁମାରୀ । ଟିକିଏ ଛାଡ଼ି ପାଖରେ ମସ୍ତ ହୁଙ୍କାଟାଏ । ହୁଙ୍କା ଉପରେ ଦି’ଟା ଚଢ଼େଇ ମନ ଖୁସିରେ କଣ ଦୁଃଖ ସୁଖ ହେଉଛନ୍ତି ।

 

ହଳ କରୁ କରୁ ନିତିଆ କହିଲା, ଚଇତା ଭାଇ ଏ ବରଷ ତ ବରଷାର ଏଯାଏ ଦେଖା ନାହିଁ । ଫସଲ ହେବା ସେମିତି ସେମିତିକା । ମୁଁ ଭାବୁଚି କଲିକତା ଯିବାପାଇଁ—କାଳି ସାମୁଲ ଯିବ, ଦି’ଚାରିଦିନ ପରେ । ବାପା କହୁଛନ୍ତି ତାରି ସାଥୀରେ କଲିକତା ଯିବାକୁ । ଆମ ଗାଁର କେତେ ଲୋକ ଅଛନ୍ତି କଲିକତାରେ । ସମସ୍ତେ ବେଶ୍ ଦି’ପଇସା ରୋଜଗାର କରି ଆରାମରେ ଅଛନ୍ତି । ଆମେ ଏଠି ଏତେ ଖଟି ଦେହ ରକତ ପାଣି କରି ତଥାପି ପେଟକୁ ବି ଦାନା ଅଣ୍ଟୁନାହିଁ । ଚଇତା କହିଲା, ହଁ ରେ ନିତିଆ, ବାର ମାସ କି ଖରା, ବରଷା, ଶୀତରେ ଏଇ ମାଟି ସଙ୍ଗେ ଆମେ ନିତିଦିନ ଲଢ଼ୁ । କିନ୍ତୁ କାହିଁ ପେଟକୁ ମୁଠେ ବି ଯୁଟୁନାଇଁ । ଦୁଃଖକଷ୍ଟେ କୌଣସିମତେ, ଦିନ ଯିବ ସିନା—ସୁଖ ବୋଲି କହି ହେବନି । ବୁଝିଲୁ ନିତିଆ ଏଇ ମାଟି ଆଜି ପଥର ହୋଇଗଲାଣି । ଦିନ ଥିଲା, ଏଇ ମାଟିରେ ସୁନା ଫଳୁଥିଲା । ଆମରି ପୂର୍ବପୁରୁଷମାନଙ୍କର ଏଇ ମାଟି ପ୍ରସାଦରୁ ସବୁବେଳେ ଲକ୍ଷ୍ମୀଭଣ୍ଡାର ଭରପୁର ଥିଲା । ଅଭାବ ଅସୁବିଧା, ଦୁଃଖ ଶୋକ କିଛି ନଥିଲା–ଥିଲା ଖାଲି ସୁଖ, ଶାନ୍ତି, ଆନନ୍ଦ ଓ ଆଲୋକ । କାହିଁ ସେଦିନ—ଆଉ ଏ ଦିନ । ସେଦିନର ପଇସାଗୁଡ଼ା ଏବର ଗୋଡ଼ିମାଟି । ଦିନକୁ ଦିନ ଦୁର୍ଦ୍ଦିନ ଗଡ଼ୁଚି; ଜିନିଷ ଭାଉ ନଈ ବଢ଼ି ପରି ଆକାଶକୁ ଉଠୁଚି । ଯେତେ ରୋଜଗାର କଲେ ବି କୁଆଡ଼କୁ ଅଣ୍ଟୁ ନାହିଁ ।

 

ନିତିଆ କହିଲା, ଚଇତା ଭାଇ ଯା କହିଲୁ, ନିରାଟ ସତ କଥା । ମୁଁ ତ ସେଇଥିପାଇଁ କଲିକତା ଯିବାକୁ ବାହିରିଚି । ଜମିବାଡ଼ି ଯା ଅଛି ସବୁ ବାପା ଦେଖାଶୁଣା କରିବେ । ମୁଁ ବିଦେଶରେ ଯଦି ଦି’ପଇସା ରୋଜଗାର କରିପାରିଲି, ତେବେ ସେଇ ଯଥେଷ୍ଟ । ମିଛରେ ଏଠି ପଡ଼ି ରହି କିଛି ଲାଭ ନାହିଁ–ବେକାର ଖଟଣି । ଚଇତା କହିଲା, ହଁରେ ନିତିଆ, ଏ ମାଟି କାଦୁଅରେ ପଡ଼ି ରହିଲେ କିଛି ହେବ ନାହିଁ–ବିଦେଶକୁ ଯା ଆଖି ଖୋଲିଯିବ—ଦି’ ପଇସା ଆମଦାନୀ ହେବ । ଦେଖୁନୁ ଆମ ଗାଁର ବଳି ମଳିକିକି । କଣ୍ଡରା ଟୋକାଟା—ସେ ପୁଣି ଘରଦ୍ୱାର କରି ସାଇକଲ ଚଢ଼ି ବୁଲୁଛି, ଜୋତା ମଡ଼େଇ ମଚ ମଚ କରି ଚାଲୁଚି । ତୁ କ’ଣ ତାଠୁଁ ଏତେ ହୀନ । ନିତିଆ କହିଲା, ଚଇତା ଭାଇ ସବୁ ଭାଗ୍ୟ କଥା । ଭାଗ୍ୟରେ ଥିଲେ ଏଇ ଲୋକ ଘୋଡ଼ା ଚଢ଼େ । ଭାଗ୍ୟରେ ଥିଲେ ଏଇ ଲୋକ ବାରଦୁଆର ଭିକ ମାଗି ବୁଲେ । ଛୋଟ ଜାତି ହେଲେ କ’ଣ ହେଲା, ସେ ତ ପୁଣି ମଣିଷ । ତା’ର କ’ଣ ବଞ୍ଚିବାର, ସୁଖ କରିବାର ଅଧିକାର ନାହିଁ । ଚଇତା କହିଲା, ତା’ କ’ଣ ମୁଁ ମନା କରୁଚି ନିତିଆ—ତେବେ ପଇସା ହେଲେ ଏଇ ଲୋକଙ୍କର ବଡ଼େଇ ମୋ ଆଖିକି ଯାଏନାଁ । କିରେ ଯେତିକିର ମଣିଷ ସେତିକିରେ ରହ । ବାମନ ହେଇ ଚନ୍ଦ୍ରକୁ ହାତ ବଢ଼ାଉଚ କାଇଁକି ? ଚଇତା ଭାଇର କଥା ଶୁଣି ନିତିଆକୁ ହସ ମାଡ଼ିଲା ।

 

ସେତେବେଳକୁ ତାତିଲା ସୂରୁଯ ମୁଣ୍ଡ ଉପରକୁ ଉଠିଲାଣି । ବିଲ ମଝିରେ ନିଆଁ ବୃଷ୍ଟି ହେଉଚି । କାହିଁ କେତେ ଦୂରରେ ଝିଲମିଲ୍ ହେଇ ମରିଚୀକା ନାଚୁଚି ।

 

ନିତିଆ କହିଲା, ଚଇତା ଭାଇ, ଚାଲ ସାଥୀ ହେଇ କଲିକତା ଯିବା । ତୋ ବାପା ତ ଜମି ବାଡ଼ି ଦେଖିବାକୁ ଅଛି । ଏ ବରଷ ତ ସେମିତି ଫସଲ ହେବାର ଆଶା ନାହିଁ । ବେଳ ଥାଉଁ ସାବଧାନ ହେଲେ ଆଉ ସଂସାର ଚଳାଇବାରେ ଅସୁବିଧା ହେବନି । ଚଇତା ନିତିଆର କଥା ଶୁଣି ଟିକିଏ କ’ଣ ଭାବି କହିଲା, ଗଲେ ହୁଅନ୍ତା, ଯିବି ଯିବି ବୋଲି ମୁଁ କେବେଠୁଁ ଭାବୁଚି । ତେବେ ଆଉ କ’ଣ ? ନିତିଆ ପଚାରିଲା ।

 

ଚଇତା ଘଡ଼ିଏ କ’ଣ ଭାବିଲା । ନିତିଆ କହିଲା, କା କଥା ଭାବୁଚୁ ଚଇତା ଭାଇ—ନୂଆବୋଉ କଥା ନା କ’ଣ ? ଚଇତାର ଝାଳ ସର ସର କ୍ଳାନ୍ତ ଭରା ମୁହଁରେ ହସ ଫୁଟି ଉଠିଲା । କହିଲା, ହଁରେ ନିତିଆ, ତାରି କଥା ଭାବୁଚି । ତାକୁ ଛାଡ଼ି ମୁଁ ବିଦେଶରେ ଏତେ ଦିନ ରହିବି କିପରି-? ନିତିଆ କହିଲା, ଚଇତା ଭାଇ ଏଇକ୍ଷଣି ସିନା ଇମିତି ଲାଗୁଚି—କିନ୍ତୁ ସେଠିକି ଗଲାଠୁ ସବୁ ଠିକ ହୋଇଯିବ । ପଇସା ମୁହଁ ଦେଖିଲେ ଏଇ ଘରଦୁଆର ପିଲା ମାଇପ ସବୁ ହେଇଯିବ ପରରେ, ଖାଲି ପଇସା ହେବ ସାର । ଚଇତା କହିଲା, ଆଚ୍ଛା ମୁଁ ଘରେ ପଚାରେ—ଯଦି ହେବ ଦିହେଁ ସାଙ୍ଗ ହେଇଯିବା । ନିତିଆ କହିଲା, ଦେଖ ଡେରି କରିବୁନି—ଯେତେ ଶ୍ରୀଘ୍ର ପାରୁ ବାହାରି ପଡ଼ିଲେ ଭଲ-

 

ଜମି ହଳ ସରିଲାବେଳକୁ ଟାଣ ଗାଧୁଆ ବେଳ ଗଡ଼ିବା ଉପରେ । ଦିହେଁ ବଳଦ ଅଡ଼େଇ ଘର ମୁହାଁ ଧରିଲେ । ବାଟରେ ଆସୁ ଆସୁ ମଝିରେ କେତେଆଡ଼ର କଥା ପଡ଼ୁଥାଏ ।

 

ଚଇତା ଘରକୁ ଫେରିଲାବେଳକୁ କନକ ନଖାଇ ନପିଇ ତାରି ପଥକୁ ଚାହିଁ ବସିଚି । କନକକୁ ଦେଖି ଚଇତା ମୁହଁରେ ହସ ଫୁଟି ଉଠିଲା । କିନ୍ତୁ କନକ ହସିଲା ନାହିଁ । ଅଭିମାନରେ ମୁହଁ ଭାରି କରି ରହିଲା । ଚଇତା ଭାବିଲା ଘରେ ଥାଇ ଟିକିଏ ଡେରି ହେଇ ଯାଉଚି ବୋଲି ତ କନକର ଏତେ ଅଭିମାନ । ପୁଣି ସୁଦୂର ବିଦେଶ ଗଲେ କନକ ତାକୁ ଭୁଲି ରହିବ କିପରି ? ବିଲରୁ ଫେରିଲା ବେଳେ ଚଇତା ନାଳରେ ଗାଧୋଇ ଆସିଥିଲା । ଓଦାଲୁଗା ପାଲଟି ଖାଇବାକୁ ଗଲା । କନକ ପଖାଳ ବାଢ଼ି ଆଣି ଥୋଇଲା--ମୁହଁରେ କଥା ନାହିଁ । ଚଇତା ହସି ହସି କହିଲା, କଥା ନ କହିଲେ ମୁଁ ଖାଇବି ନାହିଁ କନ । ଏତେ ଅଭିମାନରେ ବି କନକ ମୁହଁରେ ହସ ଫୁଟି ଉଠିଲା ।

 

–୪–

 

ଦି ପହରେ । ଖରାତେଜ ମଉଳି ବି ମଉଳି ନାହିଁ । ନିଧି ପଧାନ ଦାଣ୍ଡ ପିଣ୍ଡାରେ ବସି ହେଁସ ବୁଣୁଚି । ଚଇତା ଭାବିଲା, ଏତିକିବେଳେ ବାପାଙ୍କ ଆଗରେ କଲିକତା ଯିବା କଥା କହିବ । କେତେ କଷ୍ଟରେ ବାପାଙ୍କ ଆଗରେ ଚଇତା ଆସି ଛିଡ଼ାହେଲା । ଭରସି କରି କହିଲା, ବାପା ଏ ବରଷ ତ ମେଘର ଯେମିତିକା ଗତି ଭଲ ଫସଲ ହେବାର ଆଶା ନାହିଁ । ନିତିଆ କଲିକତା ଯାଉଚି ଯେ–ମୋତେ ପଚାରୁଥିଲା ଯିବାକୁ । ମୋର ଇଚ୍ଛା ଅଛି । ତମେ ଯଦି ଘରଦୁଆର, ଜମିବାଡ଼ି ସବୁ ସମ୍ଭାଳି ପାରିବ—ତେବେ କହିଲେ ମୁଁ ଯାଆନ୍ତି । ନିଧି ପଧାନ ହସିଲା । କହିଲା, ଚଇତା ମୋତେ ବୁଢ଼ା ବୋଲି ଭାବୁଚୁ ନାଁ କ’ଣ । ବୟସ ସିନା ବୁଢ଼ା କରି ଦେଉଚି, କିନ୍ତୁ ଦେହ ମନ ମୋର ବୁଢ଼ା ହେଇନିରେ । ମାଟି ସାଙ୍ଗରେ ମାଟି ହେଇ ଖଟିଖଟି ଏଇ ଘରଦୁଆର ବିଲ ବାଡ଼ି ସବୁ ମୁଁ ଚଳାଇ ଆସିଚି । ଆଜି ପାରିବି ନାହିଁ ? ଯିବୁ ଯଦି ଯା । ତୋ ବାହାଘରକୁ ଯା ଦେଣା ହେଇଚି—ଏ ବରଷ ଆଉ ଫସଲରୁ ଶୁଝିବାର ଆଶା ନାହିଁ । ଯଦି ଦି’ ପଇସା ରୋଜଗାର କରୁ—ତେବେ ଭଗବାନଙ୍କ କୃପାରୁ ଏ ମହାଜନି ଦେଣାରୁ ଖଲାସ ହେବା—ନଇଲେ ନାହିଁ, ଦିନକୁ ଦିନ ଋଣ ଭାରାରେ ନଇଁ ପଡ଼ିବା ।

 

ଚଇତାର ମନକୁ କଥାଟା ପାଇଲା । ସତରେ ତା’ ବାହାଘର ବେଳକୁ ମହାଜନର ଦେଣା ହେଇଚି । କଲିକତା ନଗଲେ ସେ ଶୁଝିବ କିପରି । କାଁ ଭାଁ ବରଷା ତ ଏ ଯାଏ ନାହିଁ–ଫସଲ ଉପରେ ଆଶା ରଖିଲେ କ’ଣ ହେବ, ଭରସା କରି ହେବନାହିଁ । ବାପାର ବୟସ ହେଲାଣି ସେ ଆଉ କେତେ ଦିନ ! ଘରର ସବୁ ଭାର ନିଜ ଉପରେ । ନାଁ ସେ କଲିକତା ଯିବ, ଦି’ ପଇସା କମେଇବ । ମହାଜନ ଦେଣାରୁ ମୁକ୍ତ ହେବ । ଏ ବାଉଁଶ ଘର ଭାଙ୍ଗି କାଠ ଘର କରିବ । ଆଉ କନକ ବେକକୁ ସୁନ୍ଦର ସୁନାହାରଟିଏ ଆଣି ଦେବ । ରୁପାହାର ଗୁଡ଼ା ତା’ ଦେହକୁ ମାନୁ ନାହିଁ । ତା’ ଗୋରା ଦେହକୁ ସୁନାହାର କି ସୁନ୍ଦର ଦେଖାଯିବ । ଚଇତା ମନ କଳ୍ପନା ରାଇଜରୁ ଫେରିଆସିଲା ବାସ୍ତବକୁ । ବାପା ରାଜି ହେଲେ ସିନା—କିନ୍ତୁ କନକ । ଚଇତା ଭାବିଲା, ରାତିରେ କନକକୁ ବୁଝାଇ ସୁଝାଇ କହିବ ।

 

ସୁନ୍ଦର ମାଧବୀ ରାତି, ଘର ସେପଟ ବାଉଁଶ ବୁଦା ବାଧା ନ ମାନି ଝରକା ଫାଙ୍କରେ ଜୋଛନା ଆଲୁଅ ଝରି ପଡ଼ୁଚି । ସବୁଦିନ ପରି ଚଇତା ଆଗ ଆସି ବିଛଣାରେ ଶୋଇ ପଡ଼ିଲା । ବିଛଣା ଉପରେ ଆଲୁଅ ଛାଇର ଚିତା ପଡ଼ିଚି । ଚଇତା ଶୋଇ ଶୋଇ ଭାବିଲା ଜୀବନର ଅନାଗତ ଦିନର କଥା । ଭାବୁ ଭାବୁ ଭାବନାର ଦିଗନ୍ତ ସେପାରୀକି ଚାଲିଗଲା ଚଇତାର ମନ । କ’ଣ ସେ ଭାବୁଚି, ଅର୍ଥହୀନ ଭାବନା ଏ–ଅଳୀକ, ଅସାର । ଚଇତା ମନ ପୁଣି ଫେରିଆସିଲା ଜୀବଜଗତକୁ । ଦେଖିଲା, ସୁନ୍ଦର ପୃଥିବୀ—ଚାରିଆଡ଼େ ଖାଲି ଆନନ୍ଦ—ବଞ୍ଚି ରହିବାର ବିରାଟ ଆନନ୍ଦ ।

 

ପୁଣି କାହିଁକି ଏଇ ବଞ୍ଚିଲା ମଣିଷ ଭାବେ, ସେ ଯେପରି ଜିଇଁ ଥାଉ ଥାଉ ମରି ଯାଇଚି ଏ ବିରାଟ ଦୁନିଆରେ । ଅଭାବ, ଉତ୍ପୀଡ଼ନ, ଘାତ ପ୍ରତିଘାତରେ ଜୀବନ ନଉକା ଦୋହଲି ଉଠେ । ବେଳେବେଳେ ଡୁବି ଯାଏ ଝଡ଼ ଘୂର୍ଣ୍ଣିବାୟୁରେ ହା’ ହୁତାଶର ଗହୀର ଦରିଆରେ । ଭାବୁ ଭାବୁ ଆଖିପତା ନଇଁ ପଡ଼ିଲା ନିଦରେ ।

 

କନକର କଅଁଳ ହାତର ଶୀତଳ ପରଶରେ ଚଇତାର ଛାଇନିଦଟା ଛଟ କରି ଭାଜିଗଲା-। ଅନାଇଲା କନକ ବସି ଗୋଡ଼ ମୋଡ଼ି ଦେଉଚି । ଝରକା ଦେଇ କଣିକାଏ ଜହ୍ନ ଆଲୁଅ ତା’ ମୁହଁରେ ପଡ଼ିଚି । କନକକୁ ଦେଖି ଚଇତା କହିଲା, ଶୁଣିଲଣି କନ, ମୁଁ କଲିକତା ଯାଉଚି ଦି’ଦିନ ପରେ । ଅଭିମାନରେ କନକ କହିଲା, ଯାଉଁନ—ମୋତେ କାହିଁକି କହୁଚ । କନକର ଅଭିମାନ ଭରା କଥା ଶୁଣି ଚଇତା କହିଲା, ସତରେ କ’ଣ ତୋତେ ଛାଡ଼ି ଯିବାକୁ ମୋର ମନ ହେଉଚି-। କିନ୍ତୁ କ’ଣ କରିବି । ମହାଜନର ଦେଣା ବଢ଼ୁଚି । ବାପାଙ୍କର ଦିନ କାଳ ପୂରି ଆସୁଚି-। ଶେଷ ଆଡ଼କୁ ସେ ତ ଟିକେ ଶାନ୍ତିରେ ନିଶ୍ୱାସ ମାରିବା ଦରକାର । କନକ ଅଭିମାନ ଦରଦ ମିଶା ଗଳାରେ କହିଲା, ତମର ଯଦି ବିଦେଶ ଯିବାକୁ ମନ ଥିଲା, ମୋତେ କାହିଁକି ଆମ ଘରକୁ ଛାଡ଼ୁ ନଥିଲ-। ମୁଁ କାହା ପାଇଁ ଏଠି ପଡ଼ିରହିଲି । କନକ ଆଖିରୁ ଲୁହ ଦି’ଟୋପା ଚଇତା ଗୋଡ଼ ଉପରେ ଝରି ପଡ଼ିଲା । ଚଇତା କନକକୁ କୋଳକୁ ଟାଣି ଆଣିଲା । କହିଲା, ଛିଃ କନ ତୁ କାନ୍ଦୁଚୁ, ମୁଁ କ’ଣ ପୁଣି ଲେଉଟି ଆସିବି ନାହିଁ । ତଥାପି କନକ ଆଖିରୁ ଲୁହ ବନ୍ଦ ହେଲା ନାହିଁ । ସେ ପିଲାଙ୍କ ପରି ଚଇତା କୋଳରେ କଇଁ କଇଁ ହୋଇ କାନ୍ଦି ଉଠିଲା । ଚଇତା ତା’ ଆଖିରୁ ଲୁହ ପୋଛି କେତେ ବୁଝାଇଲା, କନ ମୁଁ କଲିକତା ଯାଉଚି କାହା ପାଇଁ । ତୋରି ବେକରେ ଏ ରୂପା କଣ୍ଠିଗୁଡ଼ା କି ଅସୁନ୍ଦର ଦେଖାଯାଉଚି–କାନଟା ଖାଲି, ଦି’ପଇସା ରୋଜଗାର କଲେ ଆଗେ ତୋରି ପାଇଁ ଗୋଟାଏ ସୁନାହାର ଆଉ କାନକୁ ଦୁଲ୍ କରିବି । ସତେ କନ ତୋର ଏଇ ଗୋରା ତକ ତକ ଚମ୍ପାଫୁଲ ପରି ଦେହରେ ସୁନାହାର ଆଉ କାନରେ ଦୁଲ୍ କେଡ଼େ ସୁନ୍ଦର ନ ମାନିବ । ସେତିକିବେଳେ ତୋରି ନାଲି ଓଠରେ ସରୁ ହସ ଦେଖିଲେ ମୋର ସବୁ ବିଦେଶ ଦୁଃଖ ଆପେ ଆପେ ପାସୋରି ଯିବ-। କନକ ଚଇତାର ମନଭୁଲା କଥାରେ କେତେ ଘଡ଼ି ପରେ ପ୍ରବୋଧ ହେଲା । ତା’ପରେ କେତେ ସୁଖ ଦୁଃଖ ପରେ କନକ ଶୋଇପଡ଼ିଲା ଚଇତା କୋଳରେ ।

 

ସେତେବେଳକୁ ରାତି ଅଧ–ନିଶା ଗର୍ଜୁଚି । ପକ୍ଷୀ ଓ ପକ୍ଷିଣୀ ଗଛ ଡାଳରେ ଆବେଗରେ ନିଦ୍ରା ଯାଇଛନ୍ତି । ଚଇତା ଆଖିରେ ନିଦ ନାହିଁ । ସେ କଲିକତା ଯିବ ବୋଲି ଖାଲି ସ୍ୱପ୍ନ ଦେଖୁଚି ।

 

କେତେ ଗାଁ, କେତେ ନଈ ପାରି ହେଇ ସେଇ ଯେଉଁ ସହର—ସେଇ କଲିକତା । ବଡ଼ ସହର । କେତେ ମଣିଷ, ଘୋଡ଼ାଗାଡ଼ି, ରିକ୍‍ସା, ମଟର, ଟ୍ରାମ, ବସ—କେତେ କାରଖାନା ଯୁଆଡ଼େ ଚାହଁ ଖାଲି କଳ, କାରଖାନା, ମଣିଷ, କୋଠାବାଡ଼ି । ସେଠିକା କୋଠାଗୁଡ଼ା କୁଆଡ଼େ ଆକାଶକୁ ଲାଗିଚି ! ସେଠିକା ମଣିଷ ମଉଜ ମଜଲିସରେ ଦିନ କାଟନ୍ତି–ଭଲ ପିନ୍ଧନ୍ତି–ଭଲ ଖାଆନ୍ତି-। ଆମ ଏଠିକା ମଣିଷଗୁଡ଼ା ସେଠିକା ମଣିଷ ଆଗରେ କୁଆଡ଼େ ପୋକ ପରି ଦିଶନ୍ତି, ଚଇତା ଖାଲି ଯା ଶୁଣିଚି–ସେଇଆ ଭାବି ଭାବି ଜୀବନର ବେଳା ଭୂମିରେ ସ୍ୱପ୍ନ ଦେଖୁଚି ।

 

ସେଇଠି—ସେ ପୁଣି ତା’ର ଜୀବନ କାଟିବ । ସେଠି ଏ ଘର ଦୁଆର ବାପ, ମା ନଥିବ, ଆଉ ଅନ୍ଧାର ଆଲୁଅ ପରି ଜୀବନ ପଛେ ପଛେ ଅତି ଆପଣାର ଭାରିଯା ଏଇ କନକ ବି ନଥିବ । କିପରି ଏଇ ଅସରନ୍ତି ଦିନଗୁଡ଼ା କଟିବ । ଚଇତା ଭାବିଲା କେତେ କେଜାଣି । ସାରା ଶରୀରରେ ତା’ର ଉତ୍ତେଜନାର ତଡ଼ିତ ପ୍ରବାହ ଖେଳିଗଲା । କନକକୁ ଆହୁରି ଜୋରରେ କୋଳରେ ଜାକିଧରି ତାରି ଘୁମନ୍ତ ଗଣ୍ଡ ଦେଶରେ ଚୁମ୍ୱନଟାଏ ଆଙ୍କି ଦେଲା । ତା’ପରେ ସପନ ଦୋଳିରେ ଦୋଳି ଖେଳିଲା ଚଇତାର ଦେହ ଓ ମନ । ରାତ୍ରିର ନୀରବତାର ବୁକୁ ଚିରି ସେତେବେଳକୁ ସାଇଁ ସାଇଁ ପବନ ବହୁଥିଲା ।

 

ସେଦିନ ମଙ୍ଗଳବାର । ଦିନସାରା କନକର ମନଟା ଭଲ ନାହିଁ । ବେଳେବେଳେ ଆଖିରେ ଲୁହ ଜକେଇ ଆସୁଚି । ରାତି ପାହିଲେ ତାରି ଅତି ଆପଣାର ସ୍ୱାମୀ ତାକୁ ଛାଡ଼ି ଚାଲିଯିବ ସୁଦୂର ବିଦେଶକୁ । ସାତ ସମୁଦ୍ର ତେର ନଈ ସେପାରୀରେ ସେ ଯେଉଁ ବିଦେଶ, ସେଠି କିଏ ଥିବ । ତା’ ସ୍ୱାମୀର ଭଲ ମନ୍ଦ ଖାଇବା ପିଇବା ସବୁ ଖବର ବୁଝିବ । କନକ ଖାଲି ଭାବୁଚି --ଦିନସାରା କୋଉ କାମରେ ମନ ନାହିଁ ।

 

ସଞ୍ଜ ହେଲା । ସରଗ ମଥାନରେ ଜହ୍ନମାମୁଁର ତୋରା ହସଟିକ କେଡ଼େ ସୁନ୍ଦର ଦିଶିଲା-। କନକ ଚଇତାକୁ ଚକୁଳି ପିଠାକରି ଖାଇବାକୁ ଦେଲା । ତାକୁ କିଏ କହିଥିଲା ଚକୁଳି ପିଠା ଖାଇ ବିଦେଶ ଗଲେ ଚଞ୍ଚଳ ଘରକୁ ଫେରି ଆସନ୍ତି ବୋଲି ।

 

Image

 

ଚଇତା ତା’ର ସାଙ୍ଗସାଥୀମାନଙ୍କୁ ଶେଷ ଦେଖା କରି ରାତି ଦି’ଘଡ଼ି ବେଳକୁ ଘରକୁ ଫେରି ଆସିଲା, ଘର ଭଲ ମନ୍ଦ ବିଷୟରେ କେତେ କଥା ବାପାଙ୍କ ସହିତ ପଡ଼ିଲା । ତା’ପରେ ଖାଇ ଶୋଇବାକୁ ଗଲା । ରାତିରେ କନକକୁ କେତେ ବୁଝାଇଲା । କନକ କହିଲା, ବିଦେଶ ଯାଉଚ–ମୋତେ ଭୁଲିଯିବ ନାହିଁ ତ ? ଚଇତା କହିଲା, କନ ଭୁଲିକି କିଏ ପାରେ ।

 

ପାହାନ୍ତିଆ ତରା ଉଇଁଲାବେଳକୁ ଚଇତା ନିଦରୁ ଉଠିଲା । ପାହାନ୍ତା ପହରୁ ବିଦେଶ ଯିବା ଶୁଭ । କନକ ଉଠି ଦୁଆରେ ପୂର୍ଣ୍ଣ କଳସ ବସାଇଲା । ଭୋରୁ ଭୋରୁ ଚଇତା ଗାଧୋଇ ଖାଇ ବାପା ବୋଉଙ୍କଠାରୁ ବିଦାୟ ନେଇ କଳସ ଓ ଚଉଁରା ମୂଳେ ଦଣ୍ଡବତ ହୋଇ ବାହାରି ପଡ଼ିଲା । କନକ ଖାଲି କାନ୍ଦୁଥାଏ । ଶାଶୁ ଆସି ତା’ର କେତେ ବୁଝେଇଲା । ଛି ବୋହୂ, ବିଦେଶ ଗଲାବେଳେ କାନ୍ଦନ୍ତି ନାହିଁ—ସ୍ୱାମୀର ଅମଙ୍ଗଳ ହେବ । କନକ ଆଖିରୁ ଲୁହ ପୋଛିଲା । ଆଗରୁ ନିତିଆ ଓ କାଳି ସାମୁଲ ଯାଇ ଗାଁ ମୁଣ୍ଡ ଠାକୁରାଣୀ ବରଗଛ ନିକଟରେ ଚଇତା ଅପେକ୍ଷାରେ ଥିଲେ, ସେଇ ଜାଗାଟା ଗାଁର କଲିକତିଆଙ୍କର ପାହାନ୍ତରା ପଡ଼ିଆ, ସେଇଠି କଲିକତିଆ ସବୁ ସାଙ୍ଗ ହୁଅନ୍ତି । ଠାକୁରାଣୀଙ୍କ ନିକଟରେ ନିଜର ମଙ୍ଗଳ କାମନା କରି ତା’ପରେ ବାହାରି ପଡ଼ନ୍ତି—ସୁଦୂର ବିଦେଶ ପଥରେ । ଚଇତା ପହଞ୍ଚିଲାରୁ ସମସ୍ତେ ଉଠିଲେ । ଠାକୁରାଣୀଙ୍କୁ ମୁଣ୍ଡିଆମାରି ବାହାରି ପଡ଼ିଲେ । ଘର–ବାଡ଼ି, ଗାଁ–ଭୂଇଁ ବାପ ମା, ସ୍ତ୍ରୀ ମାୟାମମତା ସବୁ ପଡ଼ି ରହିଲା ପଛରେ । ସେମାନେ ଆଗେଇ ଚାଲିଲେ କେତେ ଗାଁ ଅତିକ୍ରମ କରି ।

 

ରେଳଗାଡ଼ି ଦଉଡ଼ୁଥିଲା ସତେ ଯେପରି ସୀମାହୀନ ଅସୀମ ପଥରେ । ତା’ ସଙ୍ଗେ ସଙ୍ଗେ ଚଇତାର ମନ ବି ଦଉଡ଼ୁଥିଲା । କାହିଁ କେତେ ଦୂରରେ ଆଜି ସେ । କୁଆଡ଼େ ଯାଉଚି । ନିତିଆ କହିଲା କ’ଣ ଭାବୁଚ ଏତେ ଚଇତା ଭାଇ, ନୂଆବୋହୂ କଥା ମନେ ପଡ଼ୁଚିକିରେ । ଚଇତାର ମନ ଭାବନା ମୂଲକରୁ ଫେରି ଆସିଲା । ହସି ହସି ନିଜର ଦୁର୍ବଳତାକୁ ଲୁଚାଇ କହିଲା, ନାଁରେ ନିତିଆ, ଭାବୁଚି ବିଦେଶରେ କେଉଁଠି କିପରି ଦିନ କାଟିବା । ନିତିଆ କହିଲା, ଯା ଭାଗ୍ୟରେ ଥିବ ହେବ, ଏତେ ଭାବୁଚୁ ଗୋଟାଏ କ’ଣ ମ । ତଥାପି ଚଇତାର ମନଟା ଘର ଧରିଲା ନାହିଁ–ଖାଲି ଭାବନା ମୁଲକର ସରଗ ସେ ପଟରେ ଉଡ଼ି ଉଡ଼ି ବୁଲିଲା ।

 

ଗାଡ଼ି ଚାଲିଛି କେତେ ଷ୍ଟେସନ ଅତିକ୍ରମ କରି । ଚଇତାକୁ ସବୁ ଯେପରି ନୂଆ ପରି ଲାଗୁଚି । କେତେ କେତେ ନୂଆଲୋକ ଆସୁଚନ୍ତି–ଯାଉଚନ୍ତି । ଗାଡ଼ି ଆସି ବାଲେଶ୍ୱର ଷ୍ଟେସନରେ ପହଞ୍ଚିଲା । ଷ୍ଟେସନ ଉପରୁ ଲୋକ ଗହଳି ଶୁଭିଲା । ଷ୍ଟେସନ ଉପରେ ଗୋଟାଏ ଟୋକା ଚା’ ଗରମ, ଚା’ ଗରମ ଡାକି ଡାକି ଗଲା । ତା’ପରେ ଆଉ ଗୋଟାଏ ଟୋକା ପାନ ବିଡ଼ି ସିଗାରେଟ୍ ପାନ ବିଡ଼ି ସିଗାରେଟ ଚିତ୍କାର କରି ଉଠିଲା । ଚଇତା ଗାଡ଼ି ଭିତରୁ ବାଲେଶ୍ୱର ଷ୍ଟେସନ ଉପରେ ଟିକିଏ ଆଖି ବୁଲାଇ ନେଲା । ସତରେ ଆଜି ସେ କେତେ କେତେ ନୂଆ ଜାଗା ଦେଖୁଚି । ନୂଆ ଲୋକଙ୍କର ପରିଚୟ ପାଉଚି । ଟିକିଏ ଛାଡ଼ି ସିଗନାଲ ଦେଇ ଗାଡ଼ି ଛାଡ଼ିଲା । ଯେତେ ଜୋରରେ ଗାଡ଼ି ଚାଲୁଛି—ସେତିକି କଲିକତା ନିକଟ ହେଇ ଆସୁଚି । ଚଇତା ମନରୁ କନକର ଭାବନା ମରି ମରି ଆସୁଛି । କଲିକତା ସ୍ୱପ୍ନ ଦେଖୁ ଦେଖୁ ଚଇତା କେତେବେଳେ ଶୋଇ ପଡ଼ିଲା—ଜାଣେ ନାହିଁ-

 

ଭୋର ସାଢ଼େ ଛ’ଟା ବେଳକୁ ଗାଡ଼ି ଆସି ହାଓଡ଼ା ଷ୍ଟେସନରେ ପହଞ୍ଚିଲା । ନିତିଆ ଡାକିଲା ଚଇତା ଭାଇ ଉଠ ଉଠ, ଆମେ ଆସି କଲିକତାରେ ପହଞ୍ଚିଲେଣି । ଚଇତା ଆଖି ମଳି ମଳି ଗଣ୍ଠିଲିଟି ଧରି ହୁସ୍ କରି ଉଠି ପଡ଼ିଲା । ଷ୍ଟେସନରେ ପେଲା ପେଲି ମଣିଷ ସମୁଦ୍ରର ଅସୁମାରୀ ଭିଡ଼ ତରଙ୍ଗ ଠେଲି କାଳି ସାମୁଲ ଚଇତା ଓ ନିତିଆକୁ ନେଇ ବାହାରି ଆସିଲା । ଆଗରେ ଗଙ୍ଗାନଦୀ, ହାଓଡ଼ା ପୋଲ, ଅସଂଖ୍ୟ କୋଠାବାଡ଼ି, ପେଲା ପେଲି ମଣିଷ, ଅସୁମାରୀ ଗାଡ଼ି । କାହାରିକୁ ତର ନାହିଁ—ସମସ୍ତେ କର୍ମ ଚଞ୍ଚଳ । ଚଇତା ନିତିଆ ଦିହେଁ ଦେଖିଲେ ଏଇ ତାଙ୍କର ସେଇ ସ୍ୱପ୍ନର କଲିକତା—ଓଡ଼ିଆଙ୍କର ଆଶା ଭରସାର ଶେଷ ସଙ୍ଖାଳୀ ଏଇ ସେଇ କଲିକତା ।

 

–୫–

 

ବହୁ ବଜାର । ଅଳି ଗଳି, କନ୍ଦି ବିକନ୍ଦିରେ ଓଡ଼ିଆ ପୂରି ରହିଛନ୍ତି । ଶଶୀଭୂଷଣ ଦେ ଷ୍ଟ୍ରୀଟକୁ ଲାଗି ଛୋଟ ଗଳିଟି ଭିତରେ କାଳି ସାମୁଲର ବସା । ସେହି ବାଡ଼ି ଭିତରେ କେତେ ମୁଲକର ଓଡ଼ିଆ ଭାଇ ବସା ବାନ୍ଧି ରହିଚନ୍ତି । ଯେପରି ଏକା ଘରର—ବାଦ ନାହିଁ–ବିବାଦ ନାହିଁ । ବିଦେଶରେ ସମସ୍ତେ ଭାଇ ଭାଇ । କାଳି ସାମୁଲ ସାଙ୍ଗରେ ଆଉ ଦି’ଜଣ ଲୋକ ଏକା ବସାରେ ରହନ୍ତି । କାମ କରନ୍ତି ଏକାଠି । ଚଇତା ନିତିଆ ଦିହେଁ ସେଇଠି ଚାରିଦିନ ହେଲା ଆସି ରହିଛନ୍ତି । କାଳି ସାମୁଲ ତାଙ୍କ ଦିହିଁଙ୍କ ପାଇଁ କେତେ ଜାଗା ବୁଲି ଚାକିରିର ସନ୍ଧାନ ନେଉଚି । ବୁଲି ବୁଲି ୧୫ ଦିନ ପରେ ନିତିଆ ପାଇଁ ଗୋଟିଏ ଚାକିରି ମିଳିଗଲା ପାର୍କ ସର୍କସର ଗୋଟିଏ ସାହେବ ବାଗାନରେ । ମାଳି କାମ—ମାସକୁ ଚାଳିଶ ଟଙ୍କା । ନିତିଆ କାମରେ ଜଏନ ଦେଲା । ଜଣକ ଚିନ୍ତାରୁ କାଳି ସାମୁଲ ଖଲାସ ହେଲା–ବାକି ରହିଲା ଚଇତା ।

 

କଲିକତା ସହରର ସୌନ୍ଦର୍ଯ୍ୟ ଦେଖୁ ଦେଖୁ ଚଇତା ଘର ସ୍ମୃତିଗୁଡ଼ାକ ଦୂରକୁ ଟିକେ ଆଡ଼େଇ ଦେଇଚି ସିନା—କିନ୍ତୁ ଏ ଯାଏ ଭୁଲିନାହିଁ । ଅବସର ବେଳେ କନକର ସେଇ ଦରଦର ହସିଲା ମୁହଁଟି ଆଖି ଆଗରେ ନାଚି ଉଠେ । ସାଥୀହୀନ ହୃଦୟଟା ତା’ର ହାହାକାର କରିଉଠେ । ମନଟା ବି ଭଲ ଲାଗୁନି ଏଯାଏ । ଚାକିରିର ଯୋଗାଡ଼ ହେଲା ନାହିଁ । ଏତେ ଆଶା ପୋଷି କଲିକତା ଆସିଚି—ସବୁ କ’ଣ ନିରର୍ଥକ । ବସି ବସି ଶୁଖିଲା ମୁହଁ କରି ଚଇତା ଯେତେବେଳେ ଭାବେ, କାଳି ସାମୁଲ ତାକୁ ଭରସା ଦେଇ କହେ, ଚଇତା ମନମାରି ବସିଚୁ କାହିଁକିରେ—ଯା ବୁଲି ଆସିବୁ । କଲିକତା ସହର ଲକ୍ଷ ଲକ୍ଷ ଲୋକଙ୍କୁ ଦାନା ଯୋଗାଉଚି–ତୋ ପାଇଁ ଚାକିରିଟାଏ ମିଳିବ ନାହିଁ । ଯା ଯା ହସ ଖୁସିରେ ବୁଲ । ତୋ ଚାକିରି କଥା ମୁଁ ବୁଝିବି ।

 

ଦିନେ କାଳି ସାମୁଲ ଶୁଣିଲା, ମାଟିଆ ବୁରୁଜ ସୂତା କଳରେ ନୂଆ ଲୋକ ନେଉଚି । ଖବର ପାଇ ଚଇତାକୁ ନେଇ ମାଟିଆ ବୁରୁଜରେ ପହଞ୍ଚିଲା । ମାଟିଆ ବୁରୁଜ ସୂତା କଳର ରାଧୁ ସରଦାର ସହିତ କାଳି ସାମୁଲର ଆଗରୁ ଜଣାଶୁଣା ଥିଲା । ତାରି ଦ୍ୱାରା ଚଇତାର ଚାକିରିଟିଏ ଯୋଗାଡ଼ ହେଇଗଲା । ସୂତା ଯୋଡ଼ିବା କାମ—ହପ୍ତା ପନ୍ଦର ଟଙ୍କା ।

 

ଚଇତା ଭବିଲା ମନ୍ଦ ନୁହେଁ ଚାକିରିଟା । ମାସକୁ ହେଲାଣି ଷାଠିଏ ଟଙ୍କା । କୋଡ଼ିଏ ଟଙ୍କାରେ ସେ ନିଜର ଖର୍ଚ୍ଚ ତୁଲାଇ ବାକି ଟଙ୍କା ମାସକୁ ମାସ ଘରକୁ ପଠାଇ ଦେବ । ବାପା ଟଙ୍କା ପାଇଲେ କେତେ ଖୁସି ହେବେ । ମନ ଖୁସିରେ ବାପାଙ୍କ କତିକି ଚିଠି ଖଣ୍ଡେ ଲେଖି ସେହିଦିନ ପଠେଇ ଦେଲା ।

 

Image

ପହିଲା ତାରିଖରୁ ଚଇତା କାମରେ ହାଜିର ହେଲା । ଏଣିକି ନିଇତି ସକାଳ ହେଲେ କଳ ଘରର କଲିଜା ଥରା ବଂଶୀ ଚଇତାକୁ ଡାକିଦିଏ । ଚଇତା କାମକୁ ଦଉଡ଼େ । ଶହ ଶହ ମଜୁରିଆ ଦଉଡ଼ନ୍ତି–ଚଇତା ବି ତାରି ଭିତରୁ ଜଣେ । ମନରେ ତା’ର କ୍ଳାନ୍ତି ନାହିଁ । ନାହିଁ ଅବସାଦ । ବିଜୁଳି ପରି ସେ କାମ ବେଳେ ଖଟିଥାଏ ।

 

କୁଲି ଲାଇନ କରକୁ ଛୋଟିଆ ବସ୍ତି ଭିତରେ ଚଇତା ଜଣଙ୍କ ବସାରେ ମୁଣ୍ଡ ଗୁଞ୍ଜି ରହିଚି । ଖପରଲି ଘର ଖଣ୍ଡେ—ପାଖକୁ ପାଖ ଆଉ କେତେ ଘର । କେତେ କେଜାଣି ମଜୁରିଆ ରହନ୍ତି କେତେ ଦେଶର—କେତେ ଆଡ଼ର । ବସ୍ତି ସେ ପାଖରେ ନର୍ଦ୍ଦମାର କୁଢ଼—ମାଛି ଭଣ ଭଣ-। ବେଳେବେଳେ ନାକଫଟା ଗନ୍ଧ ଆସେ ପବନରେ । ସେ ବସାରେ ଆଉ ତିନିଜଣ ଲୋକ ରହନ୍ତି–ସେମାନେ ବି ଚଇତା ପରି କଳଘରର ମଜୁରିଆ । ରାଧୁ ସରଦାର ଚଇତାକୁ ଆଣି ସେ ବସାରେ ରଖିବାକୁ ସ୍ଥାନ ଦେଇଚି । ସେ ବସାରେ ଯୋଉ ତିନିଜଣ ରହନ୍ତି–ସେମାନେ ରାଧୁ ସରଦାରର ଗାଁ ଆଖପାଖ ଲୋକ ।

 

ଚଇତା ବସାରେ ରହିଲା ଦିନୁଁ ସେ ଅନ୍ୟ ତିନିଜଣଙ୍କୁ ନିଜର କରିପାରିଚି । ସମସ୍ତଙ୍କୁ ଆପଣାର ପରି ଦେଖେ—କାହାରି କଥା ତଳେ ପକାଇ ଦିଏନା । ସମସ୍ତେ ଚଇତାକୁ ଆଦର କରନ୍ତି- କିନ୍ତୁ ସବୁଠୁ ଚଇତାକୁ ବେଶି ଭଲପାଏ ବାଉରିଆ । ବାଉରିଆ ଚଇତା ଦିହେଁ ଏକା ବୟସର—ସେଥିପାଇଁ ଦିହିଁଙ୍କର ବେଶି ମନ ମିଳେ । ଅବସର ବେଳେ କେତେ ମନଖୋଲା ଅଛିଡ଼ା ଗପ ପଡ଼େ । ଚଇତା ବାଉରିଆକୁ ନାଁକୁ ଖାଲି ଭାଇ ବୋଲି ଡାକେ ସିନା—କିନ୍ତୁ ଭାଇ ପରି ଖାତିର କରେନା । ବନ୍ଧୁ ପରି ଦେଖେ ।

 

ଦିନଟାଯାକ କାମ କରି କରି ଚଇତାର ଦିନଟା କଟିଯାଏ—ଭାବିବାକୁ ବେଳ ମିଳେନା-। ରାତି ଆସେ—ଚଇତା ଭାବେ କ୍ଲାନ୍ତ ଅବଶ ଦେହଟାକୁ ବିଛଣାରେ ଜଡ଼ାଇ ଦେଇ ଟିକେ ଶାନ୍ତିରେ ନିଶ୍ୱାସ ନେବ । କିନ୍ତୁ ଆଖି ଆଗରେ ତା’ର ଭାସି ଉଠେ ଗୋଟି ଗୋଟି ହେଇ ଗାଁ, ଘରଦୁଆର—ଧାନ ବିଲ—ବୋଉର ରୁଗ୍‍ଣ ଶରୀର—ବାପାଙ୍କର ବଳିଲା ବଳିଲା ଚେହେରା–କନକର ଶୁଖିଲା ମୁହଁ । ଆସିଲା ବେଳେ କେତେ ସେ କାନ୍ଦିଥିଲା । ଚଇତା ଦେଖେ ଆସିଲା ଦିନୁ ସବୁଦିନେ ଯେପରି ସେ ସିମିତି କାନ୍ଦୁଚି । ଭାବୁ ଭାବୁ ଚଇତା ଆଖିଟା କେତେବେଳେ ଓଦା ହେଇ ଆସେ । କିରେ ଏତେ ଭାବୁଚୁ କ’ଣ କିରେ ଚଇତା—.ମୁହଁଟା କାହିଁକି ଶୁଖିଲା ଦିଶୁଚି । ବାଉରିଆ ପଚାରେ ଚଇତାକୁ । ଚଇତା ମୁହଁର ଭାବ ବଦଳାଇ କହେ, ନାଁ ମ ବାଉରିଆ ଭାଇ, ଭାବିବି ଗୋଟାଏ କ’ଣ । ଏଠି ମୋର କ’ଣ ଅସୁବିଧା ହେଉଚି ଯେ ମୁହଁ ଶୁଖିଲା କରିବି । ତୋ ପରି ଭାଇ ପାଇଚି—ଏହାଠୁ ବଳି ଭାଗ୍ୟ ମୋର କ’ଣ ଅଛି । ବାଉରିଆ ହସି ହସି କହିଲା, ହଁ ରେ ଚଇତା ମୁଁ ଜାଣେ—ତୁ ଯେତେ ଲୁଚାଇଲେ ବି ତୋ ମନକଥା ମୁଁ ଭଲକରି ଜାଣେ । ନୂଆ ବାହା ହେଇ ନୂଆ ସୁଆଦ ଚାଖୁ ଚାଖୁ ଘରେ ସୁନ୍ଦରୀ ଭାରିଯାକୁ ଛାଡ଼ି ଆସିଚୁ ବୋଲି ବିଦେଶରେ ମନଟା ତୋର ଲାଗୁନି ନୁହେଁ ?

 

ଚଇତା କିଛି କହିଲା ନାହିଁ । ଖାଲି ମୁରୁକି ମୁରୁକି ହସିଲା । ସେ ହସରେ ଯେପରି ଇଙ୍ଗିତ ଦେଲା ବାଉରିଆ ଭାଇ ତୁ ମୋ ମନ କଥା ଜାଣିଲୁ କିପରି ? ବାଉରିଆ କହିଲା, ଚଇତା ନୂଆ ନୂଆ ସବୁ ସିମିତି ହୁଏ । ମୁଁ ବି ଦିନେ ତୋରି ପରି ହେଉଥିଲି । ଦିନ ଗଡ଼ି ଯାଇଚି—ଅବୁଝା ମନ ଘର ଧରିଚି । ବାହା ହେଲିଣି ଆଜିକି ପାଞ୍ଚ ବରଷ ହେବ । ଏହି ପାଞ୍ଚବରଷ ଭିତରେ କେତେ ସୁଖ ଦୁଃଖର ଲହଡ଼ି ଭାଙ୍ଗି ଜୀବନ ସିମିତି ଚାଲିଚି ଆଗକୁ । ଅତୀତର ସୁଖ ସ୍ମୃତି ଗୁଡ଼ା ଗୋଡ଼ି ମାଟି ପରି କାହିଁ କେତେ ଦୂରରେ ପଡ଼ିଲେଣିରେ । ଚଇତା ଆଜି ଭାବିବାକୁ ବେଳ ମିଳୁନାହିଁ । ଖାଲି ରାତି ପାହିଲେ କାମ କର—ଖାଅ ପିଅ । ନିଜର ଘର ସଂସାର ଦେଖ । ଏହାହିଁ ହେଉଚି ସାର । ଜୀବନର ସୁଖ ସୁଆଦ ସବୁ ବୟସ ଗଡ଼ିଲେ ମରିଯିବରେ ଚଇତା, ତୁ ପୁଣି ଦିନେ ବୁଝିବୁ । ଆମେ ତ ମଜୁରିଆ—ଦିନ ରାତି ଖଟିଲେ ବି ପେଟ ଚାଖଣ୍ଡକ ପୂରୁନାହିଁ । ଘରେ ପିଲା ପିଲି ଉପାସ । ଆମର ଗୋଟାଏ ସୁଖ ଆନନ୍ଦ କ’ଣ ଅଛିରେ । ମନ ସିନା ଲୋଡ଼େ–କିନ୍ତୁ ଜୀବନରେ ତା’ ସମ୍ଭବ ହୋଇପାରେନା ।

 

ଚଇତା ବାଉରିଆର କଥା ଶୁଣି କହେ ସତେ ବାଉରିଆ ଭାଇ ସବୁ ବୁଝିବି ମନଟା ବୁଝୁନାହିଁ । ଖାଲି ଘରଦୁଆର, ବାପା ବୋଉ, କନକ କଥା ବାର ବାର ମନେପଡ଼ୁଚି । ଆସିଲାବେଳେ କନକ ଭାରି କାନ୍ଦୁଥିଲା । ଘରେ ଥିଲାବେଳେ ଦିନେ ଦିନେ ହଳରୁ ଫେରୁ ଫେରୁ ଡେରିହେଲେ ଯିଏ ମନମାରି ବସେ—କଥା କହେନା—ସେ ପୁଣି କିମିତି ଚଳୁଥିବ ଖାଲି ତାରି କଥା ମନେପଡ଼ୁଚି । ବାଉରିଆ ହସି ହସି କହିଲା, ମୁଁ ବି ଦିନେ ଟଭି ପେଇଁ ସେମିତି ହେଉଥିଲି । ମାସେ ଦି’ମାସରେ ଘରକୁ ପଳାଉଥିଲି । କିନ୍ତୁ ଦିନେ ସୁଦାମ ଭାଇଙ୍କର ଗାଳି ଶୁଣିଲି । କହିଲେ, ଚାକିରି ଆଗ ନା ରେ ବାଉରିଆ ମାଇପ ଆଗ । ତୋରି ହାତକୁ ଘରେ ମଲା ଦଦରା ବୁଢ଼ୀମା, ବୋଉ, ବାପା, ଭାରିଯା ଚାରି ଚାରିଟା ପରାଣି ଅନାଇ ରହିଚନ୍ତି । ପିତୃପୁରୁଷ ଅର୍ଜିତ ଜମି ବୋଲି ଅରିଏ ତ ନାହିଁ । ସବୁ ଦିନେ କିଣିବେ—ଖାଇବେ । ତୁ ଇମିତି କାମରେ ମାରା କରି ଘରକୁ ଦଉଡ଼ିଲେ ଚାକିରି ରହିବଟିରେ ବାଉରିଆ, ସେଇଦିନଠୁ ଚେତନା ପଶିଲା ମୋ ଦେହରେ । ତା’ପରେ ଆପେ ଆପେ ସବୁ ଦେହସୁହା ହୋଇଗଲା ।

 

ସେତିକିବେଳେ ବସାରେ ଆଉ ଦି’ଜଣ ପଦାନି ସୂତାର, କେଳୁ ମହାନ୍ତି ଆସି ପହଞ୍ଚିଲେ-। ପଦନୀ ସୂତାର କେଳୁ ମହାନ୍ତି ଦି’ ଜଣଙ୍କ ବୟସ ଚାଳିଶ ପାଖାପାଖି । ଦି’ ଜଣଯାକ ଜୋରଦାର ମଣିଷ–ଖଟିଲେ ହଟି ପଡ଼ନ୍ତି ନାହିଁ । ପଦନୀ ସୂତାର ଘର ଯାଜପୁରେ—କେଳୁ ମହାନ୍ତି ଘର ଯାଜପୁର ପାଖ ଗାଁ ପ୍ରୀତିପୁର । ଦିହେଁ ଘର ପାଖାପାଖି ଲୋକ ବୋଲି ଦିହିଁଙ୍କର ଏକ ମେଳ–ଏକ କଥା ।

 

ପଦନ ସୂତାର ଦାନ୍ତ ଦି’ଟା ପଦାକୁ ବାହରିଚି । ଦେହର ରଙ୍ଗ କଳା, ଦେଖିବାକୁ ବିକୃତ ଚେହେରାର ମଣିଷଟାଏ । ସେଥିପାଇଁ ପଦନି ସୂତାରକୁ କାଳିଆ ଦନ୍ତା କହିଲେ ଭାରି ଚିଡ଼େ । ପାନ ଖାଏ ବେଦମ–ଦାନ୍ତଗୁଡ଼ା କଳା ପଡ଼ିଗଲାଣି । କେଳୁ ମହାନ୍ତି ଏକବାଗିଆ ଲୋକଟା । ଯା ବୁଝିଥିବ—ସେଇଆ । ସାମାନ୍ୟ କିଛି ପାଠ ଶାଠ ପଢ଼ିଚି । ସେଥିପାଇଁ ମଜୁରୀଆଙ୍କ ଭିତରେ ସେ ଟିକେ ନେତାଗିରି ଦେଖାଏ । ଗୌରବର୍ଣ୍ଣ–ମୁହଁଟି ଗୋଲ—ନାକଟା ଟିକିଏ ଚେପ୍‍ଟା–ଆଖି ଦିଇଟା ବଡ଼ ବଡ଼ ।

 

ପଦନ ସୂତାର କହିଲା, କିରେ ବାଉରିଆ, ଆଜି ଆସି ଏତେ ରାତି ହେଲାଣି । ବଜାର ସଉଦା ହେବ କେତେବେଳେ–ରୋଷେଇ ହେବ କେତେବେଳେ । ବାଉରିଆ କହିଲା, ଯାଉଚି ପଦନୀ ଭାଇ, ତମେ ଦିହେଁ ବସାରେ ରହ । ଏତିକି କହି ବାଉରିଆ ତା’ର ମଇଳା କୋଚଟ ଅଖା ବେଗ୍‍ଟା ନେଇ ଚଇତା ସାଥୀରେ ବଜାରକୁ ବାହାରି ପଡ଼ିଲା ।

 

ବଜାରରୁ ଫେରୁ ଫେରୁ ରାତି ନଅଟା ବାଜିଗଲା । ତରବର ହୋଇ ଚଇତା ଚୁଲି ଧରି ଭାତ ହାଣ୍ଡି ଆଣି ବସାଇଲା, ବାଉରିଆ ପରିବା କାଟିଲା । ଦିନବେଳେ ପଦନୀ ସୂତାର, କେଳୁ ମହାନ୍ତି, ରାତିକି ଚଇତା ଓ ବାଉରିଆ ପାଳି କରି ରୋଷେଇ କରନ୍ତି । ଖାଉ ଖାଉ ସେ ଦିନ ବାରଟା ବାଜିଲା । ମଜୁରିଆ ଜୀବନରେ ଖାଇବା ପିଇବା ବି ଠିକ୍ ନ ଥାଏ । କୋଉଦିନ ରାତିରେ କଳଘର ଚାଲିଲେ ମଜୁରିଆମାନଙ୍କୁ ନିଶ୍ୱାସ ମାରିବାକୁ ବେଳ ନ ଥାଏ । ଗଣ୍ଡିଏ ଖାଇ ପୁଣି ସେମାନେ ଦଉଡ଼ନ୍ତି ଅଧିକ ଲୋଭରେ ।

 

ଇମିତି କଳଘରର ମଜୁରିଆ ଜୀବନ ବିତି ଚାଲେ । ନିତି ସଞ୍ଜହେଲେ କୁଲି ବସ୍ତି ଭିତରୁ ଓଡ଼ିଆଙ୍କର ଖଞ୍ଜଣି ମାଡ଼ ଶୁଭେ । କିଏ ଭଜନ ଚଉତିଶା, କିଏ ବା ଉପଇନ୍ଦ୍ର ଭଞ୍ଜ ଦୀନକୃଷ୍ଣଙ୍କ ଛାନ୍ଦରୁ ପଦେ ଅଧେ ବୋଲି ନିଜର କର୍ମ କ୍ଳାନ୍ତ ନୀରସ ଜୀବନକୁ ଟିକେ ସରସ କରି ଆନନ୍ଦ ଉପଭୋଗ କରନ୍ତି । ଆଉ କିଏ ବାବାରେ ଆଲୁଅ, ରଜ ଭାବନା, ପୂଜାବିଳାସ ଗୀତମାନ ବୋଲି ଦିନ ସାରା ଦୁଃଖ କଷ୍ଟ ଭୁଲିଯାନ୍ତି ।

 

କେଉଁଠି କେଉଁଠି ଦି’ ଚାରିଜଣ ମେଳି ହୋଇ ସରଗ ସେପଟର ଅଛିଣ୍ଡା ଗପ କରନ୍ତି । କେଉଁଠି ଟୋକା ଟୋକା ମେଳି ହୋଇ ବସ୍ତି ଭିତରେ କାର ସୁନ୍ଦରୀ ବୋହୂ, ଝିଅ ବିଷୟରେ ଆଲୋଚନା କରନ୍ତି । କିଏ କିଏ ଘର, ପିଲା କୁଟୁମ୍ୱ କଥା ଗୁଣି ହୁଅନ୍ତି । ପଦନୀ ସୁତାର ଟିକେ ହସ ଖୁସିର ଲୋକ । ବେଳେବେଳେ ଏପରି କଥା କହେ ହସେଇ ହସେଇ ପେଟ ଦରଜ କରେ । ଦିନେ ଦିନେ ରାତିରେ ପଦନି ସୂତାର ବସି କ’ଣ ଭାବିଲା ବେଳେ ବାଉରିଆ ଭାଇ ପଚାରେ, କି ପଦନି ଭାଇ କା କଥା ଏତେ ଭାବୁଚୁ ମ । ପଦନୀ ସୂତାର ହସି ହସି କହେ, ଶାରୀଆ ବୋଉ କଥା ଭାବୁଚିରେ । କେତେ ରାଣ ନିୟମ ପକେଇ କହିଥିଲା ଦଶରାକୁ ଘରକୁ ଯିବାକୁ । ଦଶରା ତ ଗଲା–ଗଲିନାହିଁ । ସେଇ ଲାଗି ଘୋଷା ହୋଇ ଚିଠି ଖଣ୍ଡେ ବି ଦେଉନାହିଁ । ବାଉରିଆ ହସି ହସି କହିଲା, ଶାରୀଆ ବୋଉ ତମର ଏଇ ସୁନ୍ଦର ଚେହେରା ଦେଖି ଏତେ କିମିତି ରସିଚି ମ । ପଦନି ହସି ହସି କହେ, ଆରେ ଦିନେ ପରା ରାତିରେ ଡେରି କରି ଗଲି ବୋଲି ଶାରୀଆ ବୋଉ କବାଟ କିଳି ଦେଲା । ଯେତେ ଡାକିଲି ଫିଟାଇଲା ନାହିଁ । ପାଞ୍ଚଦିନ କାଳ କଥା ବି ପଦେ କହିଲା ନାହିଁ—ଚଇତା, ବାଉରିଆ, କେଳୁ ମହାନ୍ତି ସମସ୍ତେ ହି ହି ହୋଇ ହସି ଉଠିଲେ ।

 

କେଳୁ ମହାନ୍ତି ନିଜର ବଡ଼ିମା ଦେଖାଇ କହିଲା, ବିମଳୀକି ଯେତେବେଳେ ମୁଁ ବାହାହେଲି, ତା’ ରୂପ ଦେଖି ମୁଁ ଦୁନିଆ ଭୁଲିଗଲି । ଗାଁରେ ଯିଏ ଦେଖିଲା ସମସ୍ତେ କହିଲେ, ମହାନ୍ତି ଘରର ଲାଖି ବୋହୂଟିଏ । ଦିନେ ତା’ ମନ ବିଡ଼ିବାକୁ କହିଲି, ବିମଳୀ ତୁ ଯେତେ ହେଲେ କ’ଣ ଆମ ଗାଁ ରାମ ଭାଇଙ୍କ ସ୍ତ୍ରୀଙ୍କଠୁ ସୁନ୍ଦରୀ । ଏତିକିରେ ମୁଁ ଯାଏ କୁଆଡ଼େ । ଫଁ କିନାତ ଫଣା ଟେକି ଉଠିଲା । କହିଲା, ଯାଉନା ସେଇ ରାମଭାଇଙ୍କ ମାଇପ କତିକି । ମାସେ କାଳ ପରା ମୋତେ କତିରେ ପୂରାଇ ଦେଲାନାହିଁ । ଯୋଉ ଡହଳ ବିକଳରେ ଦିନ କାଟିଲି ।

 

ଇମିତି କେତେଆଡ଼ର ଗପ ପଡ଼େ । ହସ ଖୁସିରେ ରାତିଟା ବିତିଯାଏ । ଦିନେ ଦିନେ ଏଇ ସବୁ କଥା ଶୁଣି ଚଇତା କନକକୁ ରାତିରେ ସପନ ଦେଖେ । ଛଟକରି ନିଦଟା ଭାଙ୍ଗିଯାଏ—କାହିଁ ତା’ର କନକ ? ବାହାରକୁ ଉଠି ଆସି ଅନାଏ ଆକାଶରେ ତାରାଗୁଡ଼ା ଆଖି ମିଟିକା ମାରୁଚନ୍ତି-। ମଇଳା ଜହ୍ନ ଆଲୁଅ କୁଲି ବସ୍ତି ଉପରେ ଘାଲି ପାରିଚି । ସେ ପାଖରେ କଳଘରଟା ଅସୁର ପରି ଛିଡ଼ା ହେଇଚି । ବିଜୁଳୀବତି ଗୁଡ଼ା ଏଣେ ତେଣେ ଜଳୁଚି ।

 

ହଠାତ୍ କୁଆଡ଼ୁ ପବନଟା ବହିଆସେ । ପାଖ ନର୍ଦ୍ଦମା କୁଢ଼ରୁ ଭାସି ଆସେ ପଚା ଗନ୍ଧ । ଚଇତାକୁ ବିରକ୍ତ ଲାଗେ । ଘର ଭିତରକୁ ଆସି କବାଟ ବନ୍ଦ କରି ଦେଇ ଭାବେ କି ବିରକ୍ତିକର ଏଇ ଜୀବନ । ଚାରୋଟି ମାସ କଟିଗଲା । ଚଇତା ବରାବର ଘରକୁ ଟଙ୍କା ପଠାଉଛି । ଗଲା ମାସରେ ଘନ ସାହୁ ହାତରେ ବୋଉ ଓ କନକ ପାଇଁ ଲୁଗା, ବାପା ପାଇଁ କେତେ ଜାତିର ଖାଇବା ଦରବ ପଠାଇ ଦେଇଥିଲା । ବାପା ତା’ର ଟଙ୍କା, ଜିନିଷ ପାଇ ଭାରି ଖୁସି । ଚଇତା କତିକି ଚିଠି ଦେଇଚି, ଚଇତା ବୋଉ ଦେହ ଭଲ ନାହିଁ—ମଝିରେ ମଝିରେ ଜର ହେଉଚି । ବୋହୂ ଦେହପା ଭଲଅଛି । ଗାଁକୁ ବର୍ଷା ପାଣି ହେଉଚି । ଧାନ ଗଛ ସବୁ ଅଣ୍ଟାଏ ଉଚ୍ଚ ହେଲାଣି । ଇମିତି କେତେ କଣ ।

 

ରବିବାର ଛୁଟି ହେଲେ ଚଇତା ମାଟିଆ ବୁରୁଜ ଛାଡ଼ି କଲିକତାର ଚୌରଙ୍ଗୀ, ବହୁବଜାର ଆଡ଼କୁ ଚାଲି ଆସେ । ନିତିଆ ବସାରେ ପହଞ୍ଚିଲେ ହସି ହସି ଚଇତାକୁ କୁଣ୍ଢାଇ ପକାଏ । ତା’ପରେ ଦିହେଁ କେତେଆଡ଼େ ବୁଲନ୍ତି ।

 

ଚୌରଙ୍ଗୀର ବଡ଼ ରାସ୍ତା—ଦି କଡ଼ରେ ଠାଏ ଠାଏ କୃଷ୍ଣଚୂଡ଼ା ଫୁଲର ଉଛୁଳା ହସ । ମଟର, ଘୋଡ଼ାଗାଡ଼ି, ଟ୍ରାମ, ବସ୍, ରେକ୍‍ସା ଛୁଟି ଚାଲିଚି । ଇଂରାଜି, ଆମେରିକାନ, ଚାଇନିଜ୍, ହିନ୍ଦୁସ୍ଥାନୀ, ପଞ୍ଜାବୀ କେତେ ଜାତିର ମଣିଷ । କେତେ ସୁନ୍ଦରୀ ଯୁବତୀ । ଚାରିଆଡ଼େ ଭୋଗବିଳାସର ଉଚ୍ଛ୍ୱାସ ।

 

ଚଇତା ଏ ସବୁ ଦେଖିଲେ ମାଟିଆବୁରୁଜ ଓ ତା’ର ସେଇ କୁଲି ବସ୍ତିଟା କେଡ଼େ ଅସନା ଦିଶେ । ମାଟିଆ ବୁରୁଜ ସେଇ ରାସ୍ତା କରରେ କଂସେଇଙ୍କର ମାଂସ ଦୋକାନ । କି ଅସନା—ଆଇଁସିଣିଆ ଫୁର୍କୁଟିଆ ଗନ୍ଧ । ଚଇତା ଭାବିଲା ବେଳକୁ ତା’ ଦେହରେ ରୋମାଞ୍ଚ ଆସେ । ତାଠୁ ବଳି ପୁଣି ତାଙ୍କ କୁଲି ବସ୍ତିର ସେଇ ନର୍ଦ୍ଦମାର ଗନ୍ଧ–କି ଉତ୍କଟ । ଭାବୁ ଭାବୁ ଚଇତା ଆଗେଇ ଚାଲେ । ନିତିଆ କହେ, ଚଇତା ଭାଇ ଏଣେ ଦେଖନି ।

 

ଚଇତା ଦେଖେ ଗୋଟିଏ ସଜ ଫୁଲ ପରି ଢଳ ଢଳ ସୁନ୍ଦରୀ ସ୍ତ୍ରୀଟି ରେକ୍‍ସାରେ ଯାଉଚି । କତିରେ ତା’ର ସ୍ଵାମୀ । ସ୍ୱାମୀର ବାହୁ ବେଷ୍ଟନୀ ଭିତରେ ସୁନ୍ଦରୀଟି ହସି ହସି କ’ଣ କହୁଚି । ଚଇତା ଏହି ସବୁ ଦୃଶ୍ୟ ଦେଖିଲେ ତା’ ଦେହରେ ଲାଗେ ଚମକ—ରକ୍ତରେ ଆସେ ଉଷ୍ଣତା । କନକ କଥା ମନେପଡ଼େ । ଭାବେ କନକ ଏହାଠୁ ବଳି ସୁନ୍ଦର ନୁହେଁ । ହଠାତ୍ ରାସ୍ତାକର ଦୋକାନରୁ ସଙ୍ଗୀତର ମୂର୍ଚ୍ଛନା ଭାବନାକୁ ତା’ର ଗୋଳମାଳ କରିଦିଏ ।

 

ଚାନ୍ଦେରେ ହାସିର ବାଂଧ ଭେଙ୍ଗେଚେ

ଉଛୁଲେ ପଡ଼େ ଆଲୋ

ଓ ରଜନୀ ଗନ୍ଧା ତୋମାର

ଗନ୍ଧ ସାଧୁ ଢାଲୋ......

 

ଆଗରେ ପାରାଡାଇସ ସିନେମା—ବିଳାସର ସ୍ୱପ୍ନପୁରୀ । ନୂଆ ଖେଳ ଆସିଚି—ସେଥିପାଇଁ ଭାରି ଭିଡ଼—କଣ୍ଟ୍ରୋଲ ଦୋକାନଠୁ ବଳି ଚଇତା ଭାବିଲା ଖାଇବାକୁ ମିଳୁ ନାହିଁ—ଦେଶରେ ଅଭାବ ଅନାଟନ ଲାଗି ରହିଚି—ଭୋକିଲା ମଣିଷ ଚିତ୍କାର କରୁଚି ଦାନା ଦିଅ ଅଥଚ ଦେଶର ଏତେ ପଇସା ଏଇଆଡ଼େ ଉଡ଼ିଯାଉଚି ।

 

ଦୁହେଁ ବୁଲି ବୁଲି କାଳି ସାମୁଲ ବସାରେ ପହଞ୍ଚିଲେ । କାଳି ସାମୁଲ ଦିହିଁଙ୍କୁ ଦେଖିଲେ ଭାରି ଖୁସି ହୁଏ । ଦିହିଁଙ୍କି ସେ ମଣିଷ କରିଚି–ଏହାଠୁ ବଳି ଆଉ କ’ଣ କରନ୍ତା । କେତେ ସୁଖ ଦୁଃଖ ପରେ ଚଇତା ନିତିଆ ଦିହେଁ ଫେରି ଆସନ୍ତି ନିଜ ନିଜର ବସାକୁ । ପାଣି ସୁଅ ପରି ଦିନ ଗଡ଼ିଚାଲେ ।

 

–୬–

 

ଚଇତା କଲିକତା ଚାଲିଗଲା । ଆଠଦିନ ପରେ ଭଲକରି ନିଇତି ଅସରାଏ ଅସରାଏ ବର୍ଷା ହେଲା । ନିଧିପଧାନ ଜମିତକ ହଳ କରି ଧାନ ବୁଣି ଦେଲା ।

 

ପୃଥିବୀକୁ ଶ୍ୟାମଳତା ଫେରି ଆସିଲା । ଧିରେ ଧିରେ ଧାନ ଗଛ ଦୋହଲିଲା । ନିଧି ପଧାନ ଆଶାଲତାରେ କେତେ ଜାତିର ଫୁଲ ଫୁଟିଲା । ଲକ୍ଷ୍ମୀଙ୍କ ଦୟାହେଲେ ଧାନ ଗଣ୍ଡାକ ତା’ର ଭଲ ହେବ । ଘର କୁଟୁମ୍ୱ ଚଳାଇ ମାହାଜନ ଦେଣା ସୁଝିବ । ଦୁନିଆରେ ପାଞ୍ଚ ଜଣଙ୍କ ଆଗରେ ମୁଣ୍ଡ ଟେକି ଚାଲିବ ।

 

ଚଇତାଠୁ ଯେଉଁଦିନ ଚିଠି ପାଇଲା—ସେ ଚାକିରି କରିଚି—ଭଲରେ ଅଛି । ନିଧି ପଧାନ ହୃଦୟ ଆନନ୍ଦରେ ପୂରି ଉଠିଲା । ଗାଁ ମହାପୁରୁଷଙ୍କ ପାଖରେ ଗଞ୍ଜେଇ ଭୋଗ କଲା ।

 

ଗାଁର ସେହି ବଙ୍କା ବନ୍ଧ କରକୁ ବାଲିମାଳ ମଠ—ମହାପୁରୁଷଙ୍କୁ ବିପଦ ଆପଦରେ ଡାକିଲେ ଜବାବ ଦିଅନ୍ତି । ସେଇଥିପାଇଁ ଗାଁ ଗୋଟାକ ଯାକ ମହାପୁରୁଷଙ୍କୁ ମାନନ୍ତି । ନିଧି ପଧାନ ମାନସିକ କରିଥିଲା, ପୁଅ ତା’ର ଭଲରେ ଚାକିରି କରୁ । ମନକାମନା ତା’ର ମହାପୁରୁଷ ପୂରଣ କରିଚନ୍ତି ।

 

ମାସକୁ ମାସ ଚଇତା ଟଙ୍କା ପଠାଇଲା । ନିଧି ପଧାନ ଟଙ୍କା ପାଇ ଆହୁରି ଖୁସି ହେଲା-। ଭାବିଲା ଏ ବରଷ ପୁରୁଣା ଘରଟାକୁ ଭାଙ୍ଗି ତାରି ଜାଗାରେ ନୂଆ ଘର ଠିଆ କରିବ ।

ନିଧି ପଧାନ ନିଜକୁ ଭୁଲିଯାଏ । ଦିନସାରା ଚାଷରେ ଲାଗେ । ଧାନ କିଆରିରେ ବୁଲି ଆସିଲେ ପେଟ ତା’ର ପୂରିଯାଏ ।

ଚଇତା ଗଲାଦିନଠାରୁ ଉମିବୋଉର ଦେହ ଭଲ ନାହିଁ । ବାୟୁ ରୋଗରେ ମରଣ ସହିତ ଅନବରତ ଯୁଦ୍ଧ କରି ଆଜି ତା’ର ଅଛି ଖାଲି ଭଙ୍ଗାଜୀବନର ହାଡ଼ କେଇଖଣ୍ଡ । ମଝିରେ ମଝିରେ ଜର ହେଉଚି । ଯେତେ ଯୁଆଡ଼ର ଓଷଦ ଦେଲେ କାଟୁ ନାହିଁ ।

କନକ—ଚଇତା ଗଲାଦିନୁ କନକର ଅବସ୍ଥା କହିଲେ ନସରେ । ସବୁବେଳେ ଚଇତାକୁ ଝୁରି ଝୁରି ଆସି କଣ୍ଟା ହେଲାଣି । କୋଉ କାମରେ ତାର ମନ ଲାଗେନା । ଖାଲି ମନ ମାରି ବସେ-। ଭଲ ଲୁଗା ଖଣ୍ଡେ କି ଗହଣା ଦି ପଟ ପିନ୍ଧେନା । ଶାଶୁ କେତେ ଆକଟି କହେ । କନକ ସବୁ ଶୁଣେ । ବେଳେବେଳେ କୁହେ, ବୋଉ ପିନ୍ଧିଲା ନାଇଲା ଦିନ କ’ଣ ମୋର ସରି ଯାଉଚି-। ପୁନିଅଁ ପରବ କୁଆଡ଼େ ଯାଏ କନକକୁ କିଛି ଜଣାଯାଏ ନାଁ । ଖାଲି ଭାବେ–ସେ କେବେ ଆସିବେ-। ସୂର୍ଯ୍ୟ ବୁଡ଼ିଗଲା ପରି ଭାବନା ତା’ର ବୁଡ଼ିଯାଏ ଦୂର ଗଛ ଗହଳି ସେ ପଟରେ ।

ନିତିଆ ଫୁଲଗଛ ମୂଳରେ ପାଣି ଦିଏ । ବାଗାନରୁ ଅନାବାନା ଗଛ ଉପାଡ଼ି ସଫାସୁତୁରା କରେ । ନୂଆ ନୂଆ ଋତୁ ପାଇଁ ନୂଆ ଫୁଲଗଛ ଲଗାଏ । କାମ କରୁ କରୁ ବେଳେବେଳେ ଟିକେ ଅଳସ ମାରିଲେ—ସାହେବ ଆସି ନାଲି ଆଖି ଦେଖାଇ ଗାଳି ଦିଏ । ନିତିଆ ମନଟା ବିଗିଡ଼ି ଉଠେ ।

ଗାଁରେ ଥିଲାବେଳେ କାହିଁ କୋଉ ଦିନ ତ ତାକୁ ପଦେ କେହି କହନ୍ତି ନାହିଁ । ଆଖି ଆଗରେ ତା’ର ସେଇ ଗାଁ ଛବି ନାଚି ଉଠେ । ନିତିଆ ଦେଖେ ତା’ର ଧାନ କ୍ଷେତ ଦୋହଲି ଦୋହଲି ଦକ୍ଷିଣା ପବନରେ ଲହଡ଼ି ଭାଙ୍ଗୁଚି । ସତେ ଯେପରି ତାକୁ ସେଇ ଛୋଟ ଛୋଟ ଧାନ କିଆରି ଡାକୁଚି । ନିତିଆ ଭାବେ ଏ ଚାକିରି ଛାଡ଼ି ସେ ଚାଲିଯିବ । କିନ୍ତୁ ପରକ୍ଷଣରେ ଭାବେ ତା’ର ଭବିଷ୍ୟତ । ବାହା ସାହା ହେଇ ନାହିଁ । ପୁଣି ଦିନେ ତାକୁ ପାଞ୍ଚଜଣଙ୍କ ପରି ଘରସଂସାର କରିବାକୁ ପଡ଼ିବ । ତା’ ପାଇଁ ପୁଣି କିଛି ପାଣ୍ଠି ତ ଦରକାର । ବାପ ତ ଆସି ବୁଢ଼ା ହେଲାଣି । ଜମିରୁ ଆଉ କେତେ ଆମଦାନି ହେବ ।

ଘରୁ ବାପା ଚିଠି ଦେଇଚି—ବାପ ନିତ, ମୋର ସୁକଇଲାଣ ନେବୁ । ଯଉ ଟଙ୍କା ପନ୍ଦରଟା ଦେଇଥିଲୁ–ସେ ସବୁ ବିଲବଛାରେ ଶେଷ ।

ସିତାରାମ ସାହୁର ଦୋକାନ ବାକି ସାତ ଟଙ୍କା ହେଲାଣି । ଆଉ କାଳି ଆଣିବାକୁ ଗଲା ବେଳକୁ ଦଉନାହିଁ । ବୋଉକୁ ଜର ହେଉଚି । ଆମ ଗାଁ ରଘୁପାଣି ବଇଦ ଆସି ଓଷଦ ଦେଉଚି । ତା’ର ପାଉଣା ହେଲାଣି । ହାତ ଉଧାରି ଦି’ ଚାରିଟଙ୍କା ଅଛି । ଆସନ୍ତା ମାଘରେ ତୋର ବାହାଘର କରିବା ପାଇଁ ଯୋଗାଡ଼ କରୁଚି । ସବୁ ଭାବିଚିନ୍ତି ଟଙ୍କା ପଇସା ହାତରେ ରଖି ମୋ କତିକି ପଠେଇବୁ । ବେଶି ଖରଚ କରିବୁ ନାହିଁ । ଦେହ ପା ପ୍ରତି ନିଘା ରଖିବୁ । ବିଦେଶ ଜାଗା–ଆମର ବା ସେଠି କିଏ ଅଛି ? ଇମିତି କେତେ କଥା—କେତେ ଅଭାବ ଅଭିଯୋଗ ।

ନିତିଆ ଚିଠି ପଢ଼େ ଥରେ ନୁହେଁ–ବାର ବାର । ମନରାଇଜରେ ତା’ର ଭାବନାର ଝିପିରି ଝିପିରି ମେଘ—କେତେବେଳେ ମେଘ କାଟି ଆଲୁଅ । ସେ ବାହାହେବ ଚଇତା ଭାଇ ପରି-। କନକ ପରି ତା’ର ବୋହୂଟିଏ ଆସିବ । ଭବିଷ୍ୟତ ଅନାବନା ସ୍ୱପ୍ନର କୁହେଳିକା ନିତିଆ ଭାବନା ରାଇଜରେ ବସା ବାନ୍ଧେ । ସେ ଖାଲି ଭାବେ—ଆଉ ଭାବେ ।

 

ସଞ୍ଜ ଆସେ । ଆକାଶର ଜହ୍ନ ଆଲୁଅ ତୁନି ତୁନି ଆସି ନିତିଆର ବାଗାନରେ ଫୁଲ ଶେଯ ପାରି ଶୋଇପଡ଼େ । କେତେ ଜାତିଆ ଫୁଲର ଗନ୍ଧ—ଖୁସିବାସିଆ ଧିର ପବନ ନିତିଆକୁ ଭାରି ଭଲ ଲାଗେ । ଭାବେ ଇମିତିକା ସୁନ୍ଦର ରାତିକି ଚଇତା ଭାଇ ନୂଆବୋଉ ପରି ସ୍ତ୍ରୀଟିଏ ପାଖରେ ଥାନ୍ତା କି । ପାଖ କୋଠିରୁ ଠଂ ଠଂ ହେଇ ବାରଟା ବାଜେ—ନିତିଆର ଭାବନାର ଖିଅ ଛିଡ଼ିଯାଏ ।

 

ଦେଖେ ବିଜୁଳୀବତୀଗୁଡ଼ା କାଁ ଭାଁ ଜଳୁଚି । ନିତିଆ ଭାବେ କି ବିରକ୍ତିକର ଏ ଆଲୁଅ । ବସାକୁ ଫେରି ତା’ର ସପ ଖଣ୍ଡକ ପାରି ଶୋଇପଡ଼େ । ସପଟା ତିନି ଜାଗା ଛିଣ୍ଡା–ତକିଆ ମଳି କୋଚଟ । ନିଆଁ ଲଗେଇଲେ ଛୁଇଁବ ନାହିଁ ।

 

କାଳି ସାମୁଲ କରପୋରସନରେ କୁଲି କାମ କରେ । ରାସ୍ତା ହାଣି ମରାମତି କରେ । ଜୀବନ ମୂର୍ଚ୍ଛା କାମ—କି ଖରା—କି ବରଷା । କେତେ ଖରା, ବରଷା କାଳି ସାମୁଲ ଅଙ୍ଗେ ଲିଭେଇଚି ତା’ର ହିସାବ ନାହିଁ । ସେ ଖାଲି ଖଟିଚି ଜୀବନ ବିକଳରେ । ତା’ର ପିଲା ଦୋଟି ମଣିଷ ହେବେ—ହାତକୁ ଦି’ ହାତ ହେବେ । ତା’ପରେ କାଳି ସାମୁଲର ଛୁଟି ।

 

କାଳି ସାମୁଲର କଲିକତାରେ ଆସି ତିରିଶ ବରଷ ହେଲାଣି । ସେ ଖଟି ଖଟି ନିଜର ରକତ ପାଣି କରି ଦେଇଚି । ମୁଣ୍ଡ ବାଳ ଆସି ଧଳା ହୋଇଗଲାଣି । ଅଣ୍ଟା ନହକି ପଡ଼ିଲାଣି ।

 

କାଳି ସାମୁଲ ଭାବେ, କଲିକତାରେ ଏ ଯେଉଁ କୋଠାବାଡ଼ି, ବଡ଼ ବଡ଼ ପିଚୁ ଢଳା ରାସ୍ତା, ବିଜୁଳୀବତି, ହାଓଡାପୋଲ ଏ ସବୁ ତାରି ଓ ତାରିପରି ଆଉ କେତେ ଜଣଙ୍କର ହାତତିଆରି-। ସବୁଥିଲେ ଓଡ଼ିଆଙ୍କର ହାତ ଯଶ ରହିଚି । କିନ୍ତୁ କାହିଁ ତଥାପି ପେଟ ଚାଖଣ୍ଡକ ପୁରୁ ନାହିଁ–ପିନ୍ଧିବାକୁ କନା ଖଣ୍ଡେ ମିଳୁନାହିଁ । ସେହି ଓଦା ସନ୍ତସନ୍ତିଆ ଘରେ ପୋକ ପରି ପଡ଼ି ରହିବାକୁ ପଡ଼ୁଚି ।

 

ଗୋଟିଏ ବସାକୁ ଦଶଜଣ—ଗୋଟିଏ ପାଇଖାନାକୁ ଶହେ ଜଣ, ଆଲୁଅ ନାହିଁ । ଚାରିଆଡ଼େ ମଶାର ମେଘ–ଗୋଳିଆ ନର୍ଦ୍ଦମାର ପାଣି—ନାକଫଟା ଗନ୍ଧ ।

 

ବିଜାତିମାନେ ଓଡ଼ିଆଙ୍କ ପ୍ରତି ଘୃଣାରେ ନାକ ଟେକନ୍ତି । କାହିଁକି ? କାଳି ସାମୁଲ ଭାବେ, ଏକତାର ଅଭାବ—ସାହସର ଅଭାବ । ଭାବି ଭାବି ମୁଣ୍ଡଟା ତା’ର ଘୂରେଇଦିଏ ।

 

ତା’ ଜୀବନରେ ଛୋଟ ବଡ଼ କେତେ ଘଟଣା ଘଟିଚି । କିନ୍ତୁ କାଳି ସାମୁଲ ହଟିଲାବାଲା ନୁହେଁ । ମୁହେଁ ମୁହେଁ ଜବାବ ଦେଇଚି । ଇଜ୍ଜତ ତଳେ ପକାଇ ଦେଇ ନାହିଁ—କି ଚାକିରିକି ଡରି ନାହିଁ । ମୂଲିଆ ଲୋକ—ଯୋଉଠି ଖଟିବ ସେଇଠି ଖାଇବ । ଏତେ ଡର କ’ଣ—ଭୟ କାହାକୁ । କେତେ ବାବୁଙ୍କର ମୁଣ୍ଡ ଏଇ କାଳି ସାମୁଲ ପାଦତଳେ ନୋଇଁଚି–ପୁଣି କ୍ଷମା ଚାହିଁଚି ।

 

ଦିନ ଯାଇଚି । କାଳି ସାମୁଲ ଉଷୁମ ରକତ ଆଜି ଶୀତଳ ହେଇଚି । ନିଜେ ରୋଜଗାର କରି ଘର କରିଚି—ଜମି ପାଞ୍ଚମାଣ । ଦି’ ପୁଅ ପାରିଗଲେଣି । ହାତକୁ ଦି’ ହାତ ହେଇ ସାରିଲେଣି-। ଏବାର କାଳି ସାମୁଲର ଛୁଟି ।

 

କାଳି ସାମଲ ଚାକିରି ଛାଡ଼ି ଗାଁ ମାଟିକୁ ଫେରି ଆସୁଚି । ଆସିଲା ବେଳେ ତା’ର ସାଙ୍ଗସାଥୀଙ୍କି ଛାଡ଼ି ଆସୁଥାଏ ବୋଲି, ତା’ପରି ଟାଣୁଆ ହୃଦୟଟା ବି ତରଳିଗଲା । ଏଇ ବସା, ସାଙ୍ଗ ସାଥୀ ମେଳରେ କେତେ ଦିନର ସ୍ମୃତି ଜଡ଼ିତ—ଅନେଇଲେ ଆଖି ପାଏନା । କାଳି ସାମୁଲକୁ ସମସ୍ତେ ମୁରବି ପରି ମାନିଚନ୍ତି । କାଳି ସାମୁଲ ଭାଇ ପରି ସ୍ନେହ ଦେଇଚି ।

 

ଆସିଲାବେଳେ ସମସ୍ତଙ୍କ ଆଖିରେ ଲୁହ । ସମସ୍ତଙ୍କ କଣ୍ଠରେ, କାଳି ଭାଇ ଚାଲି ଯାଉଚ—ଭୁଲି ଯିବନି–ଚିଠି ଖଣ୍ଡେ ଖଣ୍ଡେ ଦେଉଥିବ । କାଳି ସାମୁଲ ସମସ୍ତଙ୍କୁ ବୁଝେଇ କହିଲା, ଯାଉଚି ଭାଇ ପୁଣି ଭାଗ୍ୟରେ ଥିଲେ ତମମାନଙ୍କ ସହିତ ଦେଖା । ରାଗ, କେତେବେଳେ କା ମନରେ ଯଦି କଷ୍ଟ ଦେଇଥାଏ, ସେ ସବୁ ଭୁଲିଯିବ ଭାଇ–କାଳି ସାମୁଲକୁ ପଛରେ ଗାଳି ଦେବ ନାହିଁ । ଏ ଜନମରେ ଆଉ ଦେଖା ହେଲା ପରି ଲାଗୁନି । ବୁଢ଼ା ହେଲିଣି । କେତେବେଳେ ଆମ ସେଇ ମଶାଣିର ଅପନ୍ତରା ଭୂଇଁର ଡାକରା ଆସିବ ତ ଚାଲିଯିବି । ଥାଅ ଭାଇ, ପୁଣି ପର ଜନମରେ ଦେଖା ।

 

ସମସ୍ତେ ଆଖିରୁ ଲୁହ ପୋଛିଲେ । କାଳି ସାମୁଲ ବିଦାୟ ନେଲା । ନିତିଆ ଚଇତା କାଳି ସାମୁଲକୁ ହାଓଡା ଷ୍ଟେସନରେ ଛାଡ଼ିଦେଇ ଆସିଲେ । ଆସିଲାବେଳେ କାଳି ସାମୁଲ କେତେ ବୁଝାଇ ଦିହିଁଙ୍କି କହିଲା, ସମସ୍ତିଙ୍କି ଭାଇ ପରି ଭାବିଥିବ–ବାଦ କରିବ ନାହିଁ । ବିଦେଶ ଜାଗା–ସ୍ନେହ କଲେ ପର ବି ଆପଣାର । ନିତିଆ, ଚଇତା ଆଖିରୁ ଲୁହ ପୋଛିଲେ ।

 

ସିଗ୍‍ନାଲ ଦେଇ ଗାଡ଼ି ଛାଡ଼ିଲା । ଦିହେଁ ମୁଣ୍ଡ ନୋଇଁ ଦଣ୍ଡବତ ହେଲେ । ଲୁଚିଗଲା କାଳି ସାମୁଲ ଆଖିର ଆଢ଼ୁଆଳରେ । ପଛରେ ପଡ଼ି ରହିଲା କଲିକତା—ଦୀର୍ଘ ତିରିଶ ବର୍ଷର ଅଚ୍ଛେଦ୍ୟ ବନ୍ଧନ ଛିଡ଼ିଗଲା । କାଳି ସାମୁଲ ଆଖିରେ ଲୁହ ଜକ ଜକ କରି ପରକ୍ଷଣରେ ଶୁଖିଗଲା ।

Image

ପରବାସୀ

 

–୭–

 

ଆଜି ସକାଳଟାରୁ କାହିଁକି ଚଇତାର ମନ ଗୋଳେଇ ଘାଣ୍ଟି ହେଉଚି । ସାରା ହୃଦୟରେ ବେଦନାର ମ୍ଳାନ ଛାୟା । ଅତୀତର ସ୍ମୃତି ଗୁଡ଼ା ଖାଲି ଆଲୁଅ ଲହଡ଼ି ଭାଙ୍ଗୁଚି । ଗୋଟିକ ପରେ ଗୋଟିଏ । ବିରାମ ନାହିଁକି—ଅନ୍ତ ନାହିଁ ।

 

କାହିଁ କେତେ ଦୂରରେ ତା’ର ସେଇ ଛୋଟିଆ ଗାଁଟି । ଗାଁ ଦାଣ୍ଡ ତାରି ଉପରେ ସେଇ ପୁରୁଣା ସଜନା ଗଛଟିଏ । ମୂଳରେ ତା’ର ନୁଆଣିଆ ଚାଳଘର ଖଣ୍ଡିକ । ସେଇ ଚାଳିଆ ଭିତରେ ବୋଉ ତା’ର କ’ଣ କରୁଥିବ । ହୁଏତ ଘରଦୁଆର ଓଳେଇ “ବଉଳା” ଖାଇବା ଖବର ବୁଝୁଥିବ । ବଉଳା ଗାଈ ନୁହେଁ–ମଣିଷ । ତାରି ସେବା କରିଚି ସେ । ବଉଳା କ’ଣ ସତେ ତାକୁ ଭୁଲିଯାଇଥିବା ନାଁ ନାଁ କଦାପି ଭୁଲି ନ ଥିବ । ବିଦେଶରୁ ଫେରି ବଉଳା ବୋଲି ଡାକିଲେ ସେ ନିଶ୍ଚେ ଚିହ୍ନିବ । ହମ୍ୱା ହମ୍ବା ରଡ଼ି ଛାଡ଼ି ଦଉଡ଼ି ଆସିବ । ଦେହରେ ଦେହ ଘଷି ହୋଇ କେତେ ସୁଖ ଦୁଃଖ କାହାଣୀ ସେ କହିବ ।

 

ତାର ସେଇ ଧାନ କିଆରି ସବୁଜ ଶିରୀ ନେଇ ହସି ଉଠିଥିବ । ପବନ ଦଉଡ଼ି ଦଉଡ଼ି ଆସି ଶୋଇ ପଡ଼ୁଥିବ—ହାଲିଆ ହୋଇ । ପୁଣି ଟିକିଏ ଛାଡ଼ି ପଳାଉଥିବ ଦିଗନ୍ତ ସେପାରୀକି । ବାପା ତାର ବିଲ କାମ କରିବାକୁ ଯାଉଥିବ । ଲୁଗା ଖଣ୍ଡକ ଭିଡ଼ି ଦେଇଥିବ ଅଣ୍ଟରେ ଗାମୁଛା । ମନରେ ଦୁଃଖ ନ ଥିବ—ହସ ହସ ମୁହଁ । ବେଳେବେଳେ ଗାଇ ଦେଉଥିବ ଉପଇନ୍ଦ୍ର ଛାନ୍ଦରୁ ପଦେ ଅଧେ ।

 

ନଈରୁ ଗାଧୋଇ ଆସି ସାରିବଣି କନକ । ଚଉଁରା ମୂଳେ ପାଣି ଦେଇ କେତେ ମନର ବେଦନା ଜଣାଉଥିବ । ଆହା କେଡ଼େ ନିରୀହ ସରଳାଟି ସତେ । ମୁଁ ନ ଖାଇଲେ ସେ ଖାଇବ ନାହିଁ-। ଟିକିଏ କୁଆଡ଼େ ଗଲେ ତାକୁ ଖାଲି ଚିନ୍ତା–ଦୁନିଆଯାକର ଚିନ୍ତା । ରାତିରେ ଶୋଇବାବେଳେ କେତେ ମୋଡ଼ି ଦେବ । କେତେ ଏଣୁ ତେଣୁ କଥା କହିବ । ଶୁଣିଲଣି ସେଇ ଯୋଉ ଗାଁ–ବିରୂପା ବ୍ରାହ୍ମଣୀ ଦି’ଧାର ହୋଇ ମିଶି ଯାଇଚି । ତା’ର କୂଳରେ ନାଁଟା ତା’ର କ’ଣ ଇନ୍ଦୁପୁର-। ସେଇଠି ବାଉରି ଝିଅଟିଏ ନ । ଦେଖିବାକୁ କି ଡଉଲ-ଗୋରା ତକ ତକ ମୁହଁ । ଆଖିରେ କଜଳ-। ମୁଣ୍ଡରେ ସୁନ୍ଦର । ଘଡ଼ିଏ ଦେଖିଲେ ପେଟ ପୁରେନା । ସମସ୍ତେ କୁହନ୍ତି ବାଉରୀ କୂଳରେ ଜମନ ସିନା–କିନ୍ତୁ ବାଉରୀ ଝିଅ ସେ ନୁହେଁ, ନାଟି ତା’ର ହାର । ରୁପାର ହାର ନୁହେଁ—ସୁନାର ହାର । ସମସ୍ତେ କହନ୍ତି, ଯା ଘରକୁ ଯିବ, ତା’ କୂଳ ଉଜ୍ଜ୍ୱଳ କରିବ ।

 

ଭାଗ୍ୟ ତା’ର ଖରାପ । ଶେଷରେ ବାପ ଛେଉଣ୍ଡ ପିଲାଟାକୁ ଦାଦି ତା’ର ଚାଳିଶ ବରଷର ବୁଢ଼ା ବର ହାତରେ ସମର୍ପି ଦେଲେ । ହାର କେତେ କାନ୍ଦିଲା । ଚପିଲା କୋହ, ମନର ଅଜଣା ବାସନା ସେ ଖାଲି ଜଣକୁ କହିଥିଲା । ଯିଏ ତାକୁ ପ୍ରାଣ ଦେଇ ଭଲ ପାଇଥିଲା–ସେଇ ଅତି ଆପଣାର ନୂଆବୋଉକୁ । କାନ୍ଦିଲେ କ’ଣ ହେବ ଭଉଣୀ–ଯା ଭାଗ୍ୟରେ ଥିବ ହେବ । ନୂଆବୋଉ ଯେତେ ବୁଝାଇଲେ ବି ହାର ବୁଝିଲା ନାହିଁ । ମନ ତା’ର ଅମାନିଆଁ ହେଇ ଉଠିଲା । ସେ ସେଠି ବାହା ହେବନି–ଜିଦ୍ ଧରିଲା । ଗାଁର ଟୋକାଦଳ ଉଠିଲେ ତା’ ଦାଦିର ଏଇ ଅନ୍ୟାୟ ବିରୁଦ୍ଧରେ । ଦାଦି ତା’ର ଗର୍ଜି ଉଠିଲା, ଝିଅ ହେଇଁ ମୋ ମୁହଁରେ କାଳି ବୋଲିଲୁ । ତୋ ମୁହଁ ମୁଁ ଦେଖିବାକୁ ଚାହେଁନା—ତୋ ଖୁସିରେ ଯୋଉଠି ଇଚ୍ଛା ସେଠି ବାହାହ’, ହାରର କ୍ଷଣିକ ଉତ୍ତେଜନା ପାଣି ଫଟିକିଗଲା ।

 

ତା’ପରେ ବାହାଘର । ବାଜା ବାଜିଲା, ବାଣ ଫୁଟିଲା । ଗାଁ ପିଲା, ଟୋକା, ବୁଢ଼ା, ମାଇପେ ଦଉଡ଼ିଲେ ବୁଢ଼ାବର ଦେଖିବାକୁ । ସମସ୍ତେ ନାକ ଟେକିଲେ । ଝିଅ ନାଖି ବର ଇଏ । ଇମିତି ଝିଅକୁ ବୁଢ଼ାବର ହାତରେ ବାହାଦେବା ଅପେକ୍ଷା ମଝି ନଈରେ ପେଲି ଦେଲାନି ଦାଦି ତା’ର-। ଲୋକଙ୍କ କଥାକୁ କାନ ନ ଦେଇ ବାହାଘର ହେଇଗଲା । ଆହା ବିଚରାର ମନକଥା କେହି ବୁଝିଲେ ନାହିଁ—ଇମିତି ମନେ ମନେ ଫୁଟି ମଉଳିଗଲା ।

 

କହୁ କହୁ କନକର କଥାର ସୁର ବ୍ୟଥାରେ ନଇଁ ପଡ଼େ । ଇମିତି କେତେ ରାଇଜର କେତେ କଥା ସେ କହେ । ଦିନେ ଦିନେ ରାତି ପାହିଯାଏ—କଥା ତା’ର ସରେନା । ଅଧା, ଦରପନ୍ତରିଆ ହେଇ ରହେ । ଏହା ଭିତରେ କେତେ ପୁନେଇଁ କେତେ ପରବ ଆସି ବାହୁଡ଼ି ଗଲାଣି, କନକକୁ ସବୁ ପିତା ଲାଗୁଥିବ–ସେ ଖାଲି ଅନେଇ ବସିଥିବ ।

 

ଇମିତି ଭାବନାରେ ଅସ୍ଥିର ହେଇ ଉଠିଲା ଚଇତାର ମନ । ବାପା, ବୋଉ, କନକ, ଘରଦୁଆର ସବୁ ଖାଲି ଆଖି ଆଗରେ ଛଳ ଛଳ ହେଇ ଦେଖାଗଲା । ଚଇତା ନିଜକୁ ଭୁଲିଗଲା । ଭୁଲିଗଲା ଖାଇବା ପିଇବା—ଆଉ ଭୁଲିଗଲା ସାତ ଦିନର ଖଟଣୀ ପରେ ଆଜି ରବିବାରର ମଉଜ ମଜଲିସର ଓରିମାନା ।

 

ତା’ ପରଦିନ ଚିଠି ପାଇଲା ବୋଉ ତା’ର ଶକ୍ତ ବେମାର । ଚିଠି ପଢ଼ୁ ପଢ଼ୁ ଚଇତାର ଆଖି ସଜଳ ହୋଇଆସିଲା । ବୋଉର ମଳିନ ମୁହଁ—ଦର ଦର ଲିଭିଲା ଆଖି, ଆଖି ଆଗରେ ନାଚି ଉଠିଲା । ଆଉ କାନ ପାଖରେ ଉଠିଲା ତା’ର ସେଇ ମଧୁର ଡାକ, ଚଇତା ଚଇତା । ପିଲାଟିଦିନୁ ବୋଉର କେତେ ଆଦର—କେତେ ଯତ୍ନ ସବୁ ଖାଲି ମନେପଡ଼ିଲା । ଚଇତା ଭାବିଲା–ଆଉ ଭାବିଲା । କଳଘରର ଛାତିଥରା ବଇଁଶୀ ଚିତ୍କାର କରି ଉଠିଲା । ତଥାପି ଭାବନା ତା’ର ଭାଜିଲା ନାହିଁ ।

 

ବାବୁ ଛୁଟି, ବୋଉ ମୋର ଶକ୍ତ ବେମାର । କେତେ କେତେ ବ୍ୟାକୁଳ ନିବେଦନ କରି ଚଇତା ଛୁଟି ପାଇଁ ଦରଖାସ୍ତ କଲା । ଛୁଟି ମଞ୍ଜୁର ହେଲାନାହିଁ । ଚଇତାର ସବୁ ଆଶା ଜାଳି ପୋଡ଼ି ପାଉଁଶ ହୋଇଗଲା । ଚଇତା ଖାଲି ଭାବିଲା ଆଖିରୁ ଲୁହ ନିଗାଡ଼ି, ବାଉରିଆ ଭାଇ କେତେ ବୁଝାଇଲା—ଚଇତା କିଛି ବୁଝିଲା ନାହିଁ ।

 

ଦିନେ ଟେଲିଗ୍ରାମ ଆସି ପହଞ୍ଚିଲା, ବୋଉ ତା’ର ମରିଯାଇଚି । ଟେଲିଗ୍ରାମଟା ପାଇ ଚଇତା ଭୋ ଭୋ ହେଇ କାନ୍ଦି ଉଠିଲା । ବାଉରିଆ ଭାଇ, ପଦନି ସୂତାର, କେଳୁ ମହାନ୍ତି ଚଇତାକୁ କେତେ ବୁଝାଇ ସାନ୍ତ୍ଵନା ଦେଲେ । ଚଇତା କିଏ କାହାରରେ । ବୋଉ, ବାପା, ଭାଇ, ଭଉଣୀ, ପଡ଼ିଶା ସବୁ ମିଛ—ଦୁନିଆ ବି ମିଛ । ଖାଲି ଗୋଟାଏ ମାୟା । ଏହି ମାୟା ତୁଟିଲେ ସମସ୍ତେ ପରରେ–କେହି କାହାର ନୁହେଁ ।

 

ଚଇତା ଭାବିଲା, ଚାକିରି ଛାଡ଼ିଦେବ । ଲୋଡ଼ାନାହିଁ ତା’ର ଧନ—ଲୋଡ଼ାନାହିଁ ତା’ର ବଡ଼ ହେବାର ମୋହ । ସେ ତା’ର ସେଇ ମାଟି କାଦୁଅ ଗାଁକୁ ଲେଉଟିଯିବ । ବାପା ସାଙ୍ଗରେ ମାଟି ସହିତ ହସି ଖେଳି ଦିନ କାଟିବ—କନକ ସାଥୀରେ ଘର କରିବ ।

 

କିନ୍ତୁ ପରକ୍ଷଣରେ ମନଟା ତା’ର ଦୁର୍ବଳତାରେ ଭରିଯାଏ । ଭାବେ ମହାଜନର ଦେଣା ବଢ଼ୁଚି । ଘର ଖଣ୍ତିକ ଭାଙ୍ଗି ରୁଜି ଗଲାଣି । ଚାକିରି ଛାଡ଼ିଲେ ଏ ସବୁ ହେବ କିପରି । ଗାଁରେ ବା କେତେ ରୋଜଗାର ହେବ । ଇମିତି ଭାବି ଭାବି ଚଇତାର ଦୁର୍ବଳ ମନ ସେଇ କଳଘରେ ପଡ଼ି ରହିବାକୁ ଇଙ୍ଗିତ ଦିଏ ।

 

ଚଇତା ଘରକୁ ବୋଉର ଶୁଦ୍ଧି କ୍ରିୟା ପାଇଁ ପଚାଶଟା ଟଙ୍କା ପଠାଇଦେଲା । ଆଉ ବାପା କତିକି ଚିଠିଦେଲା । ବାପା, ମୋଠୁ ବଳି ହତଭାଗା ଏ ଦୁନିଆରେ କେହିନାହିଁ । ମଲାବେଳେ ବୋଉକୁ ଦେଖିପାରିଲି ନାହିଁ କି ବୋଉର ସେବା କରିପାରିଲି ନାହିଁ । ମଲାବେଳେ ପାଣି ମୁନ୍ଦିଏବି ଦେଇପାରିଲି ନାହିଁ । ମୋ ପରି ପୁଅ ତମର ବଞ୍ଚି ରହି କି ଲାଭ । ବରଂ ଏଇ ବିଦେଶରେ ମରିଯିବା ଭଲ । କେତେ ଚେଷ୍ଟା କରି ଛୁଟି ସାତଟାଦିନ ବି ମିଳିଲା ନାହିଁ । ବୁଢ଼ା ଦିନେ ତମରି ମୁହଁରେ ହସ ଫୁଟାଇବା ପାଇଁ ଏଠି ଖାଲି ଭାଗ୍ୟକୁ ଆଦରି ପଡ଼ି ରହିଲି । ଚାକିରିର ମାୟା ତୁଟାଇ ପାରିଲି ନାହିଁ ।

 

ଯିଏ ମୋତେ କାଖେଇ କୁଣ୍ଢେଇ ମଣିଷ କରିଥିଲା—ଯିଏ ମୁଁ ନ ଖାଇଲେ ଖାଉ ନ ଥିଲା—ସେ ଆଜି ଆଖି ବୁଜିଚି । ତା’ ପାଇଁ ମୁଁ ଆଜି କଣ କରିଚି । ନିଜ ଜୀବନ ସଳିତାକୁ ଜାଳି ସେ ଯେଉଁ ଆଲୁଅ ଟିକକ ମୋତେ ଦେଇ ଯାଇଥିଲା—ସେ ଟିକକ ଆଜି ଲିଭିଗଲା ପରି ଲାଗୁଚି-

 

ଦିନ ଗଡ଼ି ଚାଲିଲା–କିନ୍ତୁ ଚଇତାର ମାତୃହରା କ୍ଷତ ଲିଭିଲା ନାହିଁ ।

Image

 

–୮–

 

ନିତିଆ ଚିଠି ପାଇଲା । ବାପା ତା’ର ଲେଖିଚି, ଏଇ ମାଘମାସ ପନ୍ଦରରେ ତୋର ବାହାଘର । ଶୀଘ୍ର ଟଙ୍କା ପଇସା ସଜିଲି କରି ଘରକୁ ବାହୁଡ଼ିଆ । ଡେରି କରିବୁ ନାହିଁ । ମଦନି ଜେନାକୁ ମୁଁ ଜବାବ ଦେଇ ସାରିଚି । ନୟନୀକି–ବୋହୂ କରି ଆଣିବି ବୋଲି । ବୋଉ ତୋର ଭାରି ଖୁସି ।

 

ନିତିଆ ଚିଠି ପାଇଲା ବେଳୁ ଗୋଡ଼ ଦି’ଟା ତଳେ ଲାଗୁନାହିଁ । ମନଟା ଯାଇଁ କୋଉ ଦୂରରାଇଜରେ ଉଡ଼ୁଚି । ନୟନୀ ହେବ ତା’ର ବୋହୂ । ନୟନୀକି ନେଇ ସେ ସୁନାର ସଂସାର ଗଢ଼ିବ, ଚଇତା ଭାଇ ପରି । ଆଉ ନୟନୀଟି ଦେଖିବାକୁ ଚମ୍ପାଫୁଲ ପରି ଗୋରା ତକତକ ଦେହ । ମୁହଁଟି ଗୋଲ—ଠିକ୍ ପୁନେଇଁ ଜହ୍ନ ପରି । ସରୁ ସରୁ ଭ୍ରୂଲତା । ଆଖି ଯୋଡ଼ିକ ହରିଣୀ ଆଖି ପରି ସବୁବେଳେ ଚଞ୍ଚଳ । ଛବିଟି ପରି ରୂପ । ଗାଁରେ ସବୁ ଝିଅଙ୍କଠୁ ସେ ସୁନ୍ଦରୀ । ସେଇ ହେବ ନିତିଆର ନିତିଦିନିଆ ଭଙ୍ଗାଗଢ଼ା ଜୀବନର ସୁଖ ଦୁଃଖର ସାଥୀ । ନିତିଆ ଖାଲି ସ୍ଵପ୍ନ ଦେଖିବାକୁ ଲାଗିଲା । କାମରେ ଦାମରେ କୋଉଥିରେ ମନ ଲାଗିଲା ନାହିଁ ।

 

ଏ ଖୁସି ଖବର ନେଇ ନିତିଆ ଦଉଡ଼ି ଗଲା ଚଇତା ଭାଇ କତିକି । ଚଇତା ଭାଇ ସବୁ ଶୁଣି କହିଲା, ତୁ ଭାରି ଭାଗ୍ୟବାନ ନିତିଆ—ନୟନୀ ପରି ବୋହୂ ପାଉଚୁ । ଆଉ ଦୁଃଖ କ’ଣରେ-? ସବୁ ଦୁଃଖ ତାରି ମୁହଁକୁ ଚାହିଁଲେ କ୍ଷଣକରେ ଉଭାଇ ଯିବ । ଚଇତା ଭାଇ କଥା ଶୁଣି ନିତିଆ ମନଟା କୁଣ୍ଢେମୋଟ ହୋଇଗଲା ।

 

ସାହେବକୁ କହି ବୋଲି ନିତିଆର ମୋଟେ ମାସ ଗୋଟିଏ ଛୁଟି ମିଳିଲା । ନିତିଆ ନୟନୀ ପାଇଁ ହାତକୁ କାଚ, ବାଜୁ, ଅଣ୍ଟାକୁ ଅଣ୍ଟାସୂତା ଇମିତି କେତେ ରକମର ଗହଣା, ଲଗେଇବା ପାଇଁ ସ୍ନୋ, ସାବୁନ, ତେଲ, ଅତର, କେତେ ଜିନିଷ ସବୁ କିଣିଲା । ଏତେବଡ଼ ବାହଘରଟା ହେଉଚି–ତେଲ ଅତର ଟିକେ ନେବ ନାହିଁ । ଜିନିଷ ସଜିଲି କରି ନିତିଆ ଘରକୁ ଫେରିଲା ।

 

ବୋଉ ମଲାଦିନୁ ଚଇତାର ଅନ୍ତରରେ ଗୋଟାଏ ବ୍ୟଥାର ଦାଗ କିଏ କାଟି ଦେଇଚି । ସମୟର ସୁଅରେ ସେ ଦାଗ ଲିଭୁ ନାହିଁ—ଆହୁରି ଜକ ଜକ କରୁଚି ।

 

ନିତିଆ ଗଲାଦିନୁ ଚଇତାର ଖାଲି ଘରକଥା ମନେପଡ଼ୁଚି । ଭାବନା ବାଦଲ ଭିତରୁ ଉଙ୍କି ମାରୁଚି ଅତୀତର କେତେ କଥା, କେତେ ଘଟଣା । ନୟନୀ–ନୟନୀ କି ନେଇ ସେ ଦିନେ ଗଢ଼ୁଥିଲା କଳ୍ପନାର ସୌଖିନ ମିନାର—ସେ ଆଜି ଭାଙ୍ଗି ଯାଇଚି । ସମୟର ଦୁଇ କୂଳରେ ଜୀବନର ଲୁଚାଛପା ମାନ ଅଭିମାନ, ଗେଲ, ପରିହାସ ସବୁ ହଜି ଯାଇଚି । ଆଜି ନୟନୀ ନିତିଆର ସ୍ତ୍ରୀ । ମନ ଯେତେ ବେଳେ ଯା ଖୋଜେ ତା’ ମିଳେନା ।

 

ବାହା ହେଇ ନିତିଆ ସୁଖରେ ଦିନ କାଟୁଥିବ—ଆଉ ସେ । ସେ ଏଇ ବିଦେଶରେ କନକ ପରି ସ୍ତ୍ରୀକୁ ଛାଡ଼ି ପଡ଼ି ରହିଚି । ଭାବି ଭାବି ଚଇତାର ମୁଣ୍ତଟା ଗୋଳମାଳ ହୋଇଯାଏ । କେତେ ରାତି ପର୍ଯ୍ୟନ୍ତ ଚଇତା ଭାବେ, ତାକୁ କିଛି ଜଣାଯାଏନା ।

 

ଶୀତଦିନ ରାତି । କୁହୁଡ଼ି ଘେରା ଆକାଶରୁ ମଇଳା ଜହ୍ନଆଲୁଅ ଝରି ପଡ଼ୁଚି । ତାରାଗୁଡ଼ା ଫୁଟି ଉଠିଚି ଅସୁମାରୀ । ଚଇତା ଭାବେ, ମୋରି ପରି ଯେତେ ବିରହୀ ସବୁ ଅଛନ୍ତି ତାଙ୍କରି ବେଦନାର ଅଶ୍ରୁରୂପେ ଏଇ ତାରା ଗୁଡ଼ା ଫୁଟି ଉଠିଛନ୍ତି—ସତେ ଯେପରି ବ୍ୟଥିତ ହୃଦୟର କରୁଣ ନିବେଦନ ନେଇ ।

 

ବସନ୍ତ ଆସିଲା ନୁଖୁରା ଶୀତ ପଛେ ପଛେ । ଦକ୍ଷିଣା ପବନ ଥିରି ଥିରି ଆସି କାନ ପାଖରେ କହିଗଲା, ବଞ୍ଚିବାରେ ସୁଆଦ ଅଛି । ଜୀବନଟା ଖାଲି ଦୁଃଖ କଷ୍ଟର ଜୀବନ ନୁହେଁ—ଜୀବନରେ ସଉରଭ ବି ଅଛି । ଚଇତା ଭାବିଲା, ଇମିତି ଗୋଟିଏ ବସନ୍ତର କଥା । ତା’ ଜୀବନରେ ଇମିତି ଗୋଟି ଗୋଟି ହୋଇ ଦୋଟି ବସନ୍ତ ବିତିଗଲାଣି–କିନ୍ତୁ ସେ ବସନ୍ତ ଥିଲା ସବୁଠୁ ଅଲଗା । କନକ ସାଥୀରେ ତା’ର ବାହାଘର–ଇମିତି ଗୋଟିଏ ବସନ୍ତର ଶୁଭ ଲଗନରେ, ତା’ପରେ ଦିନ ଗୁଡ଼ା ଖାଲି ସପନ ପରି ମିଳାଇଗଲା ।

 

ଚଇତା ପଢ଼ିଲା ବାପା ଚିଠି ଲେଖିଛନ୍ତି–ଚଇତା ତୁ ସେ ଦିନୁ ଗଲୁଣି—ତୋତେ ନ ଦେଖି ମୋତେ ଅନ୍ଧ ପରି ଲାଗୁଚି । ତୁ ଶୀଘ୍ର ଛୁଟି ନେଇ ଗାଁକୁ ଆ । ବୋହୂଟା ଦେହ ବି ମଝିରେ ମଝିରେ ଭଲ ରହୁନାହିଁ । ତା’ ଆଗ ରୂପ ନାହିଁ—ଶୁଖି କଳାକାଠ ପଡ଼ିଗଲାଣି । କେତେ କାକୁତି ମିନତିରେ ଚଇତାର ମାସଟିଏ ଛୁଟି ମିଳିଲା । ଚଇତା ବାପାପାଇଁ ଜାମା, ଲୁଗା ଆଉ ଖାଇବାପାଇଁ କେତେ ଜାତିକା ଫଳ ଆଉ କନକ ପାଇଁ ପ୍ରତି ମାସରେ ଅଳପ ଅଳପ କରି ସାଇତି ରଖିଥିବା ଟଙ୍କାରେ ଭରିଏ ଓଜନର ଗୋଟିଏ ସୁନାହାର କରିନେଲା । ଆଉ ପିନ୍ଧିବା ପାଇଁ ଶାଢ଼ି, ଲଗେଇବା ପାଇଁ ବାସନା ତେଲ, ସ୍ନୋ, ସାବୁନ, ଅଳତା କେତେ ଜିନିଷ କିଣି ଗଣ୍ଠିରି ବାନ୍ଧିଲା । ଆସିଲାବେଳେ ପଦନି ସୂତାର ହସି ହସି କହିଲା, ଚଇତା ମାଇପକୁ ପାଇ ଭୁଲି ଯିବୁନିରେ—ଚିଠି ଖଣ୍ତେ ଦେବୁ । ଚଇତା ହସି ହସି ଉତ୍ତର ଦେଲା, ତୋରି ପରି କ’ଣ ହୋଇଚି ପଦନି ଭାଇ, ଶାରିଆ ବୋଉକୁ ଦେଖି ସବୁ ଭୁଲିଯିବି ।

 

ବାଉରିଆ ଆସି ଚଇତାକୁ ଗାଡ଼ି ଚଢ଼େଇ ଦେଇଗଲା । ଗାଡ଼ି ଛାଡ଼ିଲାବେଳେ ବାଉରିଆ କହିଲା, ଚଇତା ଭୁଲି ଯିବୁନି—ମୋ କଥା ପଦେ ଅଧେ କନକକୁ କହିବୁ । ଚଇତା ହସିଲା—ପରିତୃପ୍ତିର ହସ ।

 

ଗାଡ଼ି ଧୀରେ ଧୀରେ ଷ୍ଟେସନ ଛାଡ଼ିଲା ।

 

ଗାଁ ମୁଣ୍ତ ସେଇ ଆମ୍ଵତୋଟା ପାଖରେ ପହଞ୍ଚିଲାକ୍ଷଣି ଚଇତାର ହୃଦୟ ଅଜଣା ଆବେଗରେ ନାଚି ଉଠିଲା । ଏହି ଗଛଗୁଡ଼ାକ ତା’ର ଅନେକ ଦିନରୁ ପରିଚିତ । ଏହାରି ଡାଳରେ ପିଲାବେଳେ କେତେ ସେ ଡାଳି ମାଙ୍କୁଡ଼ି ଖେଳିଚି, ଆଜି ତା’ର ଇୟତ୍ତା ନାହିଁ । ଗଛଗୁଡ଼ାକ ସେମିତି ଛିଡ଼ା ହୋଇଚି—କେତେ ଗଛ ବୁଢ଼ା ହୋଇଗଲାଣି । ଚଇତା ଟିକିନିଖି ନିରେଖି ଆଗେଇ ଚାଲିଲା ଗାଁ ଭିତରକୁ ।

 

ଗାଁ ଦାଣ୍ତ ସଜନାଗଛ ମୂଳରୁ ତା’ର ସେଇ ନୂଆଣିଆ ଘରଟି ଦିଶିଲା । ଚଇତା ହସି ହସି ଚଞ୍ଚଳ ଗତିରେ ଘର ପାଖରେ ଆସି ପହଞ୍ଚିଲା ବେଳକୁ ବାପା ବସି ଘର ଦାଣ୍ତରେ ବଉଳାକୁ ଆଉଁଷି ଦେଉଛନ୍ତି ।

 

ଚଇତାକୁ ଦେଖି ନିଧି ପଧାନ ଉଠି ଆସିଲା । ମୁହଁରେ ହସ—ଆଖିରେ ଆବେଗ । ଚଇତା ବାପାଙ୍କୁ ଦଣ୍ତବତ ହେଲା । ତା’ପରେ ଘର ଭିତରେ ଯାଇଁ ବସି ପଡ଼ିଲା । ବାପା ସାଙ୍ଗରେ ଘଡ଼ିଏ କାଳ କେତେ ସୁଖ ଦୁଃଖ ହେଲା । ଗାଁର କେତେ ଟିକିନିଖି ପିଲା ସବୁ ଆସି ରୁଣ୍ତ ହେଇଗଲେ—ସତେ ଯେପରି ଅପରୂବ ଦରବ ପାଇଲା ପରି । ଚଇତା ଗଣ୍ଠିରି ଭିତରୁ ଖଜୁରୀ କୋଳି ବାହାର କରି ସମସ୍ତଙ୍କୁ ଖାଇବାକୁ ଦେଲା । ପିଲାମାନେ ବିଦାୟ ନେଲେ ।

 

ଆମ ଘରେ କନକ ଥାଏ । ଲାଜ ଲାଜ ହେଉଥାଏ ଚଇତା ଆଗକୁ ଆସିବାକୁ । ମନ ତା’ର ଆନନ୍ଦରେ ପୂରି ଉଠିଥାଏ—ଆଷାଢ଼ର ଭରା ନଈ ପରି । ଏତେ ଦିନ ପରେ ଦେବତା ତା’ର ଡାକ ଶୁଣିଚନ୍ତି । ସପନ କଥା ସତ ହେଇଚି । ସ୍ଵାମୀ ତା’ର ଫେରି ଆସିଚନ୍ତି ।

 

ଟିକିଏ ପରେ ଚଇତା ଘର ଭିତରକୁ ପଶି ଆସିଲା । କନକ ମୁଣ୍ତ ଲଗାଇଲା ଚଇତା ଗୋଡ଼ ତଳେ । ଓଠରେ ଥରି ଉଠୁଚି ସଞ୍ଚିତ ବ୍ୟଥା—ଆଖିରେ ଜକ୍ ଜକ୍ କରୁଚି ଲୁହ । ଚଇତା କନକକୁ କୋଳକୁ ଟାଣିନେଲା । ଆଖିରୁ ଲୁହ ପୋଛିଦେଲା । କନକ ଆଡ଼ ଆଡ଼ ହେଲା । କିନ୍ତୁ ଚଇତାର ସ୍ନେହ ବନ୍ଧନ ସେ କାଟି ପାରିଲା ନାହିଁ । ତା’ କୋଳରେ କି ଆବେଗ ଥିଲା କେଜାଣି ନିଜକୁ ସେ ଭୁଲିଗଲା । ତା’ପରେ ଚଇତାର ଟାଣୁଆ ହାତର ତାତିଲା ପରଶ କନକର ଛାତିରେ ବାଜିଲା—ମୁହଁଟା ନଇଁ ପଡ଼ିଲା କନକର ମୁହଁକୁ ଲାଗି । ଦୁଇଟି ପିପାସୀତ ପ୍ରାଣ ଏକ ହୋଇଗଲା-

 

ତା’ପରେ କନକର ଅଶ୍ରୁ ମଉଳା ମୁହଁରେ ବ୍ୟଥାର ମେଘକାଟି ହସର ଆଲୁଅ ଲହଡ଼ି ଭାଙ୍ଗିଲା । ଓଠରେ ଦୀପ୍ତି—ହୃଦୟରେ ସ୍ପନ୍ଦନ । କନକ ଭାବିଲା, ଜୀବନ ଫୁଲକୁ ତା’ର ଶତ ସଉରଭ ଫେରି ଆସିଚି ।

 

ତା’ ଆରଦିନ ବାଟ ମଝିରେ ନିତିଆ ସାଙ୍ଗରେ ଚଇତାର ଦେଖା ହେଲା । ନିତିଆ ପଚାରିଲା, ଆରେ ଚଇତା ଭାଇ, କେବେ ଆସିଲ ମ ? ଆଉ ସବୁ କଲିକତା ଖବର କ’ଣ ? ଆମ ଗାଁ ସପନି ସାହୁ ପୁଅ ରାଘବାଟା କଲିକତା ଯାଇଚି–ଦେଖା ହେଇଥିଲା କି ? ଚଇତା ଏତେ ଗୁଡ଼ା ପ୍ରଶ୍ନର ଉତ୍ତର ଦେଇ କହିଲା, ସବୁ ଭଲ ନିତିଆ–ରାଘବା ସାଙ୍ଗରେ ମୋର ଦେଖା ହୋଇନାହିଁ… ଆଉ କେବେ କଲିକତା ଯିବୁରେ । ମାସକୁ ପରା ଛୁଟି ଆଣିଥିଲୁ…. ମାସ କ’ଣ ପୂରି ନାହିଁ ? ନିତିଆ ହସିଲା । କହିଲା, ଯିବି ବୋଲି ବସିଥିଲି ଯେ ନୟନୀ କାନ୍ଦିଲା । ସତେ ଚଇତା ଭାଇ, ତାକୁ ଛାଡ଼ି କାହିଁକି ବିଦେଶ ଯିବାକୁ ମୋର ଟିକେ ପାଦ ଚଳିଲା ନାହିଁ । ଆଉ ଯୋଉ ଚାକିରିତ ଦିନଯାକ ଖଟିବା ଖାଲି ସାର…..ଟିକିଏ ଆରାମ ନେଲେ ସାହେବର ଯୋଉ ନାଲିଆଖି—କେତେ କୁତ୍ସିତ ବଙ୍କା ବଙ୍କା ଗାଳି । ଆଉ ଭଲ ଲାଗିଲା ନାହିଁ । ଭାବିଲି ଏଇ ଗାଁ ମାଟି ମୋର ବଡ଼ । ଏଇଠି ପଡ଼ି ଯେତେ ଖଟିବି ସେଇଥିରେ ମୋର ଶାନ୍ତି । କେହି ପଦେ କହିବାକୁ ନାହିଁ । ଖୁସି ହେଲା ଖଟିଲି—ନ ହେଲା ନାହିଁ ।

 

ଚଇତା କହିଲା, ସତରେ ନିତିଆ ତୁ ଠିକ୍ କରିଚୁ । ମୁଁ କିନ୍ତୁ କଲିକତା ଛାଡ଼ି ପାରିଲି ନାହିଁ । ମହାଜନର ଦେଣା—ଘର ଖଣ୍ତିକ ଭାଙ୍ଗି ରୁଜି ଗଲାଣି । ଏଇ ସବୁକୁ ଅନାଇଲେ ସେହି କୁଲି ବସ୍ତିର ମଶା ଜଙ୍ଗଲ ଭିତରେ ପଡ଼ି ରହିବାକୁ ଇଚ୍ଛା ହୁଏ । ଇମିତି କେତେ କଥା ଦିହିଁଙ୍କର ପଡ଼ିଲା । କଥା ଶେଷରେ ଚଇତା ପଚାରିଲା, ନିତିଆ, ନୟନୀ କେମିତି ଅଛିରେ ? ମୋ କଥା ପଦେ ଅଧେ ପଚାରେ ତ ? ନିତିଆ ହସି ହସି କହିଲା, ନୟନୀ ପରା କୁହେ ଚଇତା ଭାଇର ଭାରି ପାଷାଣ ହୃଦୟ—ସେଦିନୁ ଗଲେଣି—ଗାଁକୁ ଆସୁ ନାହାନ୍ତି । ନୂଆବୋଉ ବିଚରା ଝୁରି ଝୁରି କଣ୍ଟା ହେଇଗଲାଣି । ସବୁଦିନେ ପଚାରେ ଚଇତା ଭାଇ କେବେ ଆସିବେ । ଏତିକି କହି ନିତିଆ କହିଲା, ଯାଉଚି ଭାଇ ଟିକେ ବିଲ ଆଡ଼େ । ନିତିଆ ଚାଲିଗଲା । ଚଇତା ଫେରି ଆସିଲା ଘରକୁ ।

 

ଗାଁରେ ଚଇତାର ଦିନ ଗୁଡ଼ା ସ୍ଵପ୍ନ ପରି କଟିବାକୁ ଲାଗିଲା । କିନ୍ତୁ ବେଳେବେଳେ ତା’ର ବୋଉ କଥା ମନେପଡ଼ିଲେ ସେ କାନ୍ଦିଉଠେ ପିଲାଙ୍କ ପରି ।

 

କନକ ସ୍ଵାମୀଙ୍କୁ ପାଇଲା ଦିନୁଁ ନିଜକୁ ତାଙ୍କରି ସେବାରେ ଉତ୍ସର୍ଗ କରି ଦେଇଚି । ତା’ର ରାତି ନାହିଁ—ଦିନ ନାହିଁ । ସବୁବେଳେ ସ୍ଵାମୀ କିପରି ଭଲ ଖାଇବ, ପିଇବ ଏଇ ଚିନ୍ତା । ଏଣିକି କନକ ଭଲ ଲୁଗା ଖଣ୍ତେ ପିନ୍ଧେ । ଭଲ କରି ମୁଣ୍ତ କୁଣ୍ତାଏ । ଚଇତା ମୁହଁକୁ ଚାହିଁଲେ ଆଡ଼ ଆଡ଼ ହେଇ କନକ ହସେ–ଚଇତା ବି ନ ହସି ରହି ପାରେନା । ହସର ଢେଉ ତଳେ ତଳେ ଉଙ୍କି ମାରେ ଜୀବନର ଭଲ ପାଇବାର କେତେ କଥା—କେତେ ବାସନା ।

 

ଚଇତା ଆସିଲା ପରେ ନିଧି ପଧାନ ସେଇ ପୁରୁଣା ଘରଟା ଭାଙ୍ଗି ଦେଇଚି । କାଠ ବାଉଁଶ ଆଣି ଜମା କଲାଣି ନୂଆ ଘର କରିବ । ତା’ ଜୀବନର ଶେଷ ପରିଣତିରେ ସେ ଟିକେ ସୁଖର ସ୍ଵପ୍ନ ଦେଖି ମରିବ । ସେ ଘର କରିଚି—ପିଲାକବିଲାଙ୍କୁ ମଣିଷ କରିଚି । ଧାନ ଯା ଅମଳ ହେଇଚି ବରଷକ ଖୋରାକି ଯାଇ ଆହୁରି ବଳିବ । ଧାନତକ ବିକି ସେଇ ଟଙ୍କାରେ ସେ ଆଉ ଏ ବରଷ ମହାଜନ ଦେଣା ଦେବ ନାହିଁ । ଆଗେ ଘର କରିବ—ତା’ପରେ ମହାଜନ କଥା । ଚଇତା ବି ମାସକୁ ମାସ ଟଙ୍କା ପଠାଇବ । ନିଧି ପଧାନ ଭାବେ ଆଉ ତା’ର ଅସୁବିଧା କିଛି ହେବ ନାହିଁ ।

 

ଦିନ ଗୁଡ଼ା ଗଡ଼ି ଚାଲେ । ଚଇତାର ଛୁଟି ପୂରି ଆସେ—କନକର ଆଖିରେ ଲୁହ । ସତେ ତମେ ପୁଣି କେବେ ଆସିବ ? ପ୍ରଶ୍ନବାଚକ ହଜିଯାଏ କାହିଁ କେତେ ଦୂରରେ । ଚଇତା କିଛି ଉତ୍ତର ଦେଇ ପାରେନା । ସେ ଆଗେଇ ଚାଲେ ।

 

ଦୂର ଦିଗ୍‍ବଳୟ ଆଡ଼କୁ ଚାହିଁ ଚାହିଁ କନକ ଭାବେ, ସେ ଆସିବେ—ପୁଣି ଆସିବେ । ଇମିତି ଆଖିରୁ ଗଡ଼ି ଆସୁଥିବା ଲୁହର ସ୍ରୋତକୁ ସେ ଅଟକାଇ ପାରେ ନା—ଖାଲି କାନ୍ଦେ । ପୁଣି କେବେ ସେ ଆସିବେ ? ଆଖି ଆଗରେ ବିରାଟ ପ୍ରଶ୍ନବାଚକ ।

Image

 

–୯–

 

ଚଇତା ପୁଣି ତା’ର ସେଇ ସୂତା କଳ କୁଲିବସ୍ତିକୁ ଫେରି ଆସିଲା । ବସାରେ ପଦନି ସୂତାର ନାଇଁ—ଯାଇଚି ଘରକୁ । ବାଉରିଆଭାଇ ଦେହଟା ଖରାପ–ମଝିରେ ମଝିରେ ଜର ହେଉଚି-

 

ଚଇତା ଆସିବା ଖବର ଶୁଣି ଗାଁ ପାଖ ଯୋଗୀ ବିଶ୍ଵାଳ ଆସି ଦିନେ ସଞ୍ଜବେଳେ ପହଞ୍ଚିଲେ–ଚଇତା ବସାରେ । ଚଇତା ବସିବାକୁ ସପଟା ପାରିଦେଲା । ଯୋଗୀ ବିଶ୍ଵାଳେ ବସିପଡ଼ି ବଟୁଆଟା ବାହାର କରି ପାନ ଖଣ୍ତେ ଭାଙ୍ଗିଲେ । ପାନ ଭାଙ୍ଗୁ ଭାଙ୍ଗୁ ପଚାରିଲେ, ଚଇତା ଗାଁ ଖବର ସବୁ ଭଲ ତ ? ଧାନ ବାଡ଼ା ବାଡ଼ି ହେଲାଣି ? ଆମ ସେ କାଳିଗାଈଟା ଦୁଧ ଦଉଚିନା ଆଜିଯାଏ ? ଆମ କୋଠିଆ ଭଗିଆର ଦିହଟା ଭଲ ନ ଥିଲା, କିମିତି ଅଛିରେ ? ଚଇତା ଠିକେ ଠିକେ ସବୁ ଉତ୍ତର ଦେଲା ।

 

ଗାଁଠୁ ଚାରିମାଇଲ ଛଡ଼ା ସାଧୁ ବେହେରାର ଘର । ସେ ବି ଆସି ପହଞ୍ଚିଲା । ପଚାରିଲା, ବାପା, ମୋ ପିଲାପିଲି ଦିହପା ଖବର କ’ଣ କହିଲୁ । ଝରିର ପୁନେଇ ଭାର ପଠେଇଚନ୍ତିନା ? କଇପଡ଼ା ରଘୁ ସାହୁ ହାତରେ ଚିଠି ଆଉ ଦଶଟା ଟଙ୍କା ଦେଇଥିଲି—ଝରିବୋଉ ପାଇଚି ନାଁ ? ଚଇତା କହିଲା, ନାଁ ମଉସା, ତମ ଗାଁଆଡ଼େ ଯାଇ ନାହିଁ । ସାଧୁ ବେହେରା ମୁହଁଟା ପିତା ପିତା କରି ଚାଲିଗଲା ।

 

ସାଧୁ ବେହେରା ମାଳୀ କାମ କରେ—ଫୁଲ ମୁଣ୍ତେଇ କଲିକତା ରାସ୍ତା କନ୍ଦି ବିକନ୍ଦିରେ ଫେରିକରେ । ଦି’ପଇସା ବେଶ ରୋଜଗାର କରେ । ସାଧୁ ବେହେରା ନିଜ ଜାତିର ଭାରି ଟାଣ ଦେଖାଏ । ଗାଁରେ କେତେ ଫୁଟାଣି କହେ । ଚଇତା ସବୁ ଜାଣେ । ଇମିତି କେତେଲୋକ ଗାଁକୁ ଗଲେ କେତେ ବଡ଼ ଲୋକର ଚାଲ ଦେଖାନ୍ତି । କିନ୍ତୁ ବିଦେଶରେ କୋଉଠି କାର ଝୁଡ଼ି ମୁଣ୍ତାନ୍ତି—କାର ଅଇଁଠା ବାସନ ମାଜନ୍ତି । ଗାଁକୁ ଗଲେ ଏଇ ବାବୁମାନଙ୍କର ରୂପ ବଦଳିଯାଏ । ପରିଧାନ ବାସୀକରା ଧୋବ ଧୋତି—ଗୋଡ଼ରେ ଜୋତା, ଦେହରେ କୁରୁତା । କଥା କଥାରେ ମୁହଁରୁ ଖଣ୍ତି ଖଣ୍ତିଆ ବଙ୍ଗଳା କଥା । ଏଇମାନଙ୍କୁ ଦେଖିଲେ ଚଇତା ଭାରି ବିଗିଡ଼େ । ଭାବେ ଏଇମାନେ ଜାତିର ଗଳଗ୍ରହ । ନିଜ ଦେଶରେ ଅଇଁଠା ପତର ନ ଚାଟି ପରଦେଶର ଅଇଁଠା ଚାଟି ଜାତିର ସମ୍ମାନରେ ଆଘାତ ଆଣନ୍ତି ।

 

ପୁଣି ଚଇତାର ଧରାବନ୍ଧା ଜୀବନ ଗଡ଼ି ଚାଲିଲା । କାମ କରୁ କରୁ ବେଳେବେଳେ ମନ ଗଗନରେ ତା’ର ଭାବନା ବାଦଲ ଛୁଟି ଚାଲେ । ଝିପିରି ଝିପିରି ବେଦନାର ମେଘ ଝରେ । ଚଇତାର ସାରା ଶରୀର ଭିଜିଯାଏ କରୁଣତାରେ । ପୁଣି ପରକ୍ଷଣରେ ଭାବନାର ମେଘକାଟି ଆଶା ଉଚ୍ଛ୍ୱାସର ଆଲୁଅ ଆସେ । ଚଇତା ଭାବେ ଅଳୀକ ଏ ଭାବନା—ଅସାର ।

 

ବାଉରିଆଭାଇର ଦେହ ଦିନକୁଦିନ ଖରାପ ହେଲା । ଚଇତା ତା’ର କେତେ ସେବା କରେ । ଭାବେ ବାଉରିଆଭାଇ ତା’ର କେତେ ଉପକାର କରିଚି । ସେ ପର ନୁହେଁ–ଆପଣାର । ବିପଦ ବେଳେ ଆଜି ସେ ଯଦି ତା’ର ଉପକାର ନ କରେ–ତେବେ ବାଉରିଆଭାଇ ହୁଏତ ଭାବିବ ଏଡ଼େ କୃତଘ୍ନ ଏ ଚଇତା । ଏଇଆ ଭାବି ଚଇତା କାମରୁ ଫେରି ସବୁବେଳେ ବାଉରିଆଭାଇର ସେବା କରେ । ଡାକ୍ତର କତିକି ଦଉଡ଼ିଯାଏ । ଓଷଦ ଆଣି ଜଗି ରଖି ବାଉରିଆକୁ ଖୁଆଏ ।

 

କିନ୍ତୁ ଯେତେ ଚେଷ୍ଟା ସତ୍ତ୍ୱେ ବି ବାଉରିଆର ଦେହ ଭଲ ହେଲାନାହିଁ । କ୍ରମାଗତ ଜରରେ ସେ ଭାଙ୍ଗି ପଡ଼ିଲା । ବାଉରିଆ ଖାଲି କାନ୍ଦେ । ଆଉ ପାଗଳ ପରି ଚଇତା ଆଗରେ ବକେ, ଚଇତା ଆଉ ବଞ୍ଚିବି ନାହିଁ । ଘରେ ପିଲାପିଲି କିମିତି ଚଳିବେ । ଜମି ବୋଲି ବକଟେ ତ ନାହିଁ । ମୁଁ ମଲେ ସେ ଅନାଥ ହେବେରେ ଚଇତା, ଭିକ ମାଗି ଖାଇବେ । ବାଉରିଆ କଥା ଶୁଣି ଚଇତା ଆଖିରେ ଲୁହ ଆସେ । ପ୍ରବୋଧ ଦେଇ କହେ, ଛି ଭାଇ ଇମିତିକା ଅମଙ୍ଗଳ କଥା କହନ୍ତି-। କ’ଣ ହୋଇଚିକି ତୋର–ଇମିତି ହେଉଚୁ । ତୁ ନିଶ୍ଚୟ ଭଲ ହୋଇଯିବୁ । ବାଉରିଆ ହସେ–ସେ ହସରେ ତା’ର ବେଦନାର ମ୍ଳାନ ଛାଇ । ଚଇତା ଦେଖେ ଯେପରି ବାଉରିଆ ଭାଇର ଏ ହସଟା ସବୁଦିନିଆ ହସ ପରି ନୁହେଁ—ମଣିଷ ନିରାଶାରେ ଯେମିତି ଶେଷ ହସ ହସେ–ସେହିପରି ଏ ହସଟା ।

 

ବାଉରିଆର ବେଦନା ମଳିନ ମୁହଁଟାକୁ ଚାହିଁ ଚଇତା ସେ ଦିନ ରାତିରେ ଚମକି ଉଠିଲା-। ସତେ କି ବିକୃତ ମୁହଁଟାଏ । ବାଉରିଆ ଖନ ଖନ ହେଇ କହିଲା, ଚଇତା ଭାଇ, ଆଉ ପିଲାପିଲିକି ଟିକେ ଦେଖି ପାରିବି ନାହିଁ । ମଲାବେଳେ ତାଙ୍କ ମୁହଁ ଚାହିଁ ମରିଥିଲେ, ହୁଏତ ଟିକେ ଶାନ୍ତିରେ ମରିଥାନ୍ତି—କିନ୍ତୁ ସେ ମୋ ଭାଗ୍ୟରେ ନାହିଁ । ଆଖିରୁ ତା’ର ଧାର ଧାର ହେଇ ଲୁହ ଗଡ଼ି ପଡ଼ିଲା । ଚଇତା, କେଳୁ ମହାନ୍ତି କେତେ ବୁଝାଇଲେ ବାଉରିଆ କିଛିହେଲେ ବୁଝିଲା ନାହିଁ । ଖାଲି କାନ୍ଦିଲା—ଆଉ କହିଲା ମୋ ପିଲାପିଲି କିମିତି ଚଳିବେ । ହଠାତ୍ ରାତି ଦିଇଟା ବେଳକୁ ବାଉରିଆ ଅଚେତ ହେଇପଡ଼ିଲା । ପାଟି ବନ୍ଦ ହୋଇଗଲା । ଚଇତା ଦଉଡ଼ିଲା ଡାକ୍ତର କତିକି । ଡାକ୍ତର ଆସି ଦେଖିଲାବେଳକୁ ବାଉରିଆ ଚାଲିଯାଇଚି ସେ ପୁରକୁ । ଚଇତା କାନ୍ଦିଲା । କେଳୁ ମହାନ୍ତି କାନ୍ଦିଲା । କୁଲି ବସ୍ତିରୁ ଲୋକ ସବୁ ଆସି ଜମା ହୋଇଗଲେ ।

 

ସକାଳର କଅଁଳ ଆଲୁଅ ଧରାକୁ ଛୁଇଁବା ଆଗରୁ ବାଉରିଆର ମର ଦେହଟାକୁ ଚଇତା, କେଳୁ ମହାନ୍ତି ଓ ବସ୍ତିରୁ ଆଉ ଦି’ଜଣ ମାଟିଆ ବୁରୁଜର ସେଇ ମଶାଣିରେ ଜାଳି ପାଉଁଶ କରିଦେଲେ । ଆଉ ସେ ଦିନ ଡାକରେ ଚିଠି ଦେଲେ ତା’ ବାପା କତିକି—ବାଉରିଆ ଗଲା ରାତିରେ ମରିଯାଇଚି ।

 

ବାଉରିଆ ମଲାଦିନରୁ ଚଇତା ବସାକୁ ଆସିଲେ ମାଡ଼ି ମାଡ଼ି ପଡ଼େ । ତାକୁ କିଛି ଭଲ ଲାଗେନା । ଖାଲି ଭାବେ, ଆହା ବିଚରା ଗାଁରେ ଭଲା ମରିଥାନ୍ତା । ଏଠି କିଏ ତା’ର ଭଲକରି ଯତ୍ନ ନେଇଚି । ଇମିତି ଅକାଳରେ ଜୀବନଟା ତା’ର ନଷ୍ଟ ହୋଇଗଲା ସିନା । ବାପା, ଭାଇ, ସ୍ତ୍ରୀ ତା’ର ଏ ଖବର ପାଇ କ’ଣ ନ ହେଉଥିବେ । ଗରିବ ବିଚରା—କିମିତି ଚଳିବେ । ଚଇତା ଭାବୁ ଭାବୁ କାନ୍ଦି ପକାଏ ।

 

ବେଳେବେଳେ ଭାବେ ପରବାସୀ ଜୀବନଟା କ’ଣ ଏଇଆ । ଇମିତି ବିଦେଶରେ ତ କେତେ ପରବାସୀ ମରି ଯାଉଥିବେ–ଆଉ କିଏ କୋଉ ମଶାଣିରେ ପୋଡ଼ି ପାଉଁଶ ହେଇ ଯାଉଥିବ । ଶେଷ ଜୀବନରେ ଆପଣାର ସ୍ତ୍ରୀ ପିଲାଙ୍କୁ ଟିକେ ଦେଖି ପାରୁ ନ ଥିବ । କାହିଁ କେତେ ଦୂରରେ ଛୋଟିଆ ମଫସଲରେ ଯେତେବେଳେ ଯାଇ ଖବର ପହଞ୍ଚୁଥିବ ସେ ମରିଯାଇଚି—ଆହା, ସେତେବେଳେ ତା’ର ସ୍ତ୍ରୀ, ପିଲାପିଲି, ବାପ ମା’, ବନ୍ଧୁବାନ୍ଧବ କ’ଣ ନ ହେଉଥିବେ । ଚଇତା ଭାବୁ ଭାବୁ ବେଦନାରେ ମନଟା ତାର ଭାରି ହେଇଉଠେ । ବାଉରିଆ ମଲା ଦିନୁ ଚଇତା ବସାକୁ ଆସିଲେ କି କୁଆଡ଼କୁ ବୁଲି ଗଲେ ଭଲ ଲାଗେ ନା । ସବୁବେଳେ ସେ ଯେପରି କାର ଅଭାବ ଅନୁଭବ କରେ । କେଳୁ ମହାନ୍ତି ଚଇତାର ଶୁଖିଲା ମୁହଁ ଦେଖିଲେ ଭାରି ଚିଡ଼େ । କୁହେ, କିରେ ଚଇତା ସେ ମଲା ଗଲା । କୋଉ ଆପଣାର ହେଇଚି, ତା’ ପାଇଁ ତୋର ପୁଣି ଏତେ ଭାବନା—ଏତେ ଦୁଃଖ, ଚଇତା କିଛି ଉତ୍ତର ଦିଏ ନା ।

 

ସୁଖ ଦୁଃଖର ଧକ୍‍କା ଖାଇ ଦିନ ଗଡ଼ି ଚାଲେ ।

Image

 

–୧୦–

 

ଦିନେ ସଞ୍ଜ ହେଇଗଲାଣି । ରାସ୍ତାରେ କାଁ ଭାଁ ବିଜୁଳିବତୀ ଜଳି ଉଠିଲାଣି । ବସ୍ତି ଭିତର ରାନ୍ଧଣା ଘରୁ ଧୂଆଁ ସବୁ ଉଠୁଚି ଆକାଶକୁ । ମାଟିଆ ବୁରୁଜର ରାସ୍ତାରେ ସ୍ଥାନେ ସ୍ଥାନେ ଲୋକ ଗହଳି ଲାଗିଥାଏ । ବସ୍ ଗୁଡ଼ା ହର୍ଣ୍ଣ ଦେଇ ସେପଟରୁ ଆସୁଥାଏ–ଏ ପଟରୁ ଯାଉଥାଏ । ଆକାଶରେ ଜହ୍ନ ହସୁଥାଏ । ତାରାଗୁଡ଼ା ସରଗ ରାଇଜଯାକ ବିଛାଡ଼ି ହୋଇ ପଡ଼ିଥାନ୍ତି ।

 

ଚଇତା ବସାରେ ବସି କ’ଣ ଗୋଟାଏ ଗପ ବହି ପଢ଼ୁଚି । କେଳୁ ମହାନ୍ତି କୁଆଡ଼େ ଥିଲା ଆସି ପହଞ୍ଚିଲା । କହିଲା, ଚଇତା, ଚାଲ ଟିକେ ବଜାରଆଡ଼େ ବୁଲି ଆସିବା । ଚଇତାକୁ ବି ସଞ୍ଜବେଳଟାରେ ବସାରେ ଭଲ ଲାଗୁ ନ ଥିଲା—ସେ ଉଠିଲା । ଦିହେଁ ବଜାରଆଡ଼େ ବୁଲି ବାହାରିଲେ ।

 

ସେତେବେଳକୁ ରାସ୍ତା କର ଦୋକାନରେ ଭିଡ଼ ଜମି ଆସିଲାଣି । ମାଂସ ଦୋକାନରେ ଗରାଖ ଗହଳି–ଅତ୍ୟଧିକ ଭିଡ଼ । କେଳୁ ମହାନ୍ତି ଚାଲିଥାଏ ଆଗରେ—ଚଇତା ପଛେ ପଛେ । ବଜାର ଅତିକ୍ରମ କରି କେଳୁ ମହାନ୍ତି ଗୋଟାଏ ଛୋଟ ଗଳି ଭିତରେ ପଶିଲା । ଚଇତା ପଚାରିଲା, କୁଆଡ଼େ ଯିବ କେଳୁ ଭାଇ । କେଳୁ ମହାନ୍ତି କହିଲା, ଆଜି ଗୋଟାଏ ନୂଆ ଜାଗାକୁ ତୋତେ ନେଇଯିବି ଚଇତା, ଦେଖିବୁ ସେ ଜାଗା ତୋତେ ଭଲ ଲାଗୁଚି କି ନାହିଁ । କେଳୁ ମହାନ୍ତିର କଥା ଶୁଣି ଚଇତା ଆଶ୍ଚର୍ଯ୍ୟ ହେଲା । ଭାବିଲା କୁଆଡ଼େ ସେ ଯାଉଚି ।

 

ସେହି ଗଳିରେ ଅଧ ମାଇଲ ବାଟ ଆସିଲା ପରେ କେଳୁ ମହାନ୍ତି ଗୋଟାଏ ଏକତାଲା ପୁରୁଣା କୋଠା ଭିତରକୁ ପଶିଲା । ଚଇତା ତା’ ପଛେ ପଛେ ସେ ଘରକୁ ଗଲା । କେଳୁ ମହାନ୍ତିଙ୍କୁ ଦେଖିଲାକ୍ଷଣି ସେ ଘରୁ ଗୋଟିଏ ସୁନ୍ଦରୀ ଯୁବତୀ ବାହାରି ଆସିଲା । ହସି ହସି କହିଲା, କୁଆଡ଼େ ଥିଲ ଏତେ ଦିନଯାକେ—ଆସୁ ନଥିଲ । କେଳୁ ମହାନ୍ତି ହସି ହସି କହିଲା, ଦେହ ଭଲ ନ ଥିଲା—ଆସିପାରି ନାହିଁ । ଆଜି ଗୋଟାଏ ନୂଆ ସାଙ୍ଗକୁ ନେଇ ଆସିଚି । ଯୁବତୀଟି ଚଇତା ଆଡ଼େ ମୁଗ୍‍ଧ ଦୃଷ୍ଟିରେ ଅନାଇଲା । ଚଇତା ଅନ୍ୟଆଡ଼କୁ ଚାହିଁବା ମାତ୍ରେ ଯୁବତୀଟି ମୁରୁକି ହସା ହସି ତା’ ଆଡ଼େ ମୁହଁ ବୁଲାଇ କହିଲା, ଘର ଭିତରକୁ ଚାଲନ୍ତୁ । କେଳୁ ମହାନ୍ତି, ଚଇତା ଦିହେଁ ଘର ଭିତରେ ପଡ଼ିଥିବା ଖଟ ଉପରେ ଯାଇଁ ବସିଲେ । ଚଇତା ଆଶ୍ଚର୍ଯ୍ୟ ହୋଇ ପଚାରିଲା, ଏ କିଏ କେଳୁ ଭାଇ-? ବଳେ ବୁଝିବୁ ଯେ ।

 

ଚଇତା ତା’ କଥାର ଅର୍ଥ କିଛି ବୁଝି ପାରିଲାନାହିଁ । ଖାଲି ବଲବଲ କରି ଚାହିଁଲା । ଯୁବତୀଟି ହସି ହସି ଥାଳିରେ ପାନ ନେଇ ଆସିଲା । କେଳୁ ମହାନ୍ତି ମୁରୁକି ହସା ଦେଇ କହିଲା, ଅନେକ ଦିନ ପରେ ମାଧବୀ ଆଜି ତମ ହାତର ପାନ ଖଣ୍ତେ ପାଉଚି । ମାଧବୀ କହିଲା, ମୋର ସୌଭାଗ୍ୟ । ମୁହଁରେ ତା’ର ହସ ଝଟକିଲା ।

 

ମାଧବୀ ଅନୁରୋଧ କଲା ଚଇତାକୁ ପାନ ଖାଇବାକୁ । ଚଇତା ପାନ ଖାଏନା—କିନ୍ତୁ ଆଜି ସେ ମାଧବୀର ଅନୁରୋଧ ଭାଙ୍ଗିପାରିଲା ନାହିଁ । ତାରି ଆଡ଼କୁ ଅନେଇଲା ବେଳକୁ ଛପି ଛପି ହସିଲା ମନ ରାଇଜର ପରଦା ଅନ୍ତରାଳରେ କନକର ହସ ହସ ମୁହଁ । ମାଧବୀ ଦେଖିବାକୁ ସୁନ୍ଦର—ରୂପବତୀ । ଫୁଲଟି ପରି ଅବିକଳ ଢଳ ଢଳ । ମନରେ ତା’ର ଅଜଣା ବାସନା ଚେଇଁ ଉଠିଲା ।

 

କେଳୁ ମହାନ୍ତି ଉଠିପଡ଼ି କହିଲା, ଚଇତା ତୁ ଏଇଠି ବସିଥା–ମୁଁ ଆସୁଚି । ଏତିକି କହି କେଳୁ ମହାନ୍ତି ମାଧବୀକି ନେଇ ଅନ୍ୟ ଘର ଆଡ଼େ ଚାଲିଗଲା । ଚଇତା ସେଇଠି ବସି ବସି ତାଙ୍କରି ଗତିପଥକୁ ଚାହିଁ ରହିଲା । ମନରେ ତା’ର ଏଣୁ ତେଣୁ ଭାବନା । ହୃଦୟରେ ସନ୍ଦେହ……..ଏ ପୁଣି କିଏ ? କେଳୁ ଭାଇ ସହିତ ମାଧବୀର ସମ୍ପର୍କ କ’ଣ ? ଅନେକ ଲୋକଙ୍କଠାରୁ ଶୁଣିଚି କେଳୁ ଭାଇ ବଙ୍ଗାଳୁଣୀ ବେଶ୍ୟା ଘରକୁ ଯାଏ, ତେବେ ମାଧବୀ କ’ଣ ସେଇ-। ନାଁ ନାଁ ମାଧବୀ ବେଶ୍ୟା ନୁହେଁ—ବେଶ୍ୟା କ’ଣ ଏଡ଼େ ସୁନ୍ଦର ।

 

ଅଧଘଣ୍ଟା ପରେ ମାଧବୀ ହସି ହସି ଚଇତା କତିକି ଏକେଲା ଫେରି ଆସିଲା । କତିରେ ବସି ପଡ଼ି ଚଇତାକୁ କହିଲା, ତମ ପରି ସୁନ୍ଦର ଲୋକ ମୁଁ କମ୍ ଦେଖିଚି । ଚଇତା ମୁରୁକି ହସିଲା–କିଛି କହିବାକୁ ତା’ର ସାହସ ହେଲା ନାହିଁ … ନିଜକୁ ସଙ୍କୁଚିତ କରି ନେଲା ଲାଜରେ-। ମାଧବୀ କହିଲା, ଏଠି ଭୟ କରିବାର କିଛି ନାହିଁ । ଏତେ ଭାବୁଚ କ’ଣ ? କେଳୁ ଭାଇ ତମର ଚାଲି ଗଲେଣି । ଏତିକି କହି ମାଧବୀ ଚଇତା କୋଳ ଉପରକୁ ଆଉଜି ପଡ଼ିଲା । ମାଧବୀର ସୁନ୍ଦର ତନୁଲତାର ସ୍ନିଗ୍‍ଧ ପରଶରେ ଚଇତାର ସାରା ଶରୀର ଜଳି ଉଠିଲା ଏକ ଅପୂର୍ବ ମାଦକତାରେ-। ଚଇତା ନିଜର ବ୍ୟକ୍ତିତ୍ଵକୁ ଭୁଲିଗଲା । ସେ ମାଧବୀକୁ ନିଜ କୋଳକୁ ଟାଣି ଆଣି ବାହୁ ସନ୍ଧିରେ ଭିଡ଼ି ଧରି ବାରବାର ଚୁମ୍ଵନ କରିବାକୁ ଲାଗିଲା । ସେତିକିରେ ମାଧବୀ ସନ୍ତୁଷ୍ଟ ହେଲା ନାହିଁ-। ଚଇତାକୁ ଆହୁରି ନିକଟକୁ ଟାଣିନେଲା । ଚଇତାର ପାଗଳମନ ବାଟକୁ ଫେରି ବି ଫେରିଲା ନାହିଁ..…ଦଉଡ଼ିଲା ମରିଚୀକା ପଛେ ପଛେ । ଦୁହେଁ ଦୁହିଁଙ୍କୁ ଆହୁରି ନିବିଡ଼ କରି ପାଇବାକୁ ବ୍ୟାକୁଳ ହୋଇ ଉଠିଲେ । ଚଇତା ମାଧବୀ କି କୋଳରେ ଧରି ତା’ର ଅଲରା କେଶବାସ ସଜାଡ଼ୁ ସଜାଡ଼ୁ କହିଲା, ମାଧବୀ, ତମେ କେଡ଼େ ସୁନ୍ଦର । ମାଧବୀ ମୃଦୁ ମୃଦୁ ହସିଲା ।

 

ଚଇତା ଦେଖିଲା କାନ୍ଥ ଘଣ୍ଟାରେ ଦଶଟା ବାଜିବାକୁ ପାଞ୍ଚମିନିଟ ବାକି ଅଛି । ଧଡ଼ ପଡ଼ ହୋଇ ଉଠି ପଡ଼ିଲା । କହିଲା, ମାଧବୀ ବହୁତ ରାତି ହେଲାଣି—ଯାଉଚି । ମାଧବୀ ହସି ହସି ବିଦାୟ ଦେଲା । ଆଉ ବାର ବାର କରି ଚଇତାର ହାତ ଧରି କହିଲା, କାଲି ଆସିବେ—ମୋ ରାଣ-। ଚଇତା କହିଲା, ନିଶ୍ଚୟ ଆସିବି ମାଧବୀ—ତମେ ଅପେକ୍ଷା କରିଥିବ ।

 

ବସାକୁ ଫେରିଆସି ଦେଖିଲା ବେଳକୁ କେଳୁଭାଇ ବସି ବେଦମ ଗଞ୍ଜେଇ ଟାଣୁଚି । ଧୂଆଁରେ ଘର ଭିତରଟା ଭରିଯାଇଚି । ଚଇତାକୁ ଦେଖି କେଳୁ ମହାନ୍ତି ହସି ହସି ପଚାରିଲା, ଚଇତା ଏତେବେଳ ଯାଏ କୁଆଡ଼େ ଥିଲୁମ । ଚଇତା ହସିଲା, କହିଲା, କେଳୁଭାଇ ତମେ ଇମିତିକା ଲୋକ । ମୋତେ ଏକଲା ଛାଡ଼ି ଆଗେ ଆଗେ ଚାଲି ଆସିଲ । କେଳୁ ମହାନ୍ତି ହସି ହସି କହିଲା, ବଣ ଜଙ୍ଗଲରେ ତ ଛାଡ଼ିଦେଇ ଆସି ନଥିଲି । ଛାଡ଼ ସେ କଥା । ତା’ପରେ ମାଧବୀ ସାଙ୍ଗରେ ତୋର ଆଳାପ ହେଲା ତ ? ଚଇତା ହସିଲା—ଉତ୍ତର ଦେବାକୁ ପାଟିରୁ କଥା ବାହାରିଲା ନାହିଁ । କେଳୁ ମହାନ୍ତି ଗଞ୍ଜେଇ ଦି’ ଢୋକ ଟାଣୁ ଟାଣୁ କହିଲା, ମାଧବୀ କେମିତି ଲାଗିଲାରେ ଚଇତା—ଖଟା ନା ମିଠା ? ଚଇତାକୁ ଲାଜ ମାଡ଼ିଲା । ସେ କଥା ବାଆଁରେଇ କହିଲା, ଭାରି ନିଦ ମାଡ଼ିଲାଣି କେଳୁଭାଇ, ବତୀ ଲିଭାଇ ଦେଉଚି । ଏତିକି କହି ଚଇତା ବତୀଟା ଲିଭାଇ ଦେଲା । କେଳୁ ମହାନ୍ତି ଗଞ୍ଜେଇ ନିଶାରେ ଟଳି ପଡ଼ିଲା । ଚଇତା ଶୋଇ ଶୋଇ ଭାବିଲା, ମାଧବୀ କଥା । ମାଧବୀ କେଡ଼େ ସୁନ୍ଦର । କି ମଧୁର କଥା ତା’ର—କାଲି ଆସିବେ, ମୋ ରାଣ…..ଭାବୁ ଭାବୁ ନିଦରେ ଶୋଇ ପଡ଼ିଲା ।

 

ସପନରେ ଦେଖିଲା, ମାଧବୀ ତା’ କୋଳରେ ଶୋଇଚି । ଚଟ୍ କରି ଚଇତାର ନିଦଟା ଭାଜିଗଲା । ଦେଖିଲା ଖାଲି ଅନ୍ଧାର । ସାଇଁ ସାଇଁ ନିଶା ଗର୍ଜୁଚି । ନିରବତାର ବୁକୁ ଚିରି କେତେବେଳେ କିମିତି ଗୋଟାଏ ଶବ୍ଦ କାନ ପାଖରେ ବାଜି ଉଠୁଚି । ପୁଣି ଚଇତା ଆଖି ବୁଜିଲା ।

Image

 

–୧୧–

 

ବାପା ଚିଠିଦେଇଚନ୍ତି, ଚଇତା, ଘରକାମ ଅଧାଅଧି ହୋଇଯାଇଚି । ମୋ କତିରେ ଯା ପଇସା ଥିଲା ସବୁ ଶେଷ । ଚିଠି ପାଇ ଶୀଘ୍ର ଟଙ୍କା ପଠାଇବୁ । ମୂଲିଆଙ୍କର କେତେ ପଇସା ଦିଆ ହୋଇନାହିଁ । କନ୍ଦିଆ ବଢ଼େଇର ଛ’ଦିନର ମଜୁର ବାକି । ଆଗରେ ପୁନେଇଁ—ପାରି ଘରକୁ ଭାର ଯିବ । ଚିନ୍ତେଇ ସାହୁ ମହାଜନ ବାହାଘର ଦେଣାଟଙ୍କା ମାଗୁଥିଲା । ତାକୁ କହିଚି, ଏ ଘର କାମ ସରିଲେ ଟଙ୍କାଦେବାକୁ । ଇମିତି କେତେ ଅଭାବ ଅଭିଯୋଗ, ଚଇତା ଚିଠିପଢ଼ି ବିରକ୍ତିରେ ଚିରି ଫୋଫାଡ଼ି ଦେଲା । ଖାଲି ସବୁବେଳେ ଟଙ୍କା ଟଙ୍କା ଟଙ୍କା । ଟଙ୍କା ଯେମିତି ଖଣି ପଡ଼ିଚି ଏଠି ।

 

କଳଘର କାମ କଲାବେଳେ ଚଇତା ମନରେ ମାଧବୀର ରୂପ ନାଚି ଉଠୁଥାଏ । ତାରି ହସ ହସ କଅଁଳ ବଚନ କାନ କତିରେ ବାଜି ଉଠେ । ତା’ର ସୁନ୍ଦର ତନୁଲତାକୁ କୋଳରେ ପୁରାଇ ଚିବୁକ ସ୍ପର୍ଶ କଲାବେଳେ କି ଆନନ୍ଦ—ଅଭିନବ ସେ—ଚିରଦିନ ପୁଲକଭରା । ଚଇତା ଭାବେ, କେତେବେଳେ ସଞ୍ଜ ହେବ ।

 

ସୂରୁଯର ଶେଷ ହସଟିକ ଫିକା ପଡ଼ି ଆସିଲା…..ଦିବସ ହଜିଗଲା–ନଗରୀର ଦୂର କୋଠା ଗହଳି ସେପଟରେ । ସଞ୍ଜ ଆସିଲା—ଶ୍ରମିକ ଜୀବନରେ ଖୁସି ବାସିଆ ଶାନ୍ତିର ମହକ ନେଇ ।

 

ଚଇତା ମନଟା ବସାରେ ଆଉ ଲାଗିଲା ନାହିଁ । ଦଉଡ଼ିଲା ମାଟିଆ ବୁରୁଜର ସେଇ ଛୋଟିଆ ଗଳି ଭିତରକୁ । ମାଧବୀ ଚଇତାକୁ ଦେଖି ହସି ହସି ଘର ଭିତରକୁ ନେଇଗଲା । କାଲିର ପରିଚୟରେ ଭୟ, ସଙ୍କୋଚ କଟି ଯାଇଥିଲା । ଆଜି ଦିହିଁଙ୍କ ଭିତରେ କେତେଆଡ଼ର ଗପ ପଡ଼ିଲା-। ତା’ପରେ ମାଧବୀ ଚଇତା କୋଳକୁ ଢଳି ପଡ଼ିଲା । ଚଇତା ମାଧବୀକୁ ପାଇ ସ୍ଵର୍ଗ ସୁଖ ଅନୁଭବ କଲାପରି ଭାବିଲା ।

 

ଚଇତା ମାଧବୀର ପରିଚୟ ପାଇଚି । ମାଧବୀ ବେଶ୍ୟା । ତା’ ମା ମଧ୍ୟ ବେଶ୍ୟା ଥିଲା । ତା’ ମା ସହିତ କେଳୁ ମହାନ୍ତିର ଅନେକ ଦିନରୁ ପ୍ରେମର ସମ୍ପର୍କ । କିନ୍ତୁ ଦିନ ଗଡ଼ିଯାଇଚି । ମା’ର ବୟସ ନଇଁ ପଡ଼ିଚି–ଭଙ୍ଗା ଜୀବନର ପାଚେରୀ ସେପଟରେ ଯୌବନର ରୂପ ତା’ର ମଉଳି ଯାଇଚି–ଝରାଫୁଲର କରୁଣ ହସ ପରି । ମା’ର ରୂପ ମରି ଯାଇଚି ସତ, କିନ୍ତୁ ଅସ୍ତିତ୍ଵ ହଜି ନାହିଁ-। ଜୀବନ ଦୀପ ଦୁକୁ ଦୁକୁ ହୋଇ ଜଳୁଚି । ମା’ପରି ମାଧବୀ ଜୀବନରେ ଯେତେବେଳେ ଯଉବନ ମଳୟର ପହଲି ପରଶ ଚହଟି ଗଲା–ସେତେବେଳେ ସେ ନିଜକୁ ବଞ୍ଚାଇ ପାରିଲା ନାହିଁ-। ସେ ନିଜକୁ ଆହୁତି ଦେଲା, ମା’ ପରି ହେଲା ବେଶ୍ୟା । ସେଇଥିରୁ ସେ ମୋଟା ଉପାର୍ଜନ କରି ପେଟ ପୋଷେ । ସେ ପଡ଼ାରେ ଏଣେ ତେଣେ କେତେ ବେଶ୍ୟା ଅଛନ୍ତି—କିନ୍ତୁ ମାଧବୀ ସବୁଠୁ ସୁନ୍ଦରୀ-

 

ମାଧବୀର ପରିଚୟ ପାଇ ଚଇତାର ମନରେ ତିଳେ ହେଲେ ଘୃଣା ଆସିଲା ନାହିଁ । ମାଧବୀର ରୂପର ମହକ ତଳେ ଚଇତାର ମନ ଓ ଅନ୍ତର ବୁଡ଼ି ଯାଇଥିଲା । କନକର ସ୍ମୃତି ଅଲୋଡ଼ା ଦରଦ ପରି କାହିଁ କେତେ ଦୂରରେ…..ବିସ୍ମୃତିର ଅଳିଆ ଭିତରେ ପଡ଼ି ରହିଥିଲା । ଚଇତା ମାଧବୀକି ନେଇ ପାଗଳ ହେଲା । ଭାବିଲା ମାଧବୀ ତା’ ଜୀବନର ସୁଖ ଶାନ୍ତିର ଉତ୍ସ-ଭୋଗ ବିଳାସର ଶ୍ରେଷ୍ଠ ସାମଗ୍ରୀ । ସେ ମାଧବୀକୁ କ୍ଷଣେ ମାତ୍ର ଛାଡ଼ି ପାରିବ ନାହିଁ । ଅବୁଝା ମନଟା ତା’ର ଦଉଡ଼ିଲା ମାୟା ମରୀଚିକା ପଛେ ପଛେ……

 

ନିତି ସଞ୍ଜ ଆସେ । ଅନ୍ଧାର ଚିରି ଆକାଶରେ ଶତତାରା ଦିପାଳୀ ଜଳିଉଠେ । ବଉଦ ପଣତ ତଳେ ତଳେ ଅନ୍ଧାର କ୍ଷୀଣ ଛାଇ ଖାଲି ଲାଗିରହେ । ଥିରି ଥିରି ପବନ ଆସେ । ଚଇତା ଭାବେ, ଆହା କି ଶାନ୍ତି ।

 

ପାଗଳ ପରି ଦଉଡ଼ିଯାଏ ମାଧବୀ କତିକି । ମାଧବୀ ଚଇତାର ଆସିବା ପଥକୁ ଚାହିଁ ରହିଥାଏ । ଚଇତାକୁ ଦେଖିଲେ ମାଧବୀର ରଙ୍ଗଣୀ ଓଠରେ ସରୁ ହସ ଫୁଟେ । କେତେ ଆଦର ବୋଳା କଥା କହି ତାକୁ ନିଜର କରିନିଏ । ଚଇତା ଭାବେ, ମାଧବୀ ପର ନୁହେଁ—ନିଜର । ବିବାହ ପରେ କନକ ସହିତ କେତେଦିନ, କେତେ ରାତି ବିତିଯାଇଚି–କିନ୍ତୁ କାହିଁ ମାଧବୀ ପରି କନକ ତ ମୋର ଅନ୍ତର ମନକୁ ଜିଣି ପାରି ନାହିଁ । ମାଧବୀ ମୋର ସବୁ, ମାଧବୀକି ନେଇ ବିଦେଶୀ ଜୀବନ ବେଶ ସୁଖରେ କାଟିବି ।

 

ନିତି ନିତି ମାଧବୀ ପାଇଁ ଚଇତା କେତେ ପଇସା ଖରଚ କରେ । କେତେ ଉପହାର—କେତେ ସୌଖିନ ଜିନିଷ କିଣିନିଏ । ଆଜି ତେଲ, ସାବୁନ—କାଲି ସ୍ନୋ, ପାଉଡ଼ର । ମାଧବୀ ଖୁସି ହୁଏ ସତ କିନ୍ତୁ ସେତିକିରେ ସନ୍ତୁଷ୍ଟ ହୁଏନା । ନିଇତି ସେ ଚଇତା କୋଳରେ ଶୋଇ ଶୋଇ କେତେ ଜିନିଷ ଅଳି କରେ । ଚଇତା ତା’ର ଚିକ୍‍କଣ ଗୋଲାପି ଗାଲରେ ଥିରି ଥିରି ହାତ ବୁଲାଇ କୁହେ, ଏହି ତମର ସାମାନ୍ୟ ଅଳି ମୁଁ ନିଶ୍ଚୟ ପୂରଣ କରିବି । ତମ ପାଇଁ ମୁଁ ସବୁ ଦେଇପାରେ । ଦରକାର ହେଲେ ନିଜ ଜୀବନକୁ ମଧ୍ୟ ତମ ପାଇଁ ବଳି ଦେଇପାରେ । ମାଧବୀ ହସି ହସି ଚଇତା କୋଳକୁ ଆହୁରି ଜାକି ହେଇଆସେ । ଚଇତାର ଆବେଗ ଉତ୍ତେଜନା ମିଶି ଏକ ହୋଇଯାଏ ।

 

ତା’ପରେ ପ୍ରଣୟ କାହାଣୀରେ କମା ଦେଇ ଚଇତା କୁହେ, ବେଶୀ ରାତି ହେଲାଣି—ଯାଉଚି ମାଧବୀ । ମାଧବୀ ମୁହଁରେ ଅଭିମାନର ଛାଇ । ବିଦାୟ ଦେବାକୁ ସତେ ଯେପରି ସେ ଅନିଚ୍ଛୁକ । ଚଇତା ହସି ହସି ମାଧବୀ ମସୃଣ ଗଣ୍ତରେ ସ୍ନେହର ଚୁମ୍ଵନ ଦେଇଦିଏ—ତା’ପରେ ବିଦାୟ ।

 

ଚଇତା ମାଧବୀକି ପାଇ ଭୁଲିଗଲା ତା’ର ଗାଁ—ତା’ର ସେଇ ଜନ୍ମ ମାଟି—ଯେଉଁ ପାଣି ପବନରେ ସେ ମଣିଷ ହେଇଚି । ଭୁଲିଗଲା ତା’ର ବାପ, ଭଉଣୀ ସାଙ୍ଗସାଥୀ ଆଉ ଅତି ଆପଣାର ଭାରିଯା କନକକୁ । ମାସ ମାସ ଧରି ଖଟଣି ପରେ ଯୋଉ ପଇସାତକ ପାଇଲା ସବୁ ମାଧବୀ ଲାଗି ଖର୍ଚ୍ଚ କରିଦେଲା । ଦରମା ପାଇ ତଥାପି ଚଇତାକୁ ମାସ ଶେଷକୁ ନଅଣ୍ଟ ପଡ଼େ । ଆଠୁ ତା’ଠୁ ଧାର କରି ମାଧବୀର ମନ ନିଏ । କେଳୁ ମହାନ୍ତି ଦିନେ ଦିନେ କୁହେ, କିରେ ଚଇତା, କୋଉ ଘାଟରେ ବୁଡ଼ି ପାଣି ପିଉଚୁ—କିରେ ? ଚଇତା ତା’ କଥା ନ ଶୁଣିଲା ପରି ଚାଲିଯାଏ । କେଳୁ ମହାନ୍ତିର ରାଗଟା ଭିତରେ ଭିତରେ ଜଳି ଉଠେ । ଭାବେ, କେଇଦିନ ଏ ମୋ ଦରବକୁ ମାଡ଼ିବସି ରଖିବ—ଦେଖିବି ।

 

ଘରୁ ମାସକୁ ମାସ ସାତ ଆଠ ଖଣ୍ତ ଚିଠିଆସେ—କେତେ ଅଭାବ ଅଭିଯୋଗର ରୂପ ଧରି । ଚଇତା ଚିଠି ପଢ଼େନା—ବିରକ୍ତିରେ ଚିରି ଫୋପାଡ଼ି ଦିଏ । ମନକୁ ମନ କହେ, ଜୀବନରେ ସୁଖ ସୁଆଦ କ’ଣ ନାହିଁ । ଖାଲି ଟଙ୍କା କମେଇବ—ଘରସଂସାର ପାଇଁ—ବାପା ମା, ଭାଇ ଭାରିଯାର ସୁଖ ପାଇଁ । ନିଜେ ଖଟିବ ହାଡ଼ ମାଉଁସକୁ ସଳିତା କରି-ଅଥଚ ନିଜେ ଟିକେ ଶାନ୍ତିରେ ନିଶ୍ଵାସ ମାରିବ ନାହିଁ । ଚଇତା ଏଣିକି ଘରକୁ ଚିଠି ପତ୍ର ଖଣ୍ତେ ବି ଦିଏ ନାହିଁ । ଭାବେ, ନିଜେ ସୁଖରେ ଅଛି ତ ଭଲ । ଆଉ ଯେତେ ମଲେ ଗଲେ କିଏ କାହାର—ଖାଲି ମାୟା, ବାହାନା ।

 

ଚଇତା ମାଧବୀ କତିକି ବରାବର ଯାଏ ବୋଲି କେଳୁ ମହାନ୍ତି ଚାରିଆଡ଼େ ହଲ୍ଲା କରିଦେଇଚି । ଆସ୍ତେ ଆସ୍ତେ କଥାଟା କୁଲି ବସ୍ତି ଭିତରେ ଖେଳି ସବୁ କାନକୁ ଆସିଲାଣି । ସମସ୍ତେ କହନ୍ତି, ଚଇତାଟା ଭାଡ଼ୁଆ—ରାଣ୍ତ ରଖିଚି । କିଏ କିଏ, ଚଇତାକୁ ଦେଖିଲେ ନାକ ଟେକନ୍ତି । କିଏ କିଏ ଆଦର କରି କେତେ ମିଠା କଥା ପଚାରନ୍ତି, ଚଇତା ଭାଇ ମାଧବୀ କିମିତି ଅଛି ମ ? ଶୁଣୁଚୁ ସେ କୁଆଡ଼େ ଦେଖିବାକୁ ଭାରି ସୁନ୍ଦର—ସରଗର ଅପସରା ପରି । ମାଧବୀର ରୂପର ଗାନ ଶୁଣି ଚଇତାର ହୃଦୟ ଗର୍ବରେ ଫୁଲି ଉଠେ । କୋଉ କୋଉ ବୟସରେ ମୁରବି ପରି ଲୋକ ଚଇତାକୁ ଦେଖିଲେ ଥଟ୍ଟା କରି କହନ୍ତି, ଆରେ ତୁ ପୁଣି ଗୋଟାଏ ଲୋକ—ରାଣ୍ତ ରଖିଚୁ । ଚଇତା ମନଟା ରାଗରେ କୁହୁଳି ଉଠେ । ନ ଜଳୁଣୁ ପୁଣି ଲିଭିଯାଏ । କାହାରିକୁ କିଛି କହିପାରେ ନାଁ ।

 

ମାଧବୀକି ନେଇ ଚଇତାର ମଧୁର ସ୍ଵପ୍ନ ବିଭୋର ଦିନଗୁଡ଼ା ଗଡ଼ି ଚାଲେ ।

Image

 

–୧୨–

 

ଛ’ ମାସ କଟିଗଲା । ଅନେଇ ଅନେଇ ନିଧି ପଧାନ ଆଖିରୁ ପାଣି ମଲା । ଚଇତା ପାଖରୁ ଖଣ୍ତେ ଚିଠି କି ଟଙ୍କା କିଛି ପାଇଲା ନାହିଁ । ଘର କାମ ଅଧା ହୋଇ ପଡ଼ି ରହିଚି, ଆଉ ଟଙ୍କା ନାହିଁ—ନିଧି ପଧାନ ଆଁ କରି ଅନେଇଚି ପୁଅ ହାତକୁ । ପୁଅ ତା’ର ଟଙ୍କା ପଠେଇବ—ସେ ଘର କରିବ—ଜୀବନର ଶେଷ ସୀମାରେ ସେ ଟିକେ ସାର୍ଥକତାର ହସ ହସି ମରିବ ।

 

କିନ୍ତୁ ସବୁ ସ୍ଵପ୍ନ ତା’ର ଭାଜିଗଲା—ଯେଉଁଦିନ ଭୋଳି ସାମୁଲର ଚିଠି ଖଣ୍ତିକ ସେ ପାଇଲା । ଭୋଳି ସାମୁଲ ଲେଖିଚି, ନିଧିଭାଇ ତମ ଚିଠି ପାଇ ଚଇତା କତିକି ଯାଇଥିଲି । ଘର କଥା ସବୁ କହିଲି । ତମେ କିମିତି ଦୁଃଖରେ ଅଛ—ଘର କାମ ଅଧା ହୋଇ ପଡ଼ିଚି—ଚିନ୍ତେଇ ସାହୁ ମହାଜନର ଦେଣା ବଢ଼ୁଚି । ସବୁ କହିଲି, ସେ ଶୁଣଲା ନାହିଁ । ମୁହଁ ବୁଲେଇ ଚାଲିଗଲା । କହିଲା, ମୋ କତିରେ ଟଙ୍କା ପଇସା ନାହିଁ । ଘର କରିବାକୁ କ’ଣ ମୁଁ କହିଥିଲି, ମହାଜନ ଦେଣା ଆଣିବାକୁ କ’ଣ ମୁଁ ଯାଇଥିଲି । ବାପା ସବୁ କରିଚନ୍ତି—ସେ ବୁଝିବେ । ମୁଁ ଅଧଲାଟାଏ ଦେଇ ପାରିବି ନାହିଁ ।

 

ସେ ବସ୍ତିରେ ଅନେକ ଲୋକଙ୍କ କତିରୁ ଶୁଣିଲି ଚଇତା ମାଇକିନା ରଖିଚି—ସବୁ ପଇସା ତାରି ପଛରେ ଖର୍ଚ୍ଚ କରୁଚି । ସେ ଆଗ ଚଇତା ହେଇନାହିଁ । ତା’ର ଆଗ କଥା—ଆଗ ରୂପ ସବୁ ବଦଳିଯାଇଚି, ମୋତେ ପ୍ରଥମେ ଦେଖି ନ ଚିହ୍ନିଲା ପରି ହେଲା । ଏଇଥିରୁ ସବୁ ବୁଝିବ ।

 

ଭୋଳି ସାମୁଲ, ଚିଠି ଖଣ୍ତିକ ପାଇ ନିଧି ପଧାନକୁ ଚାରିଆଡ଼ ଅନ୍ଧାର ଦିଶିଲା । ସେ ମୁଣ୍ତରେ ହାତ ଦେଇ ଖାଲି ଭାବିଲା, ଏ ପୁଣି ମୋର କ’ଣ ହେଲା । ମହାଜନ ଦେଣା କିମିତି ଶୁଝିବି । ଘରଖଣ୍ତିକ କିମିତି ହେବ । ବୋହୂଟି ଅନ୍ତଃସତ୍ତ୍ୱା ଆଉ କେଇଟା ଦିନ ଗଲେ ତା’ର ପୁଣି ପିଲା ପିଲି ହେବ । ତା’ ପାଇଁ ପୁଣି ଖରଚ । ବାର ଲୋକଙ୍କର ହାତ ଉଧାର ସେ ସବୁ ପୁଣି କିମିତି ଶୁଝା ହେବ । ସବୁ ଭାଗ୍ୟ । କପାଳ ଯେତେବେଳେ ପଡ଼େ ସେତେବେଳେ ରାଜା ବି ଘୋଡ଼ା ପାଇଁ ଘାସ କାଟେ । ନଇଲେ ଚଇତା ପରି ପୁଅ ମୋର ଇମିତି ହୁଅନ୍ତା । ଭାବି ଭାବି ନିଧି ପଧାନ କାନ୍ଦି ପକାଇଲା ।

ମନକୁମନ କହିହେଲା, ଚଇତା ତୋ ମନରେ ଏଇଆ ଥିଲା । ବୋହୂ ଆଣି ନ ଥିଲି ଯେ—ସମସ୍ତେ କହୁଥିଲେ ନିଧି ପଧାନ ଆଣିଚି ଘରର ଲକ୍ଷ୍ମୀ । ଲକ୍ଷ୍ମୀ ପରି ବୋହୂକୁ ତୁ ଆଜି ପର କରି ଦେଇ ପାରିଲୁ । ତୋରି ପାଇଁ ଯାହାର ଭାଳି ଭାଳି ଦିନ ସରୁନି–ତୋରି ମୁହଁକୁ ଚାହିଁ ଯିଏ ସବୁ ଦୁଃଖ କଷ୍ଟ ଭୁଲି ଯିବାକୁ ବସିଚି–ତାକୁ ଆଜି ତୁ ଛାଡ଼ି ବେଶ୍ୟା ରଖିଲୁ । ମୋ ବୁନିଆଦିର ଇଜ୍ଜତରେ କାଳି ବୋଳିଲୁ । ନିଧି ପଧାନର ସପ୍ତପୁରୁଷ ଉଦ୍ଧାର କଲୁ ।

ସେଇଦିନଠୁ ନିଧି ପଧାନ ସବୁବେଳେ ଖାଲି ବସି ବସି ଭାବେ । କନକ ବେଳେବେଳେ ଆସି କୁହେ “ବାପା, ତମର କ’ଣ ହେଇଚି ଏତେ ଭାବୁଛ କ’ଣ ?” ନିଧି ପଧାନ ଶୁଖିଲା ମୁହଁରେ ହସ ଫୁଟାଇ କହେ, “ନାଁ ମା ହେବ କ’ଣ ?” କନକ କୁହେ, “ବାପା ତମେ ମୋତେ ଲୁଚାଉଚ—ସତ କୁହ ତମର କ’ଣ ହେଇଚି ।” ନିଧି ପଧାନ ବ୍ୟାଥାରେ ନଇଁ ପଡ଼ିଲା ସ୍ଵରରେ କହେ, “ମା ଚଇତା ଆମକୁ ଭୁଲିଗଲା… ବୁଢ଼ା ଦିନେ ତାରି କଥା ଭାବି ଭାବି ଦିନ ମୋର ତଥାପି ସରୁନି । ମରିଗଲେ ଛୁଟି ମା ! ତୋ ଶୁଖିଲା ମୁହଁକୁ ମୁଁ ଆଉ ଦେଖି ପାରିବି ନାହିଁ । ” କନକ ଆଖିରୁ ଝରି ପଡ଼େ ଲୁହ । କୁହେ, “ବାପା, ସିମିତିକା କଥା କହିବ ନାହିଁ । ”

 

ସେଦିନ ସଞ୍ଜ ହେଇନାହିଁ । ଚିନ୍ତେଇ ସାହୁ ମହାଜନ ଆସି ଡାକିଲା, ପଧାନ ପୁଅ ଘରେ ଅଛ ? ନିଧି ପଧାନ ଘରୁ ବାହାରି ଆସି ଦେଖେ, ମହାଜନ ବୁଢ଼ା । ପଧାନ ଦଉଡ଼ି ଯାଇ ଘର ଭିତରୁ ମସିଣାଟା ଆଣି ପିଣ୍ତାରେ ପକେଇ କହିଲା, “ମହାଜନେ, ବସ । ” ଚିନ୍ତେଇ ସାହୁ କହିଲା, “ନାଁ ପଧାନ ମୁଁ ବସିବାକୁ ଆସି ନାହିଁ କି ମିଠା କଥା ଶୁଣିବାକୁ ଆସି ନାହିଁ, ମୋ ଟଙ୍କା କେବେ ଦେବ କହିଲ । ଏ ମାସରେ ଦେବି—ଆରମାସରେ ଦେବି କହି ତ ଖୁବ୍ ଧପେଇଲଣି । ମୋର ଟଙ୍କାର ଜରୁରୀ ଦରକାର । ଦରକାର ବେଳେ ତମେ ଇମିତି ଧପେଇବ—ମୁଁ ଏହା ଭାବି ନଥିଲି । ଏଇମାସ ପନ୍ଦର ତାରିଖ ଭିତରେ ଯଦି ଟଙ୍କା ମୋ ଗୋଡ଼ ପାଖରେ ଦେଇ ନ ଆସ, ତେବେ ମୋର ଯା କରିବାର କଥା କରିବି । ଏହି ମୋର ଶେଷ କଥା ପଧାନେ, ଶୁଣିଥା ।”

 

କଡ଼ା କଡ଼ା ଦି’ପଦ କହି ଚିନ୍ତେଇ ସାହୁ ରାସ୍ତା ଧରିଲା । ନିଧି ପଧାନ ତାରି ଗତିପଥକୁ ଚାହିଁ ଭାବିଲା । ପନ୍ଦର ତାରିଖ ଭିତରେ ଏତେ ଟଙ୍କା କୋଉଠୁ ଆସିବ । ମୁଣ୍ତଟା ତା’ର ବୁଲାଇ ଦେଲା—ଚାରିଆଡ଼ ଦିଶିଲା ଅନ୍ଧାର । ସେଇ ଅନ୍ଧାର ଭିତରେ ସେ ଦେଖିବାକୁ ପାଇଲା ତା’ର ସର୍ବସ୍ଵ ଯାଇଛି–ସେ ପଥର କାଙ୍ଗାଳ । ଚଇତା ତା’ର ଜୀବନ୍ତ ସମାଧି ଦେଖିବାକୁ ସୁଦୂର ବିଦେଶରୁ ଧାଇଁ ଧାଇଁ ଆସୁଚି । ଆଉ ଅନେଇ ପାରିଲା ନାହିଁ ।

 

ଗାଁରେ ରାଷ୍ଟ୍ର ହେଇଗଲାଣି ଚଇତା ରାଣ୍ତ ରଖିଚି—ଖୁସିରେ ଅଛି । ଏଠି ସମସ୍ତେ ମଲେ ଗଲେ ତା’ର କିଛି ଯାଏ ଆସେ ନାହିଁ । ଯିଏ ଶୁଣୁଚି—ସିଏ ଛି ଛାକର କରୁଛି । ଇମିତି ପୁଅ ବଞ୍ଚିଲେ କେତେ ମଲେ କେତେ ?

 

ଯୋଉଦିନ ଗାଧୁଆ ତୁଠରେ କନକକୁ ନୟନୀ କହିଲା, ନୂଆବୋଉ ଶୁଣିଲଣି ଚଇତା ଭାଇ ତମକୁ ଛାଡ଼ି ଆଉ ଗୋଟାଏ ମାଇପ କଲାଣି, କନକ ନୟନୀର କଥାର ମରମ କିଛି ବୁଝି ପାରିଲା ନାହିଁ । ଖାଲି ବଲ ବଲ କରି ଅନାଇ ରହିଲା । ନୟନୀ ଗୋଟି ଗୋଟି ହେଇ ସବୁ କଥା କନକ ଆଗରେ ବଖାଣିଲା । ସେଇ ଗାଧୁଆ ତୁଠରେ କନକ କାନ୍ଦି ଉଠିଲା । କହିଲା, ନୟନୀ ଆଉ ଏ ଅଭାଗୀ ଜୀବନ ଧରି କି ଲାଭ ଲୋ—ମରିଗଲେ ଯାଏ । ନୟନୀ ଆଖିରୁ ଲୁହ ଝରି ପଡ଼ିଲା । କହିଲା ଛି ନୂଆବୋଉ, ଇମିତିକା ଅମଙ୍ଗଳ କଥା କହିବ ନାହିଁ । ଗର୍ଭରେ ତମର ସନ୍ତାନ–ତାରି ମୁହଁକୁ ଚାହିଁ ଦିନ କାଟ । ଦିନ ଆସିବ ପୁଣି ଚଇତା ଭାଇ ତମରି କତିକି ଫେରି ଆସିବେ-। କନକ କହିଲା, ସେ ଭାଗ୍ୟ ମୋର ନାହିଁଲୋ ନୟନୀ । ଦେଖିବୁ ସେ ଆସିଲା ବେଳକୁ ମୁଁ ଏ ପୁରରେ ନ ଥିବି । ପୋଡ଼ି ଗଲା ତିଅଣରେ ଆଉ ସୁଆଦ ନଥାଏ ଲୋ—ଥାଏ ଗରଳ-। ନୟନୀ କହିଲା, ନୂଆବୋଉ ସବୁ ଭାଗ୍ୟ । ଭାଗ୍ୟ ତେଜ ଥିଲେ ପାଷାଣ ଦେହରେ ବି ଫୁଲ ଫୁଟେ-। ଏଇ ମାଟିକୁ ଛୁଇଁଲେ ସୁନା ପାଲଟେ । ଠାକୁରେ ବଡ଼ଲୋକ—ତାଙ୍କୁଇ ଡାକ । ସେ ତୋ ଡାକ ଶୁଣିବେ ସେଇ ଡାହାଣୀ କବଳରୁ ଚଇତା ଭାଇ ମୋର ଫେରି ଆସିବେ । କନକ ହସିଲା–ମଳିନ ବେଦନାତୁର ହସ । ସେ ହସରେ ଯେପରି ଜୀବନ ନଥିଲା । ଦିହେଁ ଗାଧେଇସାରି ଘର ମୁହାଁ ଧରିଲେ ।

 

ତିନିଦିନ ପରେ ଦିନେ ରାତି ପାହାନ୍ତା ପହରକୁ କନକ କୋଳରେ କୁଆଁ କୁଆଁ ହୋଇ କାନ୍ଦି ଉଠିଲା କୁଲୁକୁଲୁଆ ଟିକି ପୁଅଟିଏ । ଗୋରା ତକତକ ଦେହ, ପୂରିଲା ପୂରିଲା ଗୋଲ ମୁହଁଟି ତା’ର କେଡ଼େ ସୁନ୍ଦର ଦିଶୁଥାଏ କଣ୍ଢେଇଟି ପରି ।

 

ଦୁର୍ଦ୍ଦିନ ଝଡ଼ ବତାସରେ ଭ୍ରାନ୍ତ ପଥିକ ବିଜୁଳିର କ୍ଷୀଣ ଆଲୋକ ଦେଖିଲେ ଯେମିତି ପଥ ପାଏ—ସେମିତି ନିଧି ପଧାନ ଏତେ ଦୁଃଖରେ ବି ନାତି ମୁହଁ ଦେଖି ଅକୂଳରେ କୂଳ ପାଇଲା-। ଆନନ୍ଦର ଆତିଶଯ୍ୟରେ ସେ ସାର୍ଥକତାର ହସ ଟିକେ ହସି ଦେଲା । ସକାଳ ହେଲା କଅଁଳ ଆଲୁଅ ଶିଶିର ଧୂଆ ଦୁବ ଘାସ ଉପରେ ପଡ଼ି ଚିକ୍ ଚିକ୍ କଲାବେଳେ ଯେମିତି ସୁନ୍ଦର ଦିଶେ–ସେମିତି ଦିଶିଲା ଟିକି ପୁଅଟିର ମୁହଁ । କନକ ପୁଅଟିକୁ ଦେଖି ହସିବ କ’ଣ ଆଖିରୁ ତା’ର ଝରିପଡ଼ିଲା ଲୁହ । ଦୁର୍ବଳ ଦେହଟା ତା’ର ଥରି ଉଠିଲା । ଭାବିଲା ଆଜି ପରା ଦିନରେ ତା’ର ବାପ ଥାଇ ସେ ଅନାଥ ।

 

ନିଧି ପଧାନ ନାତିକି ପାଇ ଭାରି ଖୁସି । ଭାବିଲା, ଚଇତା କତିକି ସେ ଚିଠି ଖଣ୍ତେ ଦେବ । ଏତେ ବଡ଼ ଖୁସି ଖବର, ପୁଅ ତା’ର ହେଇଚି ସେ ନ ଲେଖି କେମିତି ରହିବ । କିନ୍ତୁ ଦୁଆତ କଲମ ଆଣି ଲେଖିଲା ବେଳକୁ ହାତ ତା’ର ଚଳିଲା ନାହିଁ । ନିଧି ପଧାନ ଆଖିରୁ ଝରିପଡ଼ିଲା ଲୁହ । କେତେ କଷ୍ଟରେ ସେ ଲେଖିଲା ବାପା ଚଇତା, ମୋର ସୁକଲ୍ୟାଣ ନେବୁ । କାଲି ରାତିରେ ତୋର ପୁଅଟିଏ ହେଇଚି—ତା’ର ଏକୋଇଶା ଆଗରେ । ତୁ ଥରଟିଏ ହେଲେ ଆସିବୁ—ଟିକି ପୁଅଟିକି ତୋର ଟିକେ ଦେଖିଯିବୁ । ବୁଢ଼ା ଦିନେ ମୋ ଆଖିରୁ ଲୁହ ଝରାଇ ତୋତେ କ’ଣ ସୁଖ ଲାଗୁଚି ।

 

ବାପଟା ପରା—ବୁଢ଼ା ବାପର ଏଇ ଶେଷ ଅନୁରୋଧ ରଖିବୁ । ତୋତେ ଦେଖିଲେ ମୁଁ ସବୁ ଦୁଃଖ କଷ୍ଟ ଭୁଲିଯିବି । ଲୋଡ଼ା ନାହିଁ ମୋର ଧନ ଦଉଲତ—ଚାହେଁ ନାହିଁ ମୁଁ ସ୍ଵର୍ଗ ସୁଖ । ଏଇ ଗାଁ ମାଟି ମୋର ସବୁଠୁ ବଡ଼ । ଆମର କେତେ ପୁରୁଷର ମାଟି ଇଏ । ସମସ୍ତେ ଆସିଚନ୍ତି—ପୁଣି ଯାଇଚନ୍ତି ମଣିଷ ହେଇ—ପ୍ରଧାନ ବଂଶର ନାଁ ରଖି । ବିଦେଶ କେହି ଜାଣି ନ ଥିଲେ କି ଦେଖି ନ ଥିଲେ । ଏଇ ଗାଁରେ ସେମାନେ ଘରସଂସାର କରି—ଟଙ୍କା କମେଇ—ପିଲାପିଲିଙ୍କି ମଣିଷ କରିସାରି ବାହୁଡ଼ି ଯାଇଥିଲେ ସେପୁରକୁ । ଧନଟା ପରା ଫେରିଆ । ତୋରି ଆସିବା ପଥକୁ ଚାହିଁ ରହିଲି । ଚିଠିଟି ଡାକରେ ପକାଇ ନିଧି ପଧାନ ଟିକେ ଶାନ୍ତିର ନିଶ୍ଵାସ ମାରିଲା ।

 

ଅନେଇ ଅନେଇ ନିଧି ପଧାନର ଆଖିରୁ ଲୁହ ଶୁଖିଗଲା–ହୃଦୟଟା ତା’ର ପାଷାଣ ପରି ଶକ୍ତ ହୋଇଗଲା । ନ ଆସୁ ଚଇତା, କୁଳାଙ୍ଗାର ଇମିତି ପୁଅ ମରିଯିବା ଭଲ ।

 

ଆଗରେ ନାତିର ଏକୋଇଶା, ପାଖରେ ଏକ ପଇସା ନାହିଁ । ପଧାନ ବଂଶ କୁଳର ପ୍ରଦୀପ–ତା’ ପାଇଁ କିଛି ହେବ ନାହିଁ । ନାଁ ନାଁ, ନିଧି ପଧାନ ବଞ୍ଚି ଥାଉ ଥାଉ ୟା ହେବ ନାହିଁ । କୁଆଡ଼ର ଭାବନା ପଶିଲା ମୁଣ୍ତରେ । ଭାବିଲା, ଜମି ମାଣେ ବିକି ଦେବ । ସେଇ ଟଙ୍କାରେ ସେ ଚିନ୍ତେଇ ସାହୁ ମହାଜନର ଦେଣା ଶୁଝିବ—ଘରକାମ ମୁଣ୍ତି ମାରିବ ଆଉ ନାତିର ଏକୋଇଶା ଉତ୍ସବ କରିବ । ତାକୁ ମଣିଷ କରିବ । ତା’ପରେ ନିଧି ପଧାନର ଛୁଟି ।

 

କେତେ କଷ୍ଟରେ ପଡ଼ି ନିଧି ପଧାନ ପିତୃ ଅର୍ଜିତ ସୁନାଥାଳ ଜମି ମାଣକ ଯୋଉଦିନ ସାତ ଶହ ଟଙ୍କାରେ ବିକି ଘରକୁ ଫେରି ଆସିଲା—ଆଖିରୁ ତା’ର ଧାର ଧାର ହୋଇ ଲୁହ ଛୁଟିଲା-। ଭାବିଲା, ଏ ପୁଣି ତା’ର କ’ଣ ହେଲା । ଜୀବନ ଭରି ଖଟି ଖଟି ଜମି ବକଟେ ବୋଲି କରିପାରିଲି ତ ନାହିଁ–ଓଲଟି ପିତୃପୁରୁଷ ଜମିତକ ପରକୁ ବିକିଲ । ସବୁ ଭାଗ୍ୟ । ଲକ୍ଷ୍ମୀ ଛାଡ଼ିଲେ ସବୁ ଅମଙ୍ଗଳ କଥା ଆପେ ଆପେ ଆସେ । ମନକୁ ପ୍ରବୋଧ ଦେଇ ପଧାନ ଆଖିରୁ ଲୁହ ପୋଛିଲା ।

 

ନିଧି ପଧାନ ଚିନ୍ତେଇ ସାହୁର ସବୁ ଦେଣାତକ ପରିଶୋଧ କରିଦେଲା । ନାତିର ଏକୋଇଶାରେ ଗାଁର ସବୁ ଲୋକଙ୍କୁ ଭଲ କରି ଗଣ୍ତେ ଖାଇବାକୁ ଦେଲା । ସମସ୍ତେ କହିଲେ, ପଧାନ ଘର—ନଇଁଲେ ଇମିତି ଖାଇବା କିଏ ଦେବରେ । ନିଧି ପଧାନ ଅତି ଆଦରରେ ନାତିର ନାଁ ଦେଲା—ମଧୁଆ ।

 

ଘର କାମ ଯା ବାକି ପଡ଼ିଥିଲା—ନିଧି ପଧାନ ମାସକ ଭିତରେ ସବୁ ଶେଷ କରିଦେଲା-। ଦିନେ ବସି ବସି ଭାବିଲା, କାହିଁକି । ଏ ଘର କଲି—ସେଇ ପୁରୁଣା ଘରେ କ’ଣ ଦିନ ସରି ନ ଥାନ୍ତା । ଘର ତ ହେଲା–କିନ୍ତୁ ଘରକୁ ମଣିଷ ନାହିଁ । ବୁଢ଼ା ତ ହେଲି ଆଉ କେଇଟା ଦିନ ବଞ୍ଚିବି-। ଏତିକିବେଳେ କନକ ପୁଅକୁ ଆଣି ବୁଢ଼ା କୋଳରେ ଛାଡ଼ି ଦିଏ । ନିଧି ପଧାନ ନାତିର ହସ ହସ ମୁହଁ ଦେଖିଲେ ସବୁ ଭୁଲିଯାଏ । ତାରି ସାଙ୍ଗରେ କେତେ ଖେଳ ଖେଳେ ।

 

କନକ ଟିକିଏ ଅବସର ପାଇଲେ ଭାବେ ତା’ ସ୍ଵାମୀଙ୍କ କଥା । ଏଡ଼େ ନିଷ୍ଠୁର ସେ ନିଜର ପୁଅଟିକୁ ଟିକେ ଦେଖିବାକୁ ଆସିଲେ ନାହିଁ । ଘଡ଼ିଏ ନ ଦେଖିଲେ ଯିଏ ପାଗଳ ହେଇ ଯାଉଥିଲେ—ସେ ପୁଣି ଆଜିକୁ ବରଷେ ହେଲା ଭୁଲରେ ଥରେ ବି ମନେ ପକାଉ ନାହାନ୍ତି । ଭାବି ଭାବି କନକ ଆଖିରୁ ଝରେ । ବଳେ ବଳେ ଆଖିରୁ ଲୁହ ପୋଛି ପୁଣି ଘର କାମରେ ଲାଗେ । ରାତିରେ ଦିନେ ଦିନେ ସପନ ଦେଖେ ସ୍ଵାମୀ ତା’ର ଫେରି ଆସିଚନ୍ତି ଆଉ ହସି ହସି କହୁଛନ୍ତି, କନକ, ଏ ନୂଆ ଦରବଟି କେଉଁଠୁ ପାଇଲ । ସେ ଲାଜ ଲାଜ ହେଇ ପୁଅଟିକି ତାଙ୍କ କୋଳକୁ ବଢ଼ାଇ ଦେଉଚି ।

 

ଛଟ କରି କନକର ନିଦ ଭାଙ୍ଗିଯାଏ । ଦେଖେ କେହି ନାହିଁ । ସବୁ ମିଛ—ସପନ କଥା କି କେବେ ସତ ହୁଏ । ଆଉ ନିଦ ହୁଏନା । ଅତୀତ ସ୍ମୃତିରେ ମନଟା ଘାରି ହୁଏ । ବିବାହ ପରଦିନଠାରୁ ଯେତେ କଥା, ଯେତେ ଯେତେ ଛୋଟ ଛୋଟ କରୁଣ ମଧୁର ଘଟଣା ସବୁ ମନେପଡ଼େ । ଛଟପଟ ହେଇ କନକର ସେ ଦିନରାତି ପାହେ—ଆଖିରେ ପିଛୁଡ଼ା ପଡ଼େନାଁ ।

Image

 

–୧୩–

 

କଳଘରୁ ଫେରିଲା ବେଳକୁ ଚଇତାକୁ ଦିନେ କୁଆଡ଼ର ଜର ଆସିଲା । ରାତି ସାରା ଖାଲି ବାନ୍ତି କଲା । ଜର ବଢ଼ି ଚାଲିଲା । ସେଇ ବସାରେ ପଡ଼ି ସେ ପାଗଳପରି ହେଲା । ରାତି ପାହିଲାବେଳକୁ ଜର ମନକୁ ମନ କମି ଆସିଲା । ସେ ବିଛଣାରୁ ଉଠିଲା । ଭାରି ଦୁର୍ବଳ ବୋଧ କଲା । ଭାବିଲା, ଆଜି ଆଉ କାମକୁ ଯିବି ନାହିଁ ।

 

ସେଇଦିନଠୁ ଚଇତାକୁ ଦିନେ ଛଡ଼ା ଦିନେ ରୋଜ ସଞ୍ଜବେଳକୁ ଜର ଆସିଲା । କେତେ ଓଷଦ ଖାଇଲା, କିଛି ଫଳ ହେଲା ନାହିଁ । ବାଇଶିଦିନ ବିତିଗଲା । ଦେହ ତା’ର ରୋଗରେ ଭାଙ୍ଗିପଡ଼ିଲା । ପାଖରେ ପଇସାଟିଏ ନାହିଁ—କି ସେବା କରିବାକୁ ବସାରେ କେହି ନାହାନ୍ତି । କେଳୁ ମହାନ୍ତି ବେଳେ ବେଳେ ଉପର ମନରେ ଟିକିଏ ପଚାରେ ନଇଲେ ନାହିଁ ।

 

ଚଇତା ଭାବିଲା, ମାଧବୀ କତିକି ସେ ଚାଲିଯିବ-ସେଇଠି ରହିବ । ମାଧବୀ ଲାଗି ସବୁ ପଇସା ସେ ଉଡ଼ାଇ ଦେଇଚି—ଏ ବିପଦ ବେଳେ ସେ କ’ଣ ମୋତେ ପର ବୋଲି ଭାବିବ । ନାଁ କଦାପି ନୁହେଁ ।

 

ଭାବି ଭାବି ଚଇତା ନିଜର ଦୁର୍ବଳ ଶରୀର ନେଇ ମାଧବୀ ଘରେ ଦିନେ ଦି’ ପହରେ ଆସି ହାଜର ହେଲା । ଦେଖିଲା ମାଧବୀ ଗୋଟିଏ ଯୁବକ ସାଙ୍ଗରେ ବସି ପ୍ରେମାଳାପ କରୁଚି । ଚଇତାକୁ ଦେଖି ମାଧବୀ ଚମକି ପଡ଼ିଲା । ଉଠି ଆସି ପଚାରିଲା, କୁଆଡ଼େ ଥିଲ ଏତେଦିନଯାଏଁ–ଇମିତି କାହିଁକି ହେଇ ଯାଇଚ ? ଚଇତା କହିଲା, ମାଧବୀ ଆଜିକି ବାଇଶି ଦିନ ହେଲା ମୋତେ ଜର । ଯେତେ ଓଷଦ ଖାଇଲିଣି ଭଲ ହେଉନାହିଁ । ଆଉ ମୋ କତିରେ ପଇସାଟିଏ ନାହିଁ-। ମୋର ସେବା କରିବାକୁ ବସାରେ ବି କେହି ନାହାନ୍ତି । ତୋରି କତିକି ଆଜି ଚାଲି ଆସିଲି, ତୁ ମୋତେ ଏ ବିପଦରେ ସାହା । ନ ହେଲେ ଆଉ ବା ମୋର ଆପଣାର ହେଇ କିଏ ଅଛି । ମାଧବୀ ହସିଲା-। ସେ ହସରେ ନଥିଲା ତା’ର ଆନ୍ତରିକତା—ଥିଲା ବିଦ୍ରୁପ ଭରା । କହିଲା, ଏଠ ତମ ସେବା କିଏ କରିବ—ବେଳ କାହିଁ ? ଚଇତା କହିଲା, ମାଧବୀ ତମ ପାଇଁ ମୁଁ ମୋର ଯା କିଛି ସବୁ ହସି ହସି ଅମ୍ଳାନ ବଦନରେ ଅଜାଡ଼ି ଦେଇଚି—ତମେ ମୋର ପର ନୁହଁ—ସବୁଦିନେ ଭାବି ଆସିଚି ନିଜର-। ଏ ବିପଦବେଳେ ମୁଁ କୁଆଡ଼େ ଯିବି ।

 

ମାଧବୀ ରୁକ୍ଷ ସ୍ଵରରେ କହିଲା ତମେ ମୋ ପାଇଁ ଯା କରିଚ—ବଦଳରେ କ’ଣ କିଛି ପାଇନାହଁ । ପୁଣି କାହିଁକି ଅଯଥା ମୂଲ୍ୟହୀନ ଦାବି ନେଇ ଦଉଡ଼ି ଆସିଛ । ଆମେ କାହାରି ନୋହୁଁ–କିନ୍ତୁ ପଇସା ଲାଳସାରେ ପର ଆଖିକି ଦେଖାଉଁ ଆମେ ସମସ୍ତଙ୍କର । ତମେ ବଡ଼ ନିର୍ବୋଧ–ଫେରିଯାଅ ।

 

ଚଇତା କରୁଣ ସ୍ଵରରେ କହିଲା, ମାଧବୀ, ତମେ ବଡ଼ ଦାରୁଣ—ହୃଦୟହୀନ । ମୁଣ୍ତଟା ତା’ର ବୁଲାଇ ଦେଲା–ଦୁର୍ବଳ ଶରୀର ଥରି ଉଠିଲା । ସେ ସେଇଠି ବସି ପଡ଼ି ବାନ୍ତି କରି ପକାଇଲା-। ମାଧବୀ ବିରକ୍ତିରେ କହିଲା, ତମେ ଏଠୁ ଶୀଘ୍ର ଯାଅ । ମରିବାକୁ କ’ଣ କେଉଁଠି ଜାଗା ମିଳିଲା ନାହିଁ । ଆସିଲ ମୋରି ଦୁଆରକୁ । ଚଇତା ସେଇଠି ବସି ରହିଲା । ମାଧବୀ ତା’ ହାତ ଧରି ଟାଣି ଟାଣି ପଦାରେ ଛାଡ଼ି ଦେଇ କହିଲା, ନିଜ ଘର ପରି ଏଇଠିକି ଦଉଡ଼ି ଆସିଚ । କାହିଁକି ତମର କ’ଣ ଘରଦୁଆର ପିଲା ମାଇପ ନାହିଁ । ଯାଉନା ସେଇଠିକି—ମାଇପ ତମର ଦିନ ରାତି ବସି ସେବା କରିବ । ଏଠିକି କାହିଁକି ଦଉଡ଼ି ଆସୁଚ । ଭର୍ତ୍ସନା କରି ମାଧବୀ ବିରକ୍ତିରେ ଦାଣ୍ତ ଦରଜା ବନ୍ଦ କରିଦେଲା ।

 

ଚଇତା ସେଇ ରାସ୍ତା ମଝିରେ ଥକା ହୋଇ ବସି ପଡ଼ିଲା । ଭାବିଲା, ମାଧବୀ ଏତେ ତାକୁ ସ୍ନେହ କରିଥିଲା ସେ କ’ଣ ସବୁ ବୃଥା, ଛଳନା । ଆଉ କିଛି ଭାବି ପାରିଲା ନାହିଁ ।

 

ଆଖି ଆଗରେ ତା’ର ଭାସି ଉଠିଲା, କନକର ଦର ମଉଳା ମୁହଁ—ବାପର ଭଙ୍ଗା ଶରୀର । କନକର ସ୍ନେହ, ସେବା, ଆଦର ସୁହାଗ ସବୁ ଗୋଟି ଗୋଟି ହେଇ ମନେପଡ଼ିଲା । ଘରଦୁଆର ସତେ ଯେପରି ତାକୁ ଡାକିଲା, ଚଇତା ଫେରିଆ । ମରିଚୀକା ପଛରେ ଦଉଡ଼ି ପାଇଲୁ କ’ଣ ? ପାଇଲୁ ଚିରଦିନ ପାଇଁ ଗୋଟାଏ ଅବଶୋଷର ଧକ୍‍କା । ପ୍ରକୃତ ଜଳର ସନ୍ଧାନ କର । ଏବେ ବି ସମୟ ଅଛି ଚଇତା ଫେରିଆ । କନକ ମୁହଁରୁ ଲୁହ ପୋଛି ଦେ—ବୁଢ଼ା ବାପାକୁ ଶେଷ ଜୀବନରେ ଟିକିଏ ଶାନ୍ତିର ନିଶ୍ଵାସ ମାରିବାକୁ ଅବସର ଦେ । ଫେରିଆ ଚଇତା……ଫେରିଆ । ଚଇତାର ଦୁର୍ବଳ ମନ ଆଉ ସମ୍ଭାଳି ହେଇ ପାରିଲା ନାହିଁ । ଆଖିରୁ ତା’ର ଧାର ଧାର ହେଇ ଲୁହ ଛୁଟିଲା ।

 

ଧିରେ ଧିରେ ସେ ବ୍ୟଥାର ଗୁରୁଭାର ନେଇ ବଡ଼ ରାସ୍ତା ଉପରକୁ ଆସିଲା । ବସାକୁ ଫେରିବାକୁ ଗୋଡ଼ ଚଳିଲା ନାହିଁ । ଭାବିଲା କ’ଣ କରିବି—କୁଆଡ଼େ ଯିବି । ଇମିତି ହସ୍ତସନ୍ତ ହେଇ ମୁଁ କ’ଣ ମରିଯିବି—ବାଉରିଆ ଭାଇ ପରି ।

 

ବାଉରିଆର ମଲାବେଳର କରୁଣ ଛବି ଆଖି ଆଗରେ ତା’ର ନାଚି ଉଠିଲା । ଦେହ ତା’ର ଥରି ଉଠିଲା ଅଜଣା ଭୟରେ । ସେ ଭାବିଲା ଏଠି ଆଉ ଆପଣାର ହୋଇ କିଏ ଅଛି—କା ବସାକୁ ଯିବି । ହଠାତ୍ ତା’ର ମନେପଡ଼ିଲା ଭୋଳି ସାମୁଲ କଥା । ଭାବିଲା, ଭୋଳି ସାମୁଲ କ’ଣ ଏ ବିପଦବେଳେ ମୋର ଭରସା ହେବ ନାହିଁ । ନିଶ୍ଚୟ ହେବ, କିନ୍ତୁ ସେଦିନ ତାକୁ ମୁଁ ଯେଉଁ ଅପମାନ ଦେଇଥିଲି—ସେ କ’ଣ ଆଜି ତା’ର ପ୍ରତିଶୋଧ ମୋ ଉପରେ ନେବ । ବସାରେ ଟିକେ ମୁଣ୍ତ ଗୁଞ୍ଜିବାକୁ ଜାଗା ଦେବ ନାହିଁ । ମୋ ଦେହ ପାଇଁ କିଛି ଖର୍ଚ୍ଚ କରିବ ନାହିଁ । ନକଲେ ତାରି ଗୋଡ଼ତଳେ ପଡ଼ି କ୍ଷମା ମାଗିବି । କହିବି, ଭୋଳି ଦାଦା ଅତୀତର ମାନ ଅପମାନ ସବୁ ଭୁଲିଯାଇ ମୋତେ ବଞ୍ଚାଅ । ସେ କ’ଣ ତଥାପି ମୋତେ ଦୂରକୁ ଠେଲି ଦେବେ । ନାଁ ନାଁ ଭୋଳି ଦାଦା ସେମିତି କରିବେ ନାହିଁ । ବାପା ତାକୁ ମୋର ମଣିଷ କରିଚି । ସେ କ’ଣ ଅତୀତକୁ ପାସୋରି ପକାଇବେ । ନାଁ ନାଁ କଦାପି ନୁହେଁ—ଭୋଳି ଦାଦା ସେପରି ଲୋକ ନୁହେଁ । ମୁଁ ଯିବି—ତାରି କତିକି ଯିବି ।

ରାୟପୁର ଗାଁରେ ଆଜକୁ ଚାରିଦିନ ହେବ ଲାଗିଚି ହଇଜା । କଣ୍ତରା ସାହିରୁ ଦି’ ଜଣ–ତେଲି ସାହିରୁ ଦଶଜଣ କରିଗଲେଣି । ଏକାଦିନେ କାହ୍ନୁ ସାହୁର ସଂସାର ଶେଷ—ଘର ଖାଲି-। ଆଗେ ତା’ର ଭାରିଯା—ତା’ ଦି’ ଘଣ୍ଟା ପରେ ଷୋଳବରଷର ବାହାହେଲା ଝୁଅ—ତା’ ଘଣ୍ଟାକ ପରେ କାହ୍ନୁ ସାହୁ ନିଜେ । ସମସ୍ତେ ଡାକି ହାକି ଆଖି ବୁଜିଲେ । ରାୟପୁର ଗାଁରେ ଚହଳ ପଡ଼ିଗଲାଣି । ଗାଁ ଲୋକେ ମେଳି ହୋଇ ଠାକୁରାଣୀ ଚଣ୍ତୀ ଦେବୀଙ୍କ ନିକଟରେ କେତେ ଅର୍ଚ୍ଚନା କଲେଣି–ତଥାପି ହଇଜା ବନ୍ଦ ହେଉନାହିଁ—ଚାଲିଚି ।

ସଞ୍ଜ ଆସିବା ମାଛି ଅନ୍ଧାର ଆଗରୁ ରାୟପୁର ଗାଁରେ ତାଟି କବାଟ ପଡ଼ିଯାଏ । କେହି ଡରି ପଦାକୁ ବାହାରନ୍ତି ନାହିଁ । ଆସ୍ତେ ଆସ୍ତେ ହଇଜା ଖଣ୍ତେଇତ ସାହିକି ବ୍ୟାପିଲାଣି । ନନ୍ଦ ଜେନାର ଭେଣ୍ତିଆ ପୁଅଟା କାଲି ରାତିରେ ମରିଯାଇଚି ।

ନିଧି ପଧାନ ଏସବୁ ଦେଖି ତାରି ଦୁର୍ବଳ ଦେହଟା ଅଜଣା ଭୟରେ ଥରି ଉଠେ । ଜମି ବିକିଲା ଦିନଠାରୁ ତାକୁ ସବୁବେଳେ ଭାବନା ଜର । ଚଇତା କଥା ଭାବି ଭାବି ଦେହଟା ବି ତା’ର ଝଡ଼ିଗଲାଣି ଦିନ ରାତି ସବୁବେଳେ ଚିନ୍ତା । ଆଗ ଚେହେରା ନାହିଁ । ତା’ର ଆଖିଗୁଡ଼ାକ ଭିତରକୁ ପଶିଗଲାଣି–ଶୁଖିଲା ମୁହଁ, ଯେପରି ଜୀବନ ନାହିଁ । ଯିଏ ଦେଖେ ସେ କୁହେ, ପୁଅକୁ ଝୁରି ଝୁରି ନିଧିଆ ମରିଯିବ ।

ଖଣ୍ତେଇତ ସାହିରୁ ନିଇତି ଗୋଟାଏ ଦୁଇଟା ମଣିଷ ହଇଜାରେ ମଲେ । ଚାରିଆଡ଼େ ଖାଲି କାନ୍ଦବୋବାଳି–ହାହାକାର, ନିଧି ପଧାନ ଦିନେ ବୋହୂକୁ ତା’ର ଡାକି କହିଲା, ଚାଲ ମା, ତୋତେ ଆଉ ମଧୁଆକୁ ତୋ ବାପଘରେ ଛାଡ଼ିଦେଇ ଆସିବି । ଆଉ ଏ ଯମ ପୁରୀରେ ତତେ ରଖାଇ ଦେବିନାହିଁ । କନକ ମନା କଲା । କହିଲା, ନାଁ ବାପା ତମକୁ ଛାଡ଼ି ମୁଁ କୁଆଡ଼େ ଯିବି ନାହିଁ-। ନିଧି ପଧାନ ହସିଲା–କରୁଣ ବ୍ୟର୍ଥତାର ହସ । କହିଲା, ପାଗଳୀ, ବୁଢ଼ା ହେଲିଣି, ମୋ ପରି ଗୋଟାଏ ଅଲୋଡ଼ା ଜୀବନକୁ ଛାଡ଼ିଯିବାକୁ ତୋତେ ଏତେ ଡର । ବାପା ତୋର ତ ଦିନେ ମରିବ-। କନକ ଆଖିରୁ ଝରିପଡ଼ିଲା ଲୁହ । ନିଧି ପଧାନ ଚମକି ପଡ଼ି କହିଲା, ପାଗଳୀ କାନ୍ଦୁଚୁ-। ଯାକୁ ମଣିଷ କରିଥିଲି ଖୋଇ ପେଇ ନିଜର ସ୍ନେହ ଦେଇ–ସେ ତ ମୋ ପାଇଁ ଟିକିଏ କାନ୍ଦିଲା ନାହିଁ-। ଆଉ ତୁ ପର ଝିଅଟା–ତୁ ମୋ ପାଇଁ କାନ୍ଦୁଚୁ–କାନ୍ଦ । କିନ୍ତୁ ମା, ମୁଁ ଆଉ ବେଶୀ ଦିନ ନୁହେଁ-। ଯିବି–ଖୁବ୍ ଚଞ୍ଚଳ ମୁଁ ଏ ପୁରରୁ ବିଦା ହେବି ।

ଠିକ୍ ତା’ ଦିନକ ପରେ ଦିଇଟା ବେଳକୁ ନିଧି ପଧାନକୁ ହଇଜା ଧରିଲା । କନକ ଖାଲି ଭୋ ଭୋ ହେଇ କାନ୍ଦିଲା । ନିଧି ପଧାନ ବ୍ୟଥା ମିଶା ନରମ ଗଳାରେ କହିଲା, ବେଳକାଳ ମୋର ସରିଆସିଲା ।

 

ମା—ଆଉ କାନ୍ଦି ଲାଭ କ’ଣ ? ପୁଅର ମୁହଁ ଆଉ ଦେଖି ପାରିଲି ନାହିଁ । ଉମିବୋଉ ଗଲା—ଚଇତା ମୋତେ ଭୁଲିଗଲା । ସାତପୁରୁଷର ଜମି ବିକିଲି ପେଟ ପାଇଁ, ଇଜ୍ଜତ ପାଇଁ ମା—କିନ୍ତୁ ତୋତେ ବୋହୂକରି ଆଣି ନଥିଲି ଯେ ଆଣିଥିଲି ଲକ୍ଷ୍ମୀ ସୁନ୍ଦର ପ୍ରତିମା । ସେଇ ମୋର ଶାନ୍ତି ମା—ସେଇ ମୋର ଶାନ୍ତି । ତୋତେ ଦେଖି ମୁଁ ମରିଚି—ମୋ ଘରର ଲକ୍ଷ୍ମୀକି ମୁଁ ଦେଖି ମରିଚି, ଏହାଠୁ ବଳି ଭାଗ୍ୟ ମୋର କ’ଣ ଅଛି । କନକ ଖାଲି କାନ୍ଦୁଥାଏ । ଦି’ ଘଣ୍ଟା ପରେ ନିଧି ପଧାନର ପାଟିପଡ଼ିଗଲା—ଗୋଡ଼ ହାତ ଅଚଳ ହୋଇଗଲା । ତା’ପରେ ସବୁ ଶେଷ–ଖାଲି ଅନ୍ଧକାର ।

 

ରାୟପୁରର ସେଇ ମଶାଣି ଭୂଇଁରେ ଚିତା ନିଆଁ ହୁ ହୁ ହେଇ ଜଳି ଉଠିଲା । ମଶାଣିର କିଆବୁଦା କଡ଼ରୁ ଶୁଭିଲା ବିଲୁଆଙ୍କର କଲିଜା ଥରା ଚିତ୍କାର ହୁକେ…ହୁଆ… ହୁଆ…

Image

 

–୧୪–

 

ଚଇତାକୁ ଦେଖି ଭୋଳି ସାମୁଲ ଚିହ୍ନି ପାରିଲା ନାହିଁ । ଏ କ’ଣ ସେଇ ଚଇତା—ନାଁ ତା’ର ଅଶରିରୀ । ଚଇତା ଭୋଳି ସାମୁଲ କତିରେ ଭୋ ଭୋ ହେଇ କାନ୍ଦି ଉଠିଲା । ତାରି ହାତ ଧରି କହିଲା, ଭୋଳି ଦାଦା ମୋତେ ବଞ୍ଚାଅ । ତମେ ନ ଦେଖିଲେ ମୋର ବା କିଏ ଆପଣାର ଅଛି-। ଚଇତା ଆଖିରେ ଲୁହ ଦେଖି ଭୋଳି ସାମୁଲ ହୃଦୟଟା ତରଳିଗଲା । ଭାବିଲା, ଚଇତା ବାଟକୁ ଫେରିଚି—ସେ ଆଜି ତା’ର ପାପର ପ୍ରାୟଶ୍ଚିତ୍ତ ପାଇଁ ଦଉଡ଼ିଆସିଚି । ଭୋଳି ସାମୁଲର ଅତୀତର ସ୍ମୃତି ମନେପଡ଼ିଲା । ଦିନେ ତା’ ପାଇଁ ଚଇତାର ବାପ ନିଧି ପଧାନ କ’ଣ ନ କରିଚି-। ଆଜି ତା’ ପୁଅର ବିପଦ ବେଳେ ତାକୁ ଟିକେ ସାହା ଭରସା ହେବି ନାହିଁ । ନାଁ ନାଁ ଭୋଳି ସାମୁଲ ୟା କରିବ ନାହିଁ—ଲୋକେ କ’ଣ କହିବେ । କହିବେ ଏହି ଭୋଳି ସାମୁଲଟା ଏଡ଼େ ସ୍ଵାର୍ଥପର, କୃତଘ୍ନ-। ନିଧି ଭାଇ କ’ଣ କହିବ । କହିବ, ଆରେ ସାମୁଲ ପୁଅ, ଘରେ ତୋର ଖାଇବାକୁ ନଥିଲାବେଳେ ତୋ ମୁହଁରେ ଆହାର ଦେଇ ମୁଁ ମଣିଷ କରିଚି—ତୋତେ ବଞ୍ଚାଇଚି । ଆଜି ତୁ ମୋ ପୁଅ ମୁହଁକୁ ଟିକେ ଅନେଇଲୁ ନାହିଁ ।

 

ଭୋଳି ସାମୁଲ ଭାବିଚିନ୍ତି ଚଇତାକୁ ତାରି ବସାରେ ସ୍ଥାନ ଦେଲା । ତା’ ପାଇଁ ପଇସା ଖର୍ଚ୍ଚ କରି ଡାକ୍ତର ଆଣି ଦେଖାଇଲା । ଆପଣାର ପରି ତା’ର କେତେ ସେବା କଲା ।

 

ଦିନଗୁଡ଼ା ଗଡ଼ି ଚାଲିଲା—କେତେ ହସିଲା ସ୍ମୃତି ମିଶା ବିରହ ବିଷାଦର ସୁଅରେ ଭାସି ଭାସି ।

 

ଚଇତା ଭଲ ହେଇ ଆସିଲା । ଦିନେ ଚଇତା କହିଲା, ଭୋଳି ଦାଦା, ଏଥର ମୁଁ ଘରକୁ ଯିବି । ବାପାଙ୍କୁ ଅନେକ ଦିନହେଲା ନ ଦେଖି ମନଟା ମୋର ଅସ୍ଥିର ହେଉଚି । ଅତୀତରେ ବାପାଙ୍କ ମନରେ ମୁଁ ଯେଉଁ ଦୁଃଖ ଦେଇଚି—ତାରି ପ୍ରତିଫଳ ଯଥେଷ୍ଟ ଭୋଗିଲିଣି । ଏଥର ମୋତେ ବିଦାୟ ଦିଅ । ଭୋଳି ସାମୁଲ ହସିଲା । କହିଲା, ଚଇତା କୁଆଡ଼େ ଥିଲା ତୋର ସେଦିନ ପିତୃସ୍ନେହ । ଯୋଉ ଦିନ ତୋରି ବୁଢ଼ା ବାପାର ଚିଠିପାଇ ମୁଁ ତୋରି କତିକି ଦଉଡ଼ି ଯାଇଥିଲି । ଆଜି ମନେପଡ଼ୁଚି–ବର୍ଷକ ପରେ । ସେମାନେ ମଲେଣି କି ଗଲେଣି କିଏ ଜାଣେ । ମୁଁ ତ ପନ୍ଦର ଦିନ ହେଲା ଶୁଣିଲିଣି ଗାଁରେ ଭାରି ହଇଜା ଲାଗିଚି । ନିତି ଗାଁରୁ ଲୋକ ଘୋଷାରୁଚି–ଚାରିଆଡ଼େ କାନ୍ଦ ବୋବାଳି ।

 

ଚଇତା ଭୟରେ ଚମକି ଉଠିଲା । କହିଲା, ସତେ କ’ଣ ଦାଦା ଗାଁରେ ହଇଜା ଲାଗିଚି । ଭୋଳି ସାମୁଲ କହିଲା, ହଁରେ ଚଇତା, ପଚାଶ ଷାଠିଏ ଲୋକ ମଲେଣି । ଚଇତା ଆଖି ଆଗରେ ଯେପରି ତାରି ବାପା, ସ୍ତ୍ରୀର ମୁହଁ ଛଳ ଛଳ ହେଇ ଦିଶିଲା । ସେମାନେ କାନ୍ଦୁଛନ୍ତି—ଆଉ କହୁଚନ୍ତି, ଏଥର ଆମର ଛୁଟି । ରାଣ୍ତ ରଖ—ମଉଜ କର । ଗାଁ ମାଟି ନ ମାଡ଼ିଲେ ଆମର ଯାଏ କେତେ, ଆସେ କେତେ । ଚଇତା ଆଖିରେ ଲୁହ ଜକେଇ ଆସିଲା । କହିଲା, ଭୋଳି ଦାଦା ମୁଁ ଆଜି ଘରକୁ ଯିବି । ଭୋଳି ସାମୁଲ କହିଲା, ତୁ ପାଗଳ ହେଇ ଗଲୁଣି କିରେ ଚଇତା । ଗାଁରେ ହଇଜା–ଯିବୁ କିପରି । ଚଇତା କହିଲା, ହଁ ଦାଦା ମୁଁ ପାଗଳ ହେଇ ଗଲିଣି—ଆମ ଗାଁ ମଶାଣି ଭୂଇଁ ମୋତେ ଡାକିଲାଣି । ମୁଁ ଯିବି—ଆଉ ମତେ ତମେ ବାଧା ଦେଇ ପାରିବ ନାହିଁ । ଚଇତା ଭୋ ଭୋ ହେଇ କାନ୍ଦି ଉଠିଲା ।

 

ଭୋଳି ସାମୁଲ ଯେତେ ବୁଝାଇଲେ ଚଇତା ବୁଝିଲା ନାହିଁ । ସେଇ ଦିନ ଚଇତା ହାତରେ ଚାଳିଶିଟା ଟଙ୍କା ଦେଇ ଘରକୁ ବିଦା କରିଦେଲା ।

 

ବନ୍ଧ ଉପରୁ ଗଡ଼ିଲେ ଗାଁ ଗୋହିରୀ । ଦି’କରରେ କିଆ ବୁଦାର ପାଚେରୀ—ତା’ପରେ ଆମ୍ଵତୋଟା । ଚଇତା ଆମ୍ଵତୋଟାଗଛ ଗହଳି ପାରି ହେଇ ଗାଁ ମୁଣ୍ତରେ ଆସି ପହଞ୍ଚିଲା । ଗାଁ ମୁଣ୍ତ ବାଉଁଶ ବୁଦା ଭିତରୁ ଗୋଟାଏ ଶିଆଳଟାଏ ବାହାରିଆସି ଚଇତା ଆଗେ ଆଗେ ଦଉଡ଼ି ପଳାଇଲା-। ଚଇତା ଚମକି ପଡ଼ିଲା । ଗାଁ ଭିତରେ ପଶିଲା ବେଳକୁ ତାକୁ ଯେପରି ମାଡ଼ି ମାଡ଼ି ପଡ଼ିଲା-। କେହି ଗୋଟାଏ ଲୋକ ଦିଶୁନାହିଁ—ଖାଲି ଖାଁ ଖାଁ ଗୋଡ଼ଉଚି ।

 

କିଛି ବାଟ ଆସିଲା ପରେ କୁସୁନି ମଳିକ ସଙ୍ଗରେ ଚଇତାର ଭେଟ ହେଲା । କୁସୁନି ମଳିକ–ଜାତିରେ କଣ୍ତରା ହେଲେ କ’ଣ ହେଲା—ଭାରି ଭଲ ଲୋକ । ଗାଁରେ ସମସ୍ତେ ତାକୁ ଆଦର କରନ୍ତି । କହନ୍ତି କୁସୁନିଆ ପରି ଲୋକଟାଏ ମିଳିବ ନାହିଁ । ଚଇତାର ଭଙ୍ଗା ଦୁର୍ବଳ ଶରୀରକୁ ଦେଖି କୁସୁନିଆ ଦୋ ଦୋ ଚିହ୍ନା ହେଲା । ଟିକିଏ ପରେ କହିଲା, ଆରେ ଚଇତା ଭାଇକି ମୁଁ ଚିହ୍ନି ପାରୁ ନାହିଁ । ଓଳିକି ସାଆଁତେ । ଚଇତା କୁସୁନିଆକୁ ଦେଖି ପଚାରିଲା, କୁସୁନିଆଁ, ଗାଁ ଖବର ସବୁ ଭଲ ତ ? ମୋ ବାପା କିମିତି ଅଛି ? କୁସୁନିଆ ଚଇତା କଥା, ଶୁଣି କହିଲା, ଗାଁ ଖବର ଆଉ କ’ଣ ପଚାରୁଚ ଚଇତା ଭାଇ—ହଇଜାରେ ଅଧେ ଲୋକ ମରି ଯାଇଚନ୍ତି—ଗାଁ ଖାଲି-। ତମେ ତ ଆସିଲ ନାହିଁ । କୁଆଡ଼େ ରହିଲ—ଘରଦୁଆର ଏ ଗାଁ ମାଟିକୁ ଭୁଲି ନିଧି ସାଆନ୍ତେ ବି ତମକୁ ଝୁରି ଝୁରି ମରଣକୁ ସଦାଦିନେ ଡାକୁ ଥିଲେ । ସେ ବି ହଇଜାରେ ଆମ ସେଇ ମଶାଣି ଭୂଇଁରେ ଶୋଇଲେଣି ଆଜିକୁ ପଚିଶଦିନ ହେବ—ନିଘୋଡ଼ ନିଦରେ ।

 

କୁସୁନିଆ କଥା ଶୁଣି ଚଇତା ହାତରୁ ଗଣ୍ଠିରି ଖସି ପଡ଼ିଲା । ତଳେ ବସି ପଡ଼ି ଭୋ ଭୋ ହେଇ କାନ୍ଦି ଉଠିଲା । କହିଲା, କୁସୁନିଆ ସତେ କ’ଣ ମୁଁ ଆଉ ବାପାକୁ ପାଇବି ନାହିଁ । ଚଇତା ଅଥୟ ହେଇ କାନ୍ଦି କାନ୍ଦି ତଳେ ଲୋଟିଲା । ଚଇତାର ଦୁଃଖ ଦେଖି କୁସୁନିଆ ଆଖିରୁ ଝରିଲା ଲୁହ-

 

ଚଇତାର କାନ୍ଦଣା ଶୁଣି ଗାଁ ଲୋକ ଦଉଡ଼ି ଆସି ସବୁ ଜମା ହେଇଗଲେ । ସମସ୍ତେ କହିଲେ, ଆଉ ଟିକିଏ ଆଗରୁ ଆସିଲୁ ନାହିଁରେ ଚଇତା—ଟିକିଏ ବାପାକୁ ହେଲେ ପାଣି ଦେଇଥାନ୍ତୁ । ଚଇତାର ବେଦନାରେ ଗଛଲତା, ପଶୁପକ୍ଷୀ, ପାଣି, ପବନ, ମାଟି, ମଣିଷ ଭାରାକ୍ରାନ୍ତ ହେଇ ପଡ଼ିଲା । ଚାରିଆଡ଼େ ଅଶ୍ରୁ ମଉଳା ଜୀବନରେ ଖାଲି ଗୋଟାଏ କରୁଣ ହାହାକାର ଖେଳି ବୁଲିଲା ।

 

ଖବର ପାଇ ନିତିଆ ଦଉଡ଼ି ଆସିଲା । ନିତିଆକୁ ଦେଖି ଚଇତା କୁଣ୍ଢେଇ ପକେଇ ଆହୁରି କାନ୍ଦିଲା । ନିତିଆ କେତେ ବୁଝାଇ ଚଇତାକୁ ଶାନ୍ତି କଲା । ଚଇତା ପଚାରିଲା, ନିତିଆ କନକ କୋଉଠି ଅଛିରେ ? ନିତିଆ କହିଲା, ତୋ ବାପ ମଲାପରେ—ତାଙ୍କ ବାପଘର ଲୋକ ଆସି ନେଇ ଯାଇଛନ୍ତି—ତୋ ପୁଅ ସେଇଠି ଅଛି । କନକର ପୁଅ ହେଇଚି—ହଠାତ୍ ଚଇତା ଚମକି ପଡ଼ିଲା—ଜଳି ଉଠିଲା ଅତୀତର ପାସୋରା ସ୍ମୃତି । ଦିନେ ବାପା ଚିଠି ଲେଖିଥିଲେ, ଚଇତା ତୋର ପୁଅ ହୋଇଚି । ଆଗରେ ଏକୋଇଶା–ନିଶ୍ଚେ ଥରୁଟିଏ ହେଲେ ଆସିବୁ । ମାଧବୀ ସ୍ଵପ୍ନରେ ବିଭୋର ଥାଇ ସେ ଦିନ ବାପାଙ୍କ ଚିଠିକୁ ଭାବିଥିଲି ଭୁଲ—ମିଥ୍ୟା । ମୋତେ ଘରକୁ ନେବାକୁ ବୃଥା ଛଳନା । ଚିଠିକୁ ହସି ହସି ଚିରି ଟିକି ଟିକି କରି ଉଡ଼େଇ ଦେଇଥିଲି ।

 

ଆଜି ନିତିଆ କଥା ଶୁଣି ଭାବିଲା ବାପା ତା’ର ମିଥ୍ୟା ନୁହେଁ–ଧ୍ରୁବ ପରି ସତ୍ୟ । ଭ୍ରାନ୍ତ ସେ ନିଜେ–ମରଣ ପରି ଅସ୍ପଷ୍ଟ । ଜୀବନ ଉପରେ ତା’ର ଚେତନାର ସ୍ପନ୍ଦନ ଖେଳିଗଲା ।

 

କ’ଣ ଭାବୁଚ ଚଇତା ଭାଇ, ଘରକୁ ଚାଲ । ଚଇତା ହସିଲା ମଳିନଅଶ୍ରୁ ଧୁଆ ହସ । କହିଲା, କୁଆଡ଼େ ଯିବିରେ ନିତିଆ–ସେଇ ଖାଲି ଘର ଦେଖିବାକୁ । ନାଁ ନାଁ ମୁଁ ସେଠିକି ଯିବିନାହିଁ, ଯାଉଚି କନକ କତିକି । ତାକୁ ନ ଦେଖିଲେ ମୁଁ ଆଉ ବଞ୍ଚିପାରିବି ନାହିଁ । ନିତିଆ ଯେତେ ବୁଝାଇଲା, ଚଇତା ଭାଇ ଆଜିକ ଆମ ଘରେ ରୁହ । ଟିକିଏ ଦମ ନେଇ କାଲି ପଛେ ନୂଆବୋଉଙ୍କ କତିକି ଯିବ–ମଧୁଆକୁ ଦେଖିବ । ଚଇତା ବୁଝିଲା ନାହିଁ । ସେ ଏଇକ୍ଷଣି ଯିବ–ଏକ ଜିଦ୍ ।

 

ଚଇତା ଉଠିଲା । ଆଗରେ ତା’ର ପଥ—କନକ ଡାକୁଚି । ସେ ଚାଲିଲା ତାରି ଶ୍ଵଶୁର ଘର ପାଟପୁର ଗାଁ ଆଡ଼େ । ନିତିଆ ପଛରୁ କହିଲା, ନୂଆବୋଉଙ୍କୁ ନେଇ ଏଇ ଗାଁ ଭୂଇଁକି ଚଞ୍ଚଳ ଫେରି ଆସିବ ଚଇତା ଭାଇ—ଡେରି କରିବ ନାହିଁ ।

 

ନିଧି ପଧାନ ମଲାପରେ କନକକୁ ତା’ର ବାପା ନେଇ ଆସିଥିଲା—ଝିଅ ତା’ର ସୁଖରେ ରହିବ । ଝୁରି ଝୁରି କ୍ଷୀଣ ହେଇ ଯାଇଥିବା ଶୁଖିଲା ଦେହରେ ତା’ର ଜୀବନ ପଶିବ । ଦର ମଉଳା ମୁହଁରେ ତା’ର ହସ ଝଟିକିବ । କିନ୍ତୁ ବରଜୁ ରାଉତର ସେ ସ୍ଵପ୍ନ ଛାଇ ପରି ମିଳାଇଗଲା—ଗୋଟାଏ ଦୁଃଖ ମିଶା ଖଇଫୁଟା ଖରାର ଶୁଖିଲା ପରଶରେ ।

 

କନକ ଖାଲି ତା’ର ସ୍ଵାମୀ, ଶାଶୁ ଶ୍ଵଶୁରଙ୍କୁ ଝୁରି ଝୁରି ଦିନକୁଦିନ ପୋଡ଼ାକାଠ ପରି ଦିଶିଲା । ବାପ, ମା ଯେତେ ବୁଝାଇଲେ, କନ ସବୁଦିନ କ’ଣ ସମାନ ଥାଏ । ଅନ୍ଧାର ପରେ ଆଲୁଅ ଆସେ—ସିମିତି ଦୁଃଖ ପରେ ସୁଖ ଆସିବ । ଆଖିରୁ ଲୁହ ପୋଛିଦେ । ଦେଖ, ଜୀବନର ଅଶ୍ରୁତଳେ ବିଗତ ଦିନର ସବୁ ଦୁଃଖ ଯାଇଚି ଲିଭି । କନକ କିଛି ବୁଝେନା—ଖାଲି କାନ୍ଦେ ।

 

ଭାବି ଭାବି ଜରରେ ପଡ଼ିଲା । ବରଜୁ ରାଉତ ଜୀବନର ସବୁ ସୁଖ ସୁଆଦ ପଛରେ ପକେଇ ଝିଅ ପାଇଁ କେତେ ଯତ୍ନ କଲା । ସେ ଭଲ ହେବ—ଘର କରିବ । କିନ୍ତୁ ସବୁ ଚେଷ୍ଟା, ସବୁ ଯତ୍ନକୁ ବ୍ୟର୍ଥ କରି କନକ ଆଉ ରୋଗ କବଳରୁ ଉଠିଲା ନାହିଁ ।

 

ସେଦିନ ରାତି ଘଡ଼ିଏ ବେଳକୁ ଚଇତା ପହଞ୍ଚିଲା । ଚଇତାକୁ ଦେଖି ଶାଶୁ, ଶଶୁର ତା’ର ଭୋ ଭୋ ହୋଇ କାନ୍ଦି ଉଠିଲେ । କନକ ସେତେବେଳକୁ ମରଣର ଦ୍ଵାର ନିକଟରେ । ଚଇତା ଦଉଡ଼ିଗଲା । କନକକୁ ଜାବୁଡ଼ି ଧରି କହିଲା, କନ ମୁଁ, ଫେରି ଆସିଚି । କନକ ଖାଲି ବ୍ୟର୍ଥତାର କରୁଣ ଆଖିରେ ଅନାଇ ଶେଷ ହସ ଟିକିଏ ହସି ଅସ୍ପଷ୍ଟ ସ୍ଵରରେ କହିଲା, ବ—ଡ଼—ଡ଼େ—ରି—ରେ । ଆଉ କିଛି କହିପାରିଲା ନାହିଁ । ବେକଟା ତା’ର ମୋଡ଼ି ହେଇ ତକିଆ ତଳକୁ ଗଡ଼ି ପଡ଼ିଲା । ସବୁ ଶେଷ । ଚଇତା ଭୋ ଭୋ ହେଇ ରଡ଼ି ଛାଡ଼ିଲା ।

 

ପାଟପୁର ଗାଁ ମଶାଣୀରେ କନକକୁ ଚିରଦିନ ପାଇଁ ଶୋଇ ଦେଇ ଆସିଲେ । ଚଇତା ପାଗଳ ପରି ସେଇ ମଶାଣି ଆଡ଼କୁ ଛୁଟିଲା—ଡାକି ଡାକି କନକ ! କନକ । ଗାଁ ଲୋକ ପଛରେ ତା’ର ଦଉଡ଼ିଲେ ତାକୁ ଫେରାଇ ଆଣିବାକୁ ।

 

ଯେ ଯାଏ ଦିଗହଜା ସେଇ ନିବୁଜ ରାଇଜକୁ, ସେ ଆଉ ପୁଣିଥରେ ଫେରେ ନାଁରେ ଚଇତା—ସେ ଆଉ ପୁଣି ଥରେ ଫେରେନା ।

Image

 

–୧୫–

 

ଦିନ ଆସି ଘଡ଼ିଏ ହେଲାଣି । ଚାରିଆଡ଼େ ବିଛାଡ଼ି ହେଇ ପଡ଼ିଲାଣି କଅଁଳ ଆଲୁଅ । ନଡ଼ିଆ ଗଛ ପତର ଉପରେ ସୂର୍ଯ୍ୟକିରଣ ପଡ଼ି ଚକ୍ ଚକ୍ କରୁଚି । କାଉଟା କା କା କରି ଘର ମଥାନ ଉପରେ ରାବ ଛାଡ଼ୁଚି ।

 

ନିତିଆ ବେଲାଏ ପଖାଳ ନେଇ ଖାଇ ବସିଚି । ନୟନୀ କତିରେ ବସିଛି । ମଝିରେ ମଝିରେ କେତେ ସୁଖ ଦୁଃଖର କଥା ଚାଲିଚି । ହଠାତ୍ ଚଇତା ଯାଇଁ ଘର ଭିତରେ ପହଞ୍ଚିଲା । କୋଳରେ ତା’ର ଶିଶୁ । ଚଇତାକୁ ଦେଖି ନିତିଆ ନୟନୀ ଦୁହେଁ ଉଠି ଛିଡ଼ା ହେଲେ । ନୟନୀ ଟିକେ ଲାଜକରି ଆଡ଼ ଆଡ଼ ହେଲା । ନିତିଆ ମୁହଁଟା ଧୋଇ ପଚାରିଲା, ଚଇତା ଭାଇ, ତମେ ଏକଲା—ନୂଆବୋଉ କାହିଁ ?

 

ଚଇତା ଆଖିରେ ଲୁହର ଝର ଝର ମେଘ । ନୟନୀ କହିଲା, ଚଇତା ଭାଇ ତମେ କାନ୍ଦୁଚ ?

 

ଚଇତା କହିଲା, ହଁ ନୟନୀ ମୁଁ କାନ୍ଦୁଚି । ବାପା ଯାଇଚି—କନକ ବି ମରିଯାଇଚି–ଆଉ ରହିଲା ଏଇ ହତଭାଗା ମା’ ଛେଉଣ୍ତ ସନ୍ତାନ । ନିତିଆ, ନୟନୀ ଦୁହେଁ ଚମକି ପଡ଼ିଲେ । ନୂଆବୋଉ ମରିଯାଇଚି—ଆଖିରୁ ତାଙ୍କର ଝରି ପଡ଼ିଲା ଲୁହ ।

 

ଚଇତା କହିଲା, ନୟନୀ, ଏ ହତଭାଗା ମା ଛେଉଣ୍ତକୁ ତୁ ରଖ । ଆକୁ ମଣିଷ କର । ତୁ ଆକୁ ପାରିବୁ ନୟନୀ–ଏ ମୋର ବିଶ୍ଵାସ ଅଛି । ବୋଉ ଯାଇଚି—ବାପା ଯାଇଚି । କନକ ବି ଗଲା-। ଏଥର ଏ ହତଭାଗାକୁ ତୋ ହାତରେ ଦେଲେ ମୋର ଛୁଟି—ମୁଁ ବି ଯିବି । ନିତିଆ ପଚାରିଲା, କୁଆଡ଼େ ଯିବ ଚଇତା ଭାଇ ? ଯୁଆଡ଼େ ଇଚ୍ଛା ସେ ଆଡ଼େ ଚାଲିଯିବି । ଆଉ ଏ ନିର୍ଲଜ୍ଜ ଜୀବନକୁ ନେଇ ଏଠିକି ଫେରି ଆସିବି ନାହିଁ । ଆକୁ କୋଳରେ ରଖ ନୟନୀ । ନୟନୀ ମଧୁଆକୁ କୋଳକୁ ନେଲା ।

 

ନିତିଆ କହିଲା, ଚଇତା ଭାଇ, ଏଇ ଗାଁ ମାଟିରେ ତମେ ମଣିଷ ହେଇଚ । ଏଇ ଗାଁ ମାଟିରେ ତମରି ପୂର୍ବପୁରୁଷ ଆସିଚନ୍ତି—ପୁଣି ଯାଇଚନ୍ତି । ସେଇ ମାଟି ପଡ଼ିଚି । ସେଇ ମାଟିରେ ତମରି ବାପା ତମକୁ ମଣିଷ କରି ଆଖି ବୁଜିଚନ୍ତି, ତମେ ମଣିଷ ହେଇଚ । ବାପାଙ୍କର ନାଁ ରଖିବ–ଘର କରିବ । କିନ୍ତୁ ତମେ ଆଜି ଯିବ କୁଆଡ଼େ । ତମ ବାପାଙ୍କର ଇଚ୍ଛା ପୂରି ନାହିଁ-। ମଲାବେଳେ ସେ ମନ ଖୋଲି ହସି ହସି ମରି ପାରି ନାହାଁନ୍ତି । ତମେ ଆଜି ପୁଣି ନୂଆ କରି ଘର କଲେ—ସେ ସ୍ଵର୍ଗରେ ଥାଇ ବି କେତେ ଖୁସି ହେବେ ।

Image

 

ଚଇତା କହିଲା, ମୁଁ ଦୁର୍ବଳ ନିତିଆ । ଆଉ ମୋର ଦୁନିଆରେ ଅଛି କ’ଣ ? ମିଛରେ କାହିଁକି ତୁଚ୍ଛା ଅହମିକାରେ ପଡ଼ି ରହିବି ? ନିତିଆ କହିଲା, କ’ଣ ନାହିଁ । ଅଛି ତୋର ପୁଅ ମଧୁଆ–ଯାକୁ ଲୋକେ କେତେ ପୁଣ୍ୟ କରି ଲୋଡ଼ିଲେ ବି ପାଉ ନାହାଁନ୍ତି । ଅଛି ତୋର ଘରଦୁଆର–ପିତୃପୁରୁଷର ମାଟି—ଆଉ ସୁନା ପରି ଜମି ମାଣେ । ଏହି ଦେଖ ଚଇତା, ତୋର ସେଇ ଛୋଟ ଛୋଟ ଧାନ କିଆରି କିମିତି ଏତେ ଦିନ ପରେ ତୋତେ ଦେଖି ହସି ଉଠୁଚନ୍ତି—ଆଉ ତୋତେ ହାତ ଠାରି ଡାକୁଚନ୍ତି । ତୁ ମାଟିର ଡାକ ଏଡ଼ି ଦେଇ ପାରିବୁ । ଚଇତା ଆଖି ଆଗରେ ଭାସି ଉଠିଲା, ସକାଳର ସୁରୁଯ ଉଠୁଚି—ଗହଳିଆ ଝଙ୍କା ବରଗଛ ମଥାନରୁ । କେତେ ଜାତିକା ଚଢ଼େଇ ଉଡ଼ି ବୁଲୁଚନ୍ତି । ସେ ମାଟି ସାଙ୍ଗରେ ମିଶି ଖଟୁଚି । ଧାନ ଗଛ ଉପରେ ପବନ ପହଁରି ପହଁରି ଖେଳୁଚି । ମାଟିରେ ତା’ର ସୁନା ଫଳିଚି । ବିଦେଶର ସେଇ କଳଘରଠାରୁ କି ଆରାମ ଲାଗୁଚି ଏଇ ଗାଁ ମାଟି । ନାହିଁ ଏଠି ମାଲିକର ନାଲି ଆଖି–କଟୁ ବଚନ । ଆସୁ ନାହିଁ ଭାସି ପବନ ସାଥିରେ ମାଟିଆ ବୁରୁଜର ସେଇ କୁଲିବସ୍ତିରୁ ପଚା ଗନ୍ଧ । ନାହିଁ ଏଠି ମଶାର ଜଙ୍ଗଲ । ସେ ଖଟୁଚି–ଖାଉଚି ବେଶ୍ ସୁଖରେ ଅଛି । ମଧୁଆ ତା’ର ମଣିଷ ହେଉଚି । ବାପା ତା’ର ହସି ହସି କହୁଚି, ଚଇତା ମୋର ଫେରି ଆସିଚି ଏଇ ଗାଁ ଭୂଇଁକୁ–ପଧାନ ବଂଶର ଦୀପ ଲିଭି ନାହିଁ– ଜଳୁଚି-। ମଧୁଆର ଦିନୁ ଦିନୁ ଖେଳ ଦେଖି କନକ ଦୂରରେ ହସୁଚି । କହୁଚି, ତମେ ମୋତେ ଭୁଲି ଯାଇ ନାହଁ ସ୍ଵାମୀ……ମରିଗଲା ପରେ ବି ତମେ ମୋତେ ସ୍ମୃତିର ଦେଉଳ ତୋଳି ବଞ୍ଚାଇ ରଖିଛ-। ସେହି ମୋର ସ୍ଵର୍ଗ, ସେଇ ମୋର ଶାନ୍ତି ।

 

ଚଇତା ନିତିଆକୁ ଆବେଗରେ କୁଣ୍ଢାଇ ପକାଇ କହିଲା, ମୁଁ ରହିବିରେ ନିତିଆ– ରହିବି-। ଆରେ ଏଇ ଗାଁ ମାଟିର ଡାକ ନ ଶୁଣି ମୁଁ ଯିବି କୁଆଡ଼େ । ବାପା, ବୋଉ, କନକର ସ୍ମୃତି ଏଇ ଗାଁ ମାଟି ସାଙ୍ଗରେ ମିଶି ରହିଚି । ଏଇ ଗାଁରେ ବାପା ମୋତେ ବଡ଼ କରିଚି । ଦରକାର ନାହିଁ ମୋର ଦୂର ପରବାସ—ଦରକାର ନାହିଁ ମୋର ଧନ ଦଉଲତ । ମୁଁ ଏଇଠି ରହିବି—ପଧାନ ବଂଶର ନାଁ ରଖିବି । ମୁଁ ରହିବି ନିତିଆ ରହିବି—କୁଆଡ଼େ ଯାଇ ପାରିବି ନାହିଁ । ନିତିଆ, ନୟନୀ ଆଖିରୁ ଧାର ଧାର ଆନନ୍ଦର ଅଶ୍ରୁ ଝରି ପଡ଼ିଲା ।

 

ଚଇତା ଦେଖିଲା, ଅତୀତର ସବୁ ଦୁଃଖ ଅନ୍ଧକାର କାଟି ସୁଖର ନୂଆ ସୂର୍ଯ୍ୟ ଦୀପ ଜଳି ଉଠୁଚି । ଆଲୁଅର ଶୀତଳ ଅମୃତ ପରଶ ଜୀବନକୁ କରୁଚି ସ୍ନିଗ୍‍ଧ—ସରସ—ସୁନ୍ଦର ।

 

କବିତାଭବନ, କଟକ

 

ରାତି ସାଢ଼େ ଦଶଟା

ଶୁକଦେବ ସାହୁ

ତା ୨୫ । ୮ । ୫୧

 

Image